ଭୁବନେଶ୍ବର : ‘ଫନି’ର ପ୍ରଳୟଙ୍କାରୀ ତାଣ୍ଡବ ଅଧା ରାଜ୍ୟର ମେରୁଦଣ୍ଡ ଭାଙ୍ଗିଦେଇଛି। ସରକାରୀ କଳ ତ ତା’ କାମ କରୁଛି। ହେଲେ ନାଗରିକ ବି ତା’ କର୍ତବ୍ୟରୁ ଓହରିଯିବା ଉଚିତ୍ ନୁହେଁ। ବାତ୍ୟା ବିପନ୍ନ ଓଡ଼ିଶାବାସୀଙ୍କ ଦୁଃଖରେ ସହାୟତାର ବାହା ପ୍ରସାରି ଦେବା ସମୟ ଉପନୀତ ହୋଇଛି। ରାଜ୍ୟର ଏ ଦାରୁଣ ସ୍ଥିତିରେ ପ୍ରତ୍ୟେକ ସଚେତନ ନାଗରିକ ନିଜକୁ ପ୍ରଶ୍ନ ପଚାରନ୍ତୁ, ମୁଁ କ’ଣ କରିପାରିବି? ଆମେ କ’ଣ କରିପାରିବୁ? ବାତ୍ୟା ବିପନ୍ନଙ୍କୁ ସହଯୋଗ କରିବା ସହ ବାତ୍ୟା ପରେ ପୂର୍ବ ସ୍ଥିତିକୁ ଫେରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଆଜି ‘ସମ୍ବାଦ’ ଓ ‘ସିୱାଇଏସ୍ଡି’ ବିଭିନ୍ନ ସାମାଜିକ ସଂଗଠନ ଓ ନାଗରିକ ସମୂହଙ୍କୁ ଆହ୍ବାନ କରିଥିଲା। ବୈଠକରେ ସେମାନଙ୍କ ପରାମର୍ଶ ଲୋଡ଼ିବା ସହ ବାତ୍ୟା ବିପନ୍ନଙ୍କ ପାଇଁ କି ବ୍ୟବସ୍ଥା କରାଯାଇପାରିବ ସେ ବାବଦରେ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥିଲା। ସିୱାଇଏସ୍ଡିର ମାର୍ଗଦର୍ଶକ ଓ ସହ ପ୍ରତିଷ୍ଠାତା ଜଗଦାନନ୍ଦ, ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ପୂର୍ବତନ ପ୍ରଶାସକ ରମେଶ ପଣ୍ଡାଙ୍କ ସମେତ ବହୁ ବୁଦ୍ଧିଜୀବୀ ଏବଂ ସ୍ବେଚ୍ଛାସେବୀ ସଂଗଠନର ସ୍ବେଚ୍ଛାସେବୀମାନେ ଉପସ୍ଥିତ ଥିଲେ। ଆଲୋଚନାର ନିଷ୍କର୍ସରୁ ଯାହା ବାହାରିଥିଲା...
ସର୍ଭେ ଜରିଆରେ ଆକଳନ କରିବା ଏବେ ସବୁଠୁ ବଡ଼ ସମସ୍ୟା
ପ୍ରାଥମିକ ସ୍ତରରେ ବାତ୍ୟା ବିପନ୍ନଙ୍କୁ ଯେଉଁ ସର୍ବନିମ୍ନ ରିଲିଫ୍ ମିଳିବା କଥା ତାହା ଅଧିକାଂଶଙ୍କୁ ମିଳିଛି। ତେବେ ବାତ୍ୟାଜନିତ ସହାୟତା ଦେବା ପାଇଁ ସର୍ଭେ ଜରିଆରେ ଆକଳନ କରିବା ଏବେ ସବୁଠୁ ବଡ଼ ସମସ୍ୟା ହୋଇଛି। ଏତେ ସଂଖ୍ୟକ ଘର ଭାଙ୍ଗିଛି ଯେ, ଏଗୁଡ଼ିକୁ ଆକଳନ କରୁକରୁ ମାସମାସ ଲାଗିଯିବ। ମୂଲ୍ୟାୟନ ପୂର୍ବରୁ ସହାୟତା ଆଶାରେ ଅନେକ ଘରକୁ ନସଜାଡ଼ିବା ବି ସ୍ବାଭାବିକ କଥା। ତେଣୁ ଆହୁରି ସରକାରୀ କର୍ମଚାରୀଙ୍କୁ ତାଲିମ୍ ଦେଇ ତୁରନ୍ତ ଏହି ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ କରାଯିବା ଉପରେ ନାଗରିକମାନେ ଜୋର୍ ଦେଇଥିଲେ।
ନିର୍ମାଣ ଜିନିଷରେ ଜିଏସ୍ଟି କୋହଳ ହେଉ
ଲୋକଙ୍କର ଘରଦ୍ବାର ବିପୁଳ କ୍ଷତି ହୋଇଥିବାରୁ ଏବେ ନିର୍ମାଣ କରିବା ସମୟ ଉପନୀତ ହୋଇଛି। ଏଣେ ନିର୍ମାଣ ଜିନିଷ ଉପରେ ୧୮ ପ୍ରତିଶତ ଜିଏସ୍ଟି ଚାପ ରହିଛି। ଫଳରେ ନିଜର ଭଙ୍ଗା ଘରକୁ ସଜାଡ଼ିବା ପାଇଁ ବହୁ ଅର୍ଥ ବ୍ୟୟ ହେବାକୁ ଥିବାରୁ ନିର୍ମାଣ ଜିନିଷ ଉପରେ ଜିଏସ୍ଟି ଚାପକୁ ହଟାଇବାକୁ ସରକାରଙ୍କୁ ପରାମର୍ଶ ଦିଆଯାଉ ବୋଲି ନାଗରିକମାନେ ମତବ୍ୟକ୍ତ କରିଥିଲେ।
ଲୋକଙ୍କ ସମ୍ପୃକ୍ତି ଜରୁରି
ଆଗରୁ ଭାଇଚାରା ଏତେ ମଜଭୁତ ଥିଲା ଯେ, କାହାର ଦୁଃଖ ପଡ଼ିଲେ ଲୋକେ ବାହାରିପଡ଼ୁଥିଲେ। ଏବେ ପୁଣି ସେଇ ସମୟ ଉପନୀତ। ଆମ ଅଞ୍ଚଳରେ ଜମି ରହିଥିବା ସବୁଜ ଆବର୍ଜନାକୁ ସଫା କରିବା ଦାୟିତ୍ବ କେବଳ ସରକାରଙ୍କର ନୁହେଁ, ସ୍ଥାନୀୟ ଲୋକେ ବି ନିଜେ ନିଜ ଅଞ୍ଚଳର ସଫେଇ ପାଇଁ ବାହାରି ଆସନ୍ତୁ। ନଚେତ୍ ବର୍ଷା ଯାଏଁ ଏହା ଜମି ରହିଲେ, ବର୍ଷା ପାଣି ପଡ଼ି ପଚି ତାହା ମଶାଙ୍କ ଦୌରାତ୍ମ୍ୟ ବଢ଼ାଇବ। କେବଳ ସେତିକି ନୁହେଁ ଏନ୍ଡିଆର୍ଏଫ୍ ଓ ଓଡ୍ରାଫ୍ ଟିମ୍ ଗଛ କାଟି ବାଟ ସଫା କରୁଥିବା ବେଳେ ସେମାନଙ୍କ ସହ ସ୍ଥାନୀୟ ଲୋକେ ଯୋଡ଼ି ହୋଇ ଏହି କାର୍ଯ୍ୟକୁ ଆଗେଇ ନେବା ଆବଶ୍ୟକ। ଏଥିସହ ପୂଜାନୁଷ୍ଠାନ, କ୍ଲବ୍, ଅନୁଷ୍ଠାନ, ମନ୍ଦିର, ମସଜିଦର ସଦସ୍ୟମାନେ ବାତ୍ୟା କାଳୀନ ସମସ୍ୟାକୁ ସୁଧାରିବାକୁ ହାତ ମିଳାଇବା ଆବଶ୍ୟକ।
କେନ୍ଦ୍ରୀୟ ଟିମ୍କୁ ଅବଗତ କରାଯାଉ
ଜାତୀୟ ସ୍ତରର ଗଣମାଧ୍ୟମ ଓଡ଼ିଶାରେ ଘଟିଯାଇଥିବା ପ୍ରଳୟଙ୍କାରୀ ବାତ୍ୟା ସମ୍ବନ୍ଧରେ ଖବରକୁ ଗୁରୁତ୍ବ ଦେଇନାହିଁ। ଯଦିଓ ସ୍ଥିତି ସୁଧାରିବା ପାଇଁ ପ୍ରୟାସ ହେଉଛି, ମାତ୍ର ଅନେକ ଅଞ୍ଚଳ ଦୀପ ତଳ ଅନ୍ଧାର ଭଳି ନରହିଯାଉ, ସେଥିପାଇଁ ସେମାନଙ୍କ ନିକଟରେ ପ୍ରକୃତ କ୍ଷୟକ୍ଷତିର ହିସାବ ପହଞ୍ଚାଇବାକୁ ପ୍ରୟାସ କରାଯାଉ। ଏହି ପରିପ୍ରେକ୍ଷୀରେ ଡିଜିଟାଲ୍ ଗ୍ରୁପ୍ ଗଠନ ହୋଇ ତା ମାଧ୍ୟମରେ କ୍ଷୟକ୍ଷତିକୁ ଦେଖାଯିବା ନିଷ୍ପତ୍ତି ହୋଇଛି। ସ୍ବାସ୍ଥ୍ୟ ଗ୍ରୁପ୍ ଗଠନ ହୋଇ ସ୍ବାସ୍ଥ୍ୟ ଭିତ୍ତିକ ଶିବିର ଆୟୋଜନର ନିଷ୍ପତ୍ତି ନିଆଯାଇଛି। କୁକୁଡ଼ା ଫାର୍ମ ବହୁ ଜାଗାରେ ନଷ୍ଟ ହୋଇଯାଇଥିବାରୁ ମଲା କୁକୁଡ଼ାଙ୍କୁ ଜମା କରି ପଚାଇ ମୂଲ୍ୟାଙ୍କନ ପର୍ଯ୍ୟନ୍ତ ଜମା କରି ରଖିବା ଦ୍ବାରା ରୋଗ ବ୍ୟାପିବାର ସମ୍ଭାବନା ଥିବାରୁ ସ୍ଥାନୀୟ ନେତାଙ୍କ ଜରିଆରେ ଏହାର ମୂଲ୍ୟାୟନ ହେଉ। ନଚେତ୍ ସେଗୁଡ଼ିକର ଫଟୋ କିମ୍ବା ଭିଡିଓ କରି ରେକର୍ଡ ରଖାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯାଇ ସ୍ଥାନୀୟ ପ୍ରତିନିଧିଙ୍କୁ ଏହାର ସାକ୍ଷୀ ଭାବେ ରଖାଯାଉ ବୋଲି ନାଗରିକ ସମାଜ ମତ ରଖିଛି।
ଆଗକୁ ଆହ୍ବାନ: ବ୍ୟାପକ ବନୀକରଣ
ପରବର୍ତୀ ସମୟରେ ସହରର ଦୃତ ସବୁଜିମାକୁ ଭରଣା କରିବା ବଡ଼ ଆହ୍ବାନ। ଏଥିପାଇଁ ଏବେଠୁ ମଂଜି ଲଗାଇଲେ ହିଁ ତାହା ଜୁନ୍ ମାସରେ ଚାରା ହୋଇ ଗଛ ଲାଗିବା ଯୋଗ୍ୟ ହୋଇପାରିବ। ଏନେଇ ସବୁଜିମା ଅଭିଯାନରେ ସମସ୍ତେ ସାମିଲ୍ ହେବା ଆବଶ୍ୟକ। ଅଣ୍ଡରଗ୍ରାଉଣ୍ଡ୍ କେବୁଲ୍ ବ୍ୟବସ୍ଥା ଥିଲେ ଲୋକେ ବିଦ୍ୟୁତ ସେବା ପାଇବା ପାଇଁ ଏତେଦିନ ଲାଗିନଥାଆନ୍ତା। ତେଣୁ ଏ ଦିଗ ଉପରେ ଗୁରୁତ୍ବ ଦେଇ ସରକାର କାମ କରିବା ଆବଶ୍ୟକ। ମୂଳରୁ ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ରି-ପ୍ଲାଣ୍ଟ୍ କରାଯିବା ସହ ସେଗୁଡ଼ିକର ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି। କୂଅ ଓ ଟ୍ୟୁବ୍ୱେଲ୍ଗୁଡ଼ିକୁ ସଂରକ୍ଷିତ ରଖିପାରିଥିଲେ ଏବେ ପିଇବା ପାଣି ପାଇଁ ଏତେ ସମସ୍ୟା ଉପୁଜିନଥାନ୍ତା ତେଣୁ ଏହାର ସଂରକ୍ଷଣ ପାଇଁ ଅନେକ ଗୁରୁତ୍ବ ଦେଇଛନ୍ତି। ଏଥିସହ ପ୍ରତ୍ୟେକ ବ୍ଲକ୍ରେ ସୋଲାର କମ୍ୟୁନିଟି କିଚେନ୍ ସ୍ଥାପନ ଉପରେ ସରକାର ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଥିଲା।
ପ୍ରକୃତ ବିପନ୍ନ ପାଖେ ରିଲିଫ୍ ପହଞ୍ଚୁ
କିଛି ସ୍ବେଚ୍ଛାସେବୀ ସଂସ୍ଥା ରିଲିଫ୍ ଯୋଗାଇ ଦେବାକୁ ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି। ମାତ୍ର ସମ୍ପୃକ୍ତ ଅନୁଷ୍ଠାନ ଯେଉଁଠିକୁ ରିଲିଫ୍ ଦେବା ପାଇଁ ଯାଉଛି ସେଠାରେ ଅନ୍ୟ ସଂସ୍ଥା ମଧ୍ୟ ରିଲିଫ୍ ଦେଉଛନ୍ତି। ତେଣୁ ସ୍ବେଚ୍ଛାସେବୀ ସଂଗଠନ ଯେପରି ଉଚିତ୍ ମାର୍ଗଦର୍ଶନ ସହ ରିଲିଫ୍ ପ୍ରକୃତ ବିପନ୍ନଙ୍କ ପାଖରେ ପହଞ୍ଚାଇବେ, ସେଥିପାଇଁ ଏକ କୋର୍ଡିନେସନ୍ କମିଟି ସିୱାଇଏସ୍ଡି ପରିସରରେ ଗଠନ କରାଯାଇ ପରିଚାଳନା କରାଯିବାକୁ ନିଷ୍ପତ୍ତି ହୋଇଛି। କିଛି ଅନୁଷ୍ଠାନ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟକୁ ଆବଶ୍ୟକ କରୁଥିବା ପରିବାର ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ବ ଦେଇଛନ୍ତି।