ପରଲୋକରେ ପଣ୍ଡିତ ଦାମୋଦର ହୋତା

ଶାସ୍ତ୍ରୟୀ ସଂଗୀତ ଜଗତର ଭୀଷ୍ମ ପିତାମହ

ଭୁବନେଶ୍ବର : ପ୍ରଖ୍ୟାତ ଶାସ୍ତ୍ରୀୟ ସଂଗୀତ ଗାୟକ ଗୁରୁ ଏବଂ ଗବେଷକ ପଣ୍ଡିତ ଡ. ଦାମୋଦର ହୋତାଙ୍କର ରବିବାର ଦିନ ପରଲୋକ ହୋଇଯାଇଛି। ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା। ଓଡ଼ିଶାରେ ଶାସ୍ତ୍ରୀୟ ସଂଗୀତ ଜଗତର ଭୀଷ୍ମ ପିତାମହ କୁହାଯାଉଥିବା ଶ୍ରୀ ହୋତାଙ୍କ ପରଲୋକରେ ସାଂସ୍କୃତିକ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। ଆସନ୍ତାକାଲି ରାଷ୍ଟ୍ରୀୟମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତାଙ୍କ ଅନୁପସ୍ଥିତି ଉଡ୍ରପଦ୍ଧତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବିଶିଷ୍ଟ ସଂଗୀତଜ୍ଞ ଏବଂ ତାଙ୍କ ଅନୁଗତ ତଥା ଶିଷ୍ୟ ଶିଷ୍ୟାମାନେ ଶୋକବ୍ୟକ୍ତ କରି କହିଛନ୍ତି।

ଶନିବାର ରାତି ୧୨.୧୫ ମିନିଟ୍‌ ସମୟରେ ଶ୍ରୀ ହୋତା ପ୍ରଥମେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ଡାକ୍ତରଖାନା ଯିବା ରାସ୍ତାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଦୁଇ ଝିଅ ମାନସୀ ହୋତା ଓ କଳ୍ପନା ହୋତା, ଦୁଇ ଜ୍ବାଇଁ, ନାତି ନାତୁଣୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶ୍ରୀ ହୋତାଙ୍କ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ବାସଭବନ ‘ସୀତାରାମ’ ନିବାସରେ ସଂଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ଆସନ୍ତାକାଲି ପୁଅବୋହୂ ଯୁକ୍ତରାଷ୍ଟ୍ର ଆମେରିକାରୁ ଫେରିବା ପରେ ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

ପଣ୍ଡିତ ହୋତା ୧୯୩୫ ଡିସେମ୍ବର ୨୫ ତାରିଖ ପୁରୀର ଗୌଡ଼ବାଡ଼ ସାହିରେ ଜନ୍ମଗ୍ରହଣ କରିଥିଲେ। ଆଦ୍ୟଗୁରୁ ପିତା ଗୋପୀନାଥଙ୍କ ପାଖରୁ ପ୍ରାଥମିକ ଓଡ଼ିଶୀ ସଂଗୀତ ଶିକ୍ଷା ପରେ ପଣ୍ଡିତ ନୃସିଂହନାଥ ଖୁଣ୍ଟିଆଙ୍କଠାରୁ ଓଡ଼ିଶୀ ସଂଗୀତ ଓ ହିନ୍ଦୁସ୍ତାନୀ ଶିକ୍ଷା ଗ୍ରହଣ କରିଥିଲେ। କାଶୀନାଥ ବାରିକଙ୍କ ପାଖରୁ ତବଲା ଓ ମର୍ଦ୍ଦଳ ଶିକ୍ଷା କରିଥିଲେ। ସେତେବେଳର ସୁନାମଧନ୍ୟ ପାରମ୍ପରିକ ଓଡ଼ିଶୀ ସଂଗୀତଜ୍ଞ ଓ ମାଦଳ ବାଦକ ଥିଲେ ଗୋପୀନାଥ ହୋତା। ପୁରୀ ଗଦାଧର ହାଇସ୍କୁଲରେ ପାଠ ପଢ଼ିବାବେଳେ ସେ ଇଚ୍ଛାଧୀନ ବିଷୟ ଭାବେ ସଙ୍ଗୀତ ରଖିଥିଲେ। ସେଠାରୁ ଓଡ଼ିଶୀ ଓ ହିନ୍ଦୁସ୍ଥାନୀ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ। ପାଠପଢ଼ା ଅପେକ୍ଷା ସଂଗୀତରେ ଅଧିକ ମନୋନିବେଶ କରୁଥିଲେ। ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ଏମ୍‌ଏ, ବନାରସ ବିଶ୍ବବିଦ୍ୟାଳୟରୁ ଏମ୍‌ଏମ୍‌ୟୁଏସ୍‌, ମୁମ୍ବାଇସ୍ଥିତ ଏବିଜିଏମ୍‌ରୁ ଡିଏମ୍‌ୟୁଏସ୍‌ ଉପାଧିପ୍ରାପ୍ତ ପଣ୍ଡିତ ହୋତା ପ୍ରସାର ଭାରତୀର ଜଣେ ଆଗଧାଡ଼ିର ଖୟାଲ୍‌ ଓ ଓଡ଼ିଶୀ ଗାୟକ ଭାବେ ସ୍ବୀକୃତି ପାଇଥିଲେ। ବିଶେଷକରି ସେ ଓଡ଼ିଶୀ ସଂଗୀତ ବଦଳରେ ଉଡ୍ରପଦ୍ଧତୀୟ ସଂଗୀତ ବୋଲି କହୁଥିଲେ ଏବଂ ସେ ଦିଗରେ ଗବେଷଣା କରୁଥିଲେ। ଉଡ୍ରଗାୟନ ପଦ୍ଧତି ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ସେହିଭଳି ଓଡ଼ିଶା ସଂଗୀତ ନାଟକ ଏକାଡେମି ପକ୍ଷରୁ ବୃତ୍ତି ପାଇ ୧୯୫୪ରୁ ୬୦ ପର୍ଯ୍ୟନ୍ତ ପଣ୍ଡିତ ଓମ୍‌କାରନାଥ ଠାକୁର ଓ ପଦ୍ମଶ୍ରୀ ବଳବନ୍ତରାୟ ଭଟ୍ଟଙ୍କ ପାଖରୁ ସଂଗୀତ ଶିକ୍ଷା ଏବଂ ମୁମ୍ବାଇସ୍ଥିତ ଅଖିଳ ଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ଡକ୍ଟରେଟ୍‌ ଉପାଧି ପାଇଥିଲେ।

ଭାରତ ଓ ଓଡ଼ିଶାର ସ୍ବନାମଧନ୍ୟ ଗୁରୁମାନଙ୍କଠାରୁ ତା‌ଲିମ୍‌ ନେଇଥିବା ପଣ୍ଡିତ ହୋତାଙ୍କର ସଂଗୀତ ସମ୍ବନ୍ଧୀୟ ୧୯ଟି ଗବେଷଣାଧର୍ମୀ ପୁସ୍ତକ ଓ ବିଭିନ୍ନ ପତ୍ର ପତ୍ରିକାରେ ଅନେକ ଲେଖା ବେଶ୍‌ ପାଠକୀୟ ଆଦୃତି ଲାଭ କରିଛି। ହିନ୍ଦୁସ୍ଥାନୀ ସଂଗୀତ ଲହରି, ସଂଗୀତ ଶାସ୍ତ୍ର, ଭାରତୀୟ ସଂଗୀତର ଇତିହାସ, ଉଡ୍ରପଦ୍ଧତୀୟ ମେଳ, ରାଗ ତାଳ ଓ ପ୍ରବନ୍ଧ ଲକ୍ଷଣ, ଲକ୍ଷଣା ଓ ସ୍ବରମାଳିକା ଲହରି, ପାରମ୍ପରିକ ଓଡ଼ିଶୀ ସଂଗୀତ, ଉଡ୍ର ପଦ୍ଧତୀୟ ଶିଶୁ ସଂଗୀତ ଲହରି, କିଶୋର ଚନ୍ଦ୍ରାନନ ଚମ୍ପୁ ଲହରି, ପାରମ୍ପରିକ ଓଡ଼ିଶୀ ସଂଗୀତ, ଉଡ୍ରପଦ୍ଧତୀୟ ସଂଗୀତ ଆଦି ରଚନା କରି ସେ ସଂଗୀତ ଜଗତକୁ ସମୃଦ୍ଧ କରିଛନ୍ତି। ସେ କିଛି ବର୍ଷ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦରେ ରହିଥିଲେ। ଏଥିସହ ଓଡ଼ିଶା ସରକାରଙ୍କ ସଂସ୍କୃତି ନିର୍ଦ୍ଦେଶାଳୟରେ ଓଏସ୍‌ଡି, ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଗୁରୁ ଭଳି ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ପଦବିରେ ରହି ଦାୟିତ୍ବ ତୁଲାଇଛନ୍ତି।

ସଂଗୀତ କ୍ଷେତ୍ରକୁ ବିଶେଷ ଅବଦାନ ପାଇଁ ସେ ଓଡ଼ିଶା ସଂଗୀତ ନାଟକ ଏକାଡେମି ପକ୍ଷରୁ ୧୯୯୪-୯୫ ମସିହାରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟନ ପାଇଁ ସମ୍ମାନିତ ହୋଇଥିଲେ। ୨୦୧୩-୧୪ରେ ଏକାଡେମିର ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଶାରଳା ପୁରସ୍କାର, ଥିଙ୍କ୍‌ ଓଡ଼ିଶା ଲିଡରସିପ୍‌ ଆୱାର୍ଡ, ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର, ସାଧନା ସିଦ୍ଧ ସମ୍ମାନ, ଭାରତୀୟ ସଂଗୀତ ରତ୍ନ ସମ୍ମାନ ଆଦି ଅନେକ ସ୍ବୀକୃତି ଓ ସମ୍ମାନ ଲାଭ କରିଛନ୍ତି। ସେ ଭୁବନେଶ୍ବରରେ ‘ସ୍ବର ରଙ୍ଗ’ ଓ ଶ୍ରୀଜଗନ୍ନାଥ ଅନୁଷ୍ଠାନର ପ୍ରତିଷ୍ଠା କରି ଉଡ୍ରପଦ୍ଧତୀୟ ସଂଗୀତର ପ୍ରସାର ପାଇଁ ନିଜକୁ ବ୍ରତୀ ରଖିଥିଲେ।

ପଣ୍ଡିତ ଡ. ଦାମୋଦର ହୋତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଉଡ୍ରପଦ୍ଧତୀୟ ସଂଗୀତର ଗବେଷଣା ଓ ପ୍ରଚାର ପ୍ରସାର କ୍ଷେତ୍ରରେ ନିଜର ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି କହିଛନ୍ତି, ଖ୍ୟାତିସମ୍ପନ୍ନ ସଂଗୀତଜ୍ଞ, ଗବେଷକ ତଥା ଶିକ୍ଷାବିତ୍‌ ଡ. ଦାମୋଦର ହୋତାଙ୍କ ବିୟୋଗ ଖବର ଶୁଣି ମୁଁ ବହୁତ ଦୁଃଖିତ ଓ ମର୍ମାହତ। ବିଶେଷତଃ ‘ଉଡ୍ର’ ଗାୟନ ପଦ୍ଧତି ବିକାଶରେ ତାଙ୍କର ଅବଦାନ ଅନସ୍ବୀକାର୍ଯ୍ୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର