ଚାଷୀଙ୍କୁ ଦାମଙ୍କ ପ୍ରଶ୍ନ : ଧାନ କୋଉଠି ଗଜା ହୋଇଛି ଦେଖା

ପାରାଦୀପ/କୁଜଙ୍ଗ : କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଆଜି କେତେକ ଚାଷୀଙ୍କ ଉପରେ ବର୍ଷିଛନ୍ତି। ରାସ୍ତାରେ ଧାନ କେଣ୍ଡା ଧରି ରାସ୍ତାରେ ଛିଡ଼ା ହୋଇଥିବା ଚାଷୀଙ୍କୁ କହିଛନ୍ତି, ଚାଷ ସଂପର୍କରେ ମୋତେ ବୁଝାଇବାକୁ ଚେଷ୍ଟା କରନା। ଚାଷୀ କିଏ ବୋଲି ମନ୍ତ୍ରୀ ଓଲଟା ପ୍ରଶ୍ନ କରିଛନ୍ତି।

କୁଜଙ୍ଗ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱର ଫେରୁଥିଲେ ମନ୍ତ୍ରୀ ଦାମୋଦର ରାଉତ। ଏହି ସମୟରେ କଲେଜ ଛକ ନିକଟରେ କିଛି ଚାଷୀ ଖରାପ ହୋଇଯାଇଥିବା ଧାନ କେଣ୍ଡା ଧରି ଛିଡ଼ା ହୋଇଥିଲେ। ସେମାନଙ୍କୁ ଦେଖି ଦାମ ତାଙ୍କ ଗାଡ଼ିକୁ କିଛି ସମୟ ଅଟକାଇ ଥିଲେ। କେଉଁ କାରଣରୁ ଚାଷୀମାନେ ଏଠାରେ ଛିଡ଼ା ହୋଇଛନ୍ତି ବୋଲି ସେ ଜାଣିବାକୁ ଚାହିଁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଚାଷୀ ଧାନ କେଣ୍ଡା ଦେଖାଇ ଲଗାଣ ବର୍ଷା ପରେ କ୍ଷେତରେ ଧାନ ଗଜା ହୋଇଯାଇଛି, ତେଣୁ କ୍ଷତିପୂରଣ ଆବଶ୍ୟକ ବୋଲି କହିଥିଲେ। ଏହା ଶୁଣିବା ପରେ ଦାମ ସଙ୍ଗେ ସଙ୍ଗେ ଉତ୍ତ୍ୟକ୍ତ ହୋଇଯାଇଥିଲେ। ଧାନ କେଣ୍ଡା ଦେଖାଉଥିବା ଚାଷୀଙ୍କୁ ଡାକି ଏହି ଧାନକୁ ଗଜା ବୋଲି କେମିତି କହୁଛୁ ବୋଲି ଓଲଟା ପ୍ରଶ୍ନ କରିଥିଲେ। ଚାଷୀ ଓ ଦାମଙ୍କ ମଧ୍ୟରେ ବାର୍ତ୍ତାଳପ ବେଶ୍‌ ରୋଚକ ଥିଲା। ‘ନିଜକୁ ଚାଷୀ ବୋଲି କହୁଛୁ। କୋଉଠି ଧାନ ଗଜା ହୋଇଛି ଦେଖା। ଖରାରେ ଏହି ଧାନକୁ ଶୁଖା କେମିତି ଗୁଣ୍ଡ ନହେବ। ତୋର କେତେ ମାଣ ଜମି। ନିଜେ ଲଙ୍ଗଳ ଧରି କେବେ ଚାଷ କରିଛୁ। ମୋର ପାଞ୍ଚ ବାଟି ଜମି। ଏଣୁ ମୋତେ ଚାଷ ବିଷୟରେ ବୁଝାନା’।

ଏହାପରେ ସେ ଟିକେ ନରମି ଯାଇ କହିଥିଲେ, ତୁମର ଯଦି କିଛି କ୍ଷତି ହୋଇଛି, ତେବେ ସର୍ଭେ ପରେ ଏହାର କ୍ଷତିପୂରଣ ବ୍ୟବସ୍ଥା କରାଯିବ। ମାତ୍ର ରାସ୍ତା ଉପରେ ଛିଡ଼ା ହୋଇ ଏପରି ପ୍ରତିବାଦ କରିବାର ଅର୍ଥ କ’ଣ ବୋଲି ଓଲଟା ପ୍ରଶ୍ନ କରିଥିଲେ। ସେ ଆହୁରି ମଧ୍ୟ କହିଲେ ‘ତୁମମାନଙ୍କ ଯୋଜନା ମୁଁ ବୁଝି ସାରିଛି। ବହୁତ ଶୁଣିଲିଣି ଓ ଦେଖିଲିଣି। ମୋତେ ଆଉ ଶୁଣାନା। ଆସନ୍ତାକାଲି କହିବ ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଥିଲେ ଏମିତି ବ୍ୟବହାର କଲେ। ବାପି ଭାଇ ଆମର ଭଲ। କୃଷକମାନଙ୍କ ଉନ୍ନତି ପାଇଁ ମୋର ଯାହା କରିବା କଥା କରିବି। ମୋତେ ତୁମ ପରାମର୍ଶର ଆବଶ୍ୟକତା ନାହିଁ’। ଚାଷୀମାନେ ମଧ୍ୟ ଦାମଙ୍କ ଏହି ରୂପ ଦେଖି ନରମି ଯାଇଥିଲେ। ଆପଣ ଯାହା ନିଷ୍ପତ୍ତି ନେବେ ବୋଲି ସେମାନେ ମନ୍ତ୍ରୀଙ୍କୁ କହିଥିଲେ। ଏହାପରେ ଶ୍ରୀ ରାଉତ ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର