ନିର୍ମାଣ ହୋଇପାରୁନି ରାସ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

ଦଶପଲ୍ଲା : ଗାଁକୁ ନିର୍ମାଣ ହୋଇ ପାରୁନି ପକ୍କା ରାସ୍ତା। ଦୈନିକ ଏହି ରାସ୍ତା ମଧ୍ୟ ଦେଇ ଯାତାୟାତ କରୁଥିବା ଜନସାଧାରଣ ଏବଂ ଛାତ୍ରଛାତ୍ରୀ ବହୁ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହେଉଛି। ପକ୍କା ସଡ଼କ ନିର୍ମାଣ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଗ୍ରାମବାସୀଙ୍କ ବହୁ ଦାବି ପରେ ଏହାର କୌଣସି ସ୍ଥାୟୀ ପ୍ରତିକାର କରାଯାଉନଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି, ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଘୋଳାହାଣ୍ତି ପଞ୍ଚାୟତର ତାଲେରାଠାରୁ ଗୁରିଆବାରୀ ରାସ୍ତାରେ। ଏହି ରାସ୍ତା ଉପରେ ଗୁରିଆବାରୀ ଗ୍ରାମବାସୀଙ୍କ ସମେତ ତାଲେରା ଗ୍ରାମର ପ୍ରାୟ ୫ ଶହ ଜନସାଧାରଣ ନିର୍ଭରଶୀଳ। ଦୈନିକ ଛାତ୍ରଛାତ୍ରୀମାନେ ପାଠପଢାଠାରୁ ଆରମ୍ଭ କରି ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ସହ ସ୍ଥାନୀୟ ଅଂଚଳବାସୀ ଜମିବାଡ଼ିକୁ ଯାତାୟାତ କରିଥାନ୍ତି। ଅସରାଏ ବର୍ଷା ହେଲେ ଏହି ରାସ୍ତା ଦେଇ ଯାତାୟାତ କରିବା କଷ୍ଟକର ହୋଇପଡୁଛି। ୨୦୧୬ରେ ମନରେଗା ଯୋଜନାରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିବା ବେଳେ ସେଥିରେ କୌଣସି ସୁଧାର ଆସିନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପକ୍କା ସଡ଼କ ନିର୍ମାଣ ପାଇଁ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଆକର୍ଷଣ କରିନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର