ଦାମ ଏବେ କେଉଁ ଦଳରେ?

ବ୍ଲକ୍ ଅଧ୍ୟକ୍ଷ, ତହସିଲଦାର ଓ ବିଡିଓଙ୍କ ସହ ରୁଦ୍ଧଦ୍ବାର ବୈଠକ

ଜଗତସିଂହପୁର : ପାରଦୀପର ପୂର୍ବତନ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେପିରୁ ନିର୍ବାଚନ ଲଢ଼ି ହାରିଛନ୍ତି। ରାଜ୍ୟରେ ବିଜେଡି ହେଉଛି ଶାସକ ଦଳ। କିନ୍ତୁ ପଂଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷ, ବିଡିଓ ଓ ତହସିଲଦାରଙ୍କୁ ଡକାଇ ସେ ଘଣ୍ଟାଏ କାଳ ରୁଦ୍ଧଦ୍ବାର ବୈଠକ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। କୌଣସି ପ୍ରକାର ସରକାରୀ ପଦପଦବିରେ ନ ଥିବା ଡାକ୍ତର ରାଉତ କେଉଁ ଅଧିକାର ବଳରେ ଏଭଳି ବୈଠକ କଲେ ତାହାକୁ ନେଇ ପ୍ରଶ୍ନ ଉଠୁଛି। ପାରାଦୀପର ବିଧାୟକ ଏବେ ତାଙ୍କ ପୁଅ ସମ୍ବିତ ରାଉତରାୟ ଥିବାରୁ ସେହି ଅଧିକାର ଏଠାରେ ସେ ପ୍ରୟୋଗ କଲେ କି ବୋଲି ଅନେକ ପ୍ରଶ୍ନ କରୁଛନ୍ତି।

ସୂଚନା ଅନୁଯାୟୀ ଗତକାଲି ପାରାଦୀପ ନିର୍ବାଚନ ମଣ୍ତଳୀ ସିଙ୍ଗିଟାଳି ଗାଁରେ ଜଣେ ବିଜେଡି କର୍ମୀଙ୍କର ଏକାଦଶାହ ଥିଲା। ଯେହେତୁ ସେ ପୂର୍ବରୁ ଦାମଙ୍କର ଘନିଷ୍ଠ ଥିଲେ, ସେଥିପାଇଁ ଦାମ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସିଙ୍ଗିଟାଳିକୁ ଆସିଥିଲେ। ମାତ୍ର ସିଙ୍ଗିଟାଳି ଯିବା ପୂର୍ବରୁ ଦାମଙ୍କ ଗାଡ଼ି କୁଜଙ୍ଗ ପଂଚାୟତ ଅଫିସ୍‌ କାର୍ଯ୍ୟାଳୟ ଆଡ଼କୁ ଗଡ଼ିଥିଲା। ସେଠାରେ ପୂର୍ବରୁ କୁଜଙ୍ଗ ବ୍ଲକ୍ ବିଡିଓ କିଶୋର ଚନ୍ଦ୍ର ସ୍ବାଇଁ, ତହସିଲଦାର ରମେଶ ଚନ୍ଦ୍ର ପଣ୍ତା ଓ ଅଧ୍ୟକ୍ଷ ସ୍ମୃତିରଂଜନ ବେହେରା ପ୍ରମୁଖ ଦାମଙ୍କୁ ଅପେକ୍ଷା କରି ରହିଥିଲେ। ପୂର୍ବରୁ ବୋଧହୁଏ ଏହି ବ୍ୟକ୍ତିମାନଙ୍କ ସହ ଦାମ କଥା ହୋଇ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା। ପରେ ଉକ୍ତ କାର୍ଯ୍ୟାଳୟରେ ଦାମଙ୍କ ସହ ଏହି ତିନି ଜଣ ଅଧିକାରୀ ପାଖାପାଖି ଘଣ୍ଟାଏ କାଳ ଆଲୋଚନା କରିଥିଲେ। ପଂଚାୟତ ଅଫିସ ସାମ୍ନାରେ ଦାମଙ୍କ ଗାଡ଼ି ଅନେକଙ୍କୁ ଚକିତ କରିଥିଲା। ଏ ନେଇ ତହସିଲଦାର ରମେଶ ଚନ୍ଦ୍ର ପଣ୍ତା କହିଛନ୍ତି ଯେ, ଦାମବାବୁ ଆମକୁ ଡକାଇଥିଲେ ସତ, ମାତ୍ର ସେଠାରେ କୌଣସି ଭିନ୍ନ ଆଲୋଚନା ହୋଇନାହିଁ। ତାଙ୍କ ଦ୍ବାରା ଅଧାରେ ରହି ଯାଇଥିବା କିଛି ପ୍ରକଳ୍ପ ସମ୍ପର୍କରେ ମନେ ପକାଇ ଦେବା ସହ ଏହି ବ୍ଲକରେ ଯେଭଳି ସୁରୁଖୁରୁରେ ସବୁ କାର୍ଯ୍ୟ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।
ପୂର୍ବରୁ ଦାମଙ୍କ ପୁଅ ସମ୍ବିତ, ବାପା ବିଜେପି‌ରେ ଖୁସି ନାହାନ୍ତି ବୋଲି କହିବା, ଦାମ ନିର୍ବାଚନ ସମୟରେ ପାରାଦୀପକୁ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ନ ଆସିବା, ନିଜେ ଏରସମା-ବାଲିକୁଦାରେ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ତୃତୀୟ ସ୍ଥାନରେ ରହିବା ଭଳି ଅନେକ ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାକୁ ଆସିବେଳେ ଏବେ ଏଭଳି ଢଙ୍ଗରେ ପୁଅ ସମ୍ବିତଙ୍କ ନିର୍ବାଚନ ମଣ୍ଡଳୀରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବା ପଛର ରହସ୍ୟ ଚର୍ଚ୍ଚାର ଖୋରାକ ଯୋଗାଇଛି।

ସମ୍ବନ୍ଧିତ ଖବର