କ୍ଷେତରେ ଖତ ଖାଉଛି ମାଳମାଳ ଟ୍ରକ

କାଳିଆପାଣି: ଖଣିରୁ କ୍ରୋମ୍‌ ପଥର ବୋହିବା ପାଇଁ କିଣା ଯାଇଥିବା ଟ୍ରକ୍‌ ଏବେ କ୍ଷେତରେ ଖତ ଖାଉଛି। କାମ ଅଭାବ ଓ ମାଲିକର ଦୁରାବସ୍ଥା ପାଇଁ ଶହଶହ ଟ୍ରକ୍‌ ଅବେଳରେ ପରିତ୍ୟକ୍ତ ଅବସ୍ଥାକୁ ଆସିଯାଇଛି। ମାଳମାଳ ଟ୍ରକ୍‌ ଧାନକ୍ଷେତରେ ଖତ ଖାଉଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଏମିତି ହୋଇଛି ଯେ, ଟ୍ରକ୍‌କୁ ଆଉ କବାଡ଼ିଆ ବି ନେବନି। ଅନ୍ୟ ପକ୍ଷରେ କ୍ରୋମ୍‌ ପରିବହନ ଠିକାଦାର(ଟ୍ରାନ୍ସପୋର୍ଟର)ମାନେ ଆଶାତୀତ ଭାବେ ଉନ୍ନତି କରିଛନ୍ତି। ଦଶନ୍ଧିରେ କୌଣସି ଜଣେ ଟ୍ରାନ୍ସପୋର୍ଟର କ୍ଷତିଗ୍ରସ୍ତ ହୋଇ ବ୍ୟବସାୟରୁ ଓହରି ଯିବାର ନଜିର ନାହିଁ।

ଖଣିଅଞ୍ଚଳ ଓଡ଼ିଶ ଗାଁର ଶିକ୍ଷିତ ସ୍ବାଭିମାନୀ ଯୁବକ ମନୋରଞ୍ଜନ ମହାନ୍ତ ଚାକିରି ପଛରେ ନଗୋଡ଼ାଇ ଟ୍ରକ୍‌ ବ୍ୟବସାୟ ଆପଣାଇଥିଲେ। ଟାଟା କମ୍ପାନିରେ ଚାକିରି କରୁଥିବା ବାପା ହୃଷୀକେଶ ମହାନ୍ତଙ୍କ ଅବସର ପରେ ଏକକାଳୀନ ୨ଟି ନୂଆ ଟ୍ରକ୍‌ କିଣିଥିଲେ। କାଳକ୍ରମେ ୪ଟି ଟ୍ରକ୍‌ର ମାଲିକ ହୋଇଥିଲେ। ଏବେ ତାଙ୍କ ହାତରେ ଆଉ ଟ୍ରକ୍‌ ବ୍ୟବସାୟ ନାହିଁ। ୨ ବର୍ଷ ଧରି ଧାନକ୍ଷେତରେ ତାଙ୍କର ୨ଟିଯାକ ଟ୍ରକ୍‌ ଓଆର୍-୦୯ଇ-୩୦୬୯ ଓ ଓଆର୍-୦୪ବି-୭୮୮୪ ପଡ଼ିରହିଛି।

ଗାଁରେ ପୁଞ୍ଜାପୁଞ୍ଜା କ୍ରୋମାଇଟ୍‌ ଖଣି ଥିବାରୁ କାଳିଆପା‌ଣିର ଭୂମିପୁତ୍ର ଶିକ୍ଷିତ ଯୁବକ ଉଦ୍ଧବ ଦେହୁରୀ ୨ଟି ଟ୍ରକ୍‌ କିଣିଥିଲେ। ୬ ମାସ ତଳେ ସେ ତାଙ୍କର ୨ଟିଯାକ ଟ୍ରକ୍‌ ଓଆର୍-୦୯ଇ-୦୨୩୧ ଓ ଓଆର୍-୦୯ଇ-୯୯୩୯କୁ ମାତ୍ର ୫ଲକ୍ଷ ଟଙ୍କାରେ ବିକି କରଜ ଶୁଝିଥିଲେ। ପେଟ ପାଇଁ ସେ ଏବେ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିରେ ଠିକା ଶ୍ରମିକ ଭାବେ କାମ କରୁଛନ୍ତି।

କାଳିଆପାଣିର ନାରାୟଣ ବାହାଦୁର ଟ୍ରକ୍‌ ବ୍ୟବସାୟ କରି ପସ୍ତଉଛନ୍ତି। ତାଙ୍କର ୨ଟିଯାକ ଟ୍ରକ୍‌ ଓଆର୍-୦୯ଇ-୧୫୫୯ ଓ ଓଆର୍-୦୯ଡି-୨୭୯୪ ବର୍ଷବର୍ଷ ଧରି ଅବ୍ୟବହୃତ ରହି କଳଙ୍କି ଖାଉଛି। ଖଣି ପ୍ରଭାବିତ ଟ୍ରକ୍‌ ମାଲିକ ସଂଘ ସଭାପତି କୃତିବାସ ଭଞ୍ଜ ୭ଟି ଟ୍ରକ୍‌ର ମାଲିକ ଥିଲେ। ଗତମାସ ସେ ତାଙ୍କର ୨ଟି ଟ୍ରକ୍‌ ଓଆର୍-୦୪ସି-୯୪୭୧ ଓ ଓଆର୍-୦୯ବି-୫୩୪୫କୁ ଶାଗମାଛ ଦରରେ କବାଡ଼ିଆକୁ ବିକି ଦେଇଥିବା କହନ୍ତି। ତାଙ୍କ ହାତରେ ଆଉ ମାତ୍ର ୨ଟି ଟ୍ରକ୍‌ ରହିଛି। ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳରେ ଏମିତି ଶହଶହ ଅଲୋଡ଼ା ଉଦାହରଣ ରହିଛି। ଗୋଷ୍ଠୀ କନ୍ଦଳ ଓ ହୀନ ରାଜନୀତି ପାଇଁ ସୁକିନ୍ଦା ମିନେରାଲ୍‌ ଟ୍ରକ୍‌ ଓନର୍ସ ଆସୋସିଏସନ(ଏସ୍‌ଏମ୍‌ଟିଓଏ)ରେ ଫାଟହୋଇ ସଂଘ ଦୁର୍ବଳ ହେବା ପରେ ୫ବର୍ଷ ଧରି ସ୍ଥାନୀୟ ଟ୍ରକ୍‌ ମାଲିକମାନେ କ୍ଷତିଗ୍ରସ୍ତ ହୋଇଆସିଛନ୍ତି।

ଟ୍ରକମାଲିକ ସଂଘରେ ବିଭେଦ ଓ ପାତରଅନ୍ତର ଅଭିଯୋଗରୁ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇ କ୍ରିୟାଶୀଳ ଖଣିରୁ ସ୍ବତନ୍ତ୍ର ଲୋଡିଂ ବ୍ୟବସ୍ଥା ଉଚ୍ଛେଦ କରି ଫାଷ୍ଟ୍ କମ୍, ଫାଷ୍ଟ୍ ଲୋଡ୍‌ ନିୟମ ଲାଗୁ କରିଥିଲେ। ଏହି ବ୍ୟବସ୍ଥା କେବଳ କିଛି ପେସାଦାର ଟ୍ରକ୍‌ ମାଲିକଙ୍କୁ ସୁହାଇଛି। ଏସ୍‌ଏମ୍‌ଟିଓଏ ଭାଗଭାଗ ହୋଇ ଏକାଧିକ ଗୋଷ୍ଠୀରେ ସୀମିତ ରହିଛି। ଏଇ ମଉକାରେ ଟ୍ରାନ୍ସପୋର୍ଟରମାନେ ସୁସଂଗଠିତ ହୋଇଛନ୍ତି। ନିଜନିଜ ମଧ୍ୟରେ ସମନ୍ବୟ ଏବଂ ପ୍ରଶାସନ ଓ ଖଣି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ଯୋଗସୂତ୍ର ରଖି ସାଧାରଣ ଟ୍ରକ୍‌ ମାଲିକମାନଙ୍କୁ ମନଇଛା ଭଡ଼ା ଦେଉଛନ୍ତି। ଗ୍ରେଡ୍‌ ଫେଲ୍‌ ଓ ସର୍ଟେଜ୍ ଆଳରେ ଟ୍ରକ୍‌ ମ‌ାଲିକଙ୍କଠାରୁ ମନଇଛା ପ୍ରାପ୍ୟ କଟା ଯାଉଥିବାର ଅଭିଯୋଗ ଲମ୍ବିବାରେ ଲାଗିଛି। ଗୋଳିଆ ପାଣିରୁ ଫାଇଦା ଉଠାଇବା ପାଇଁ ଟ୍ରାନ୍ସପୋର୍ଟରମାନଙ୍କ ସ୍ବତନ୍ତ୍ର ରଣନୀତି ଯୋଗୁଁ ଟ୍ରକ୍‌ମାଲିକମାନେ ଏକଜୁଟ ହୋଇପାରୁ ନାହାନ୍ତି।  ସାଧାରଣ ଟ୍ରକ୍‌ ମାଲିକ ନିର୍ଦ୍ଧାରିତ ଦରରେ ଭଡ଼ା ପାଉନଥିବା ନେଇ କାଳିଆପାଣିର ଆଶିଷ କୁମାର ଜେନା ସ୍ପଷ୍ଟ ମତ ରଖନ୍ତି। ବିଭେଦ ପାଇଁ ମାଲିକମାନେ ଦିନକୁ ଦିନ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ଏକାଠି ହେବାକୁ ପ୍ରୟାସ କରୁନାହାନ୍ତି।

ସମ୍ବନ୍ଧିତ ଖବର