ଜଳସେଚନ ବିଭାଗରେ ୫-ଟିକୁ ବେଖାତିର: ବିନା ଟେଣ୍ଡର, କାଗଜପତ୍ରରେ ଚାଲିଛି ନିର୍ମାଣ!

ବାଲେଶ୍ବର: ବାଲେଶ୍ବର ସହର ଓଟିରୋଡସ୍ଥିତ ଜିଲ୍ଲା ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ କିଛି ମାସ ହେଲା ବିଭିନ୍ନ ପ୍ରକାର ବିକାଶ କାମ ଜୋରଦାର ଚାଲିଛି। କେଉଁଠି ମାଟି ପକାଇ ଖାଲ ପୋତା ଯାଇଛି ତ କେଉଁଠି ପାଚେରି ନିର୍ମାଣ ଓ କେଉଁଠି ନୂତନ ବିଲ୍ଡିଂ କାମ ଚାଲିଛି। ତେବେ ଲକ୍ଷଲକ୍ଷ ଟଙ୍କାରେ ହୋଇଥିବା ଏହି ବିକାଶ କାମ ପାଇଁ କୌଣସି ଟେଣ୍ଡର କିମ୍ବା କାଗଜପତ୍ର ହୋଇ ନଥିବା ଅଭିଯୋଗ କରାଯାଇଛି।

ଏଥିରେ ବିଭାଗୀୟ ଅଧିକାରୀ ଜାଣିଶୁଣି ନିୟମ ଉଲ୍ଲଂଘନ କରି ଲକ୍ଷାଧିକ ଟଙ୍କାର କାର୍ଯ୍ୟ କରିବାକୁ ନିେର୍ଦ୍ଦଶ ଦେବା ଏବଂ କାର୍ଯ୍ୟ ପରେ ଏହାକୁ କୌଣସି ଜଣାଶୁଣା ଠିକାଦାରଙ୍କ ଜରିଆରେ ବିଲ୍ କରାଇବା ନିମନ୍ତେ ପ୍ରୟାସ ଆରମ୍ଭ କରିଛନ୍ତି। ବାଲେଶ୍ବର ପୂର୍ତ୍ତ ବିଭାଗ ଅଧିକାରୀଙ୍କ ପକ୍ଷରୁ ଟେଣ୍ତର ଓ ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେବା ପରେ ଏବେ ଜଳସେଚନ ବିଭାଗରେ ମଧ୍ୟ ବିନା ଟେଣ୍ଡର ଓ କାଗଜପତ୍ରରେ କିଭଳି ନିର୍ମାଣ କାର୍ଯ୍ୟ ହେଉଛି ସେନେଇ ଅଧିକାରୀମାନଙ୍କ କାର୍ଯ୍ୟରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତା ଛଡ଼ା ଯେଉଁ ନିର୍ମାଣ କାମ ସବୁ କରାଯାଇଛି ତାହା ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟ ସରକାରଙ୍କ ୫-ଟି ନିୟମକୁ ଏଠାରେ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି।

ଏନେଇ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ବର୍ତ୍ତମାନ ‌ଉକ୍ତ ନିର୍ମାଣ କାମ ବନ୍ଦ ରହିଛି। ଏ ବାବଦରେ ଯେଉଁ ଅଭିଯୋଗ ସବୁ ଆସିଛି ତାହା ସମ୍ପୂର୍ଣ୍ଣ ଅମୂଳକ। କିଛି ଅସାଧୁ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ନିକଟରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ସେମାନେ ଆକ୍ରୋଶମୂଳକ ଭାବେ ବିଭାଗକୁ ଅଯଥାରେ ବଦନାମ କରିବାକୁ ଅପଚେଷ୍ଟା କରୁଛନ୍ତି। ତେବେ ଏ ବାବଦରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ସାମ୍‌ନାକୁ ଆସିପାରନ୍ତା ବୋଲି ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର