ଦାମଙ୍କୁ ବହିଷ୍କାର ପରେ… : ସବୁ ନେତାଙ୍କ ତୁଣ୍ଡରେ ଲଗାମ

କିଏ ଧରିବ ପାରାଦୀପ ବିଜେଡି ମଙ୍ଗ?

ଜଗତସିଂହପୁର : ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବିଦା ହେବା ପରେ ଜଗତସିଂହପୁର ରାଜନୀତି ଏବେ ସରଗରମ। କିନ୍ତୁ ଏହି ବହିଷ୍କାର ନିଷ୍ପତ୍ତିକୁ ନେଇ ବିଜେଡି ଭିତରେ ଥିବା ଦାମଙ୍କ ସମର୍ଥକ ଅଥବା ବିରୋଧୀ ମୁହଁ ଖୋଲିବାକୁ ନାରାଜ। ଦାମଙ୍କ ବହିଷ୍କାର ନିଷ୍ପତ୍ତି ବିରୋଧରେ ପାରାଦୀପରେ ଯେଭଳି ପ୍ରତିକ୍ରିୟା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଥିଲା, ତାହା ଦେଖିବାକୁ ମିଳି ନାହିଁ। ଦାମଙ୍କ ଦୃଢ ସମର୍ଥକ ଭାବେ ବିବେଚିତ ଅଞ୍ଚଳର ଆଗଧାଡ଼ିର ବିଜେଡି ନେତାମାନେ ବି କିଛି କହିବାକୁ ରାଜି ନୁହନ୍ତି।

ଦାମଙ୍କ କଟ୍ଟର ବିରୋଧୀ ଭାବେ ପରିଚିତ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ନିଷ୍ପତ୍ତିକୁ ସ୍ୱାଗତ କରି ବିବୃତି ଦେଇଛନ୍ତି। କିନ୍ତୁ ଏ ସଂପର୍କରେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଅଥବା ଦାମଙ୍କ ସପକ୍ଷବାଦୀ ନେତା ବୋଲି କୁହାଯାଉଥିବା ସାଂସଦ ଡାକ୍ତର କୁଳମଣି ସାମଲ, ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଏ ସଂପର୍କରେ ଏଯାଏ ମୁହଁ ଖୋଲୁ ନାହାନ୍ତି।

ଦାମଙ୍କ ଏକାନ୍ତ ଅନୁଗତ ମାନଙ୍କ ନିରବତା ଅନେକଙ୍କୁ ଚକିତ କରିଛି। ପାରାଦୀପ ପୌରପାଳିକା ଅଧ୍ୟକ୍ଷ ତଥା ନଗର ବିଜେଡି ସମ୍ପାଦକ ବସନ୍ତ ବିଶ୍ୱାଳ ଓ ସଭାପତି ସୁମନ୍ତ ବିଶ୍ୱାଳ ଦାମଙ୍କ ଅନୁଗତ ଭାବେ ଜଣାଶୁଣା। କିନ୍ତୁ ଦାମଙ୍କୁ ବହିଷ୍କାର ପ୍ରସଙ୍ଗରେ ସେମାନେ ବି କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

ଅନ୍ୟପକ୍ଷରେ ଏରସମା ଅଞ୍ଚଳର ତୃଣମୂଳ ସ୍ତରର କର୍ମୀ ଦାମଙ୍କ ସପକ୍ଷରେ ମୁହଁ ଖୋଲୁଥିବା ଦେଖିବାକୁ ମିଳୁଛି। ବିଜେଡି ନୁହେଁ ସେ ଦାମ ବାବୁଙ୍କ ସହ ରହିବେ ବୋଲି କହିଛନ୍ତି ଏରସମାର ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ। ସେହିଭଳି ପୂର୍ବତନ ସରପଞ୍ଚ ସଂଜୟ ମହାନ୍ତି କହିଛନ୍ତି ଯେ ଦାମବାବୁଙ୍କ ପ୍ରତି ଅନ୍ୟାୟ ହୋଇଛି। ଏଭଳି ନିଷ୍ପତ୍ତି ବିଜେଡିକୁ ଦୁର୍ବଳ କରିବ। ସ୍ଥାନୀୟ ଅଞ୍ଚଳର କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ପାଲା ଗାୟକ ଜଗନ୍ନାଥ ବେହେରା କହିଛନ୍ତି ଯେ ଦାମଙ୍କୁ ବହିଷ୍କାର ନିଷ୍ପତ୍ତି ଆଦୌ ଠିକ୍‌ ହୋଇନାହିଁ। ଜପା ଅଞ୍ଚଳର ସରପଞ୍ଚ ତପନ କୁମାର ଗୋଚ୍ଛାୟତ ମଧ୍ୟ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ଦାମଙ୍କ ବହିଷ୍କାର ପରେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡିର ମଙ୍ଗ କିଏ ଧରିବେ, ତାହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଦାମଙ୍କୁ ବହିଷ୍କାର କରାଯିବା ପୂର୍ବରୁ ବିଜେଡି ତାଙ୍କ ପୁଅ ସମ୍ବିତ ରାଉତଙ୍କୁ ଆଗକୁ ବଢିବାର ସୁଯୋଗ ଦେବ ବୋଲି ଆଶା କରାଯାଉଥିଲା। ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ପାରାଦୀପ ଆସିବାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ସେହିଭଳି ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ ଦୀର୍ଘ ଦିନରୁ ନିଜର ରାଜନୈିତିକ କାର୍ଯ୍ୟକଳାପ ଜାରି ରଖିଥିବା ବେଳେ ଦାମଙ୍କ ପରେ ସେ ସ୍ଥାନୀୟ ଅଞ୍ଚଳରୁ ପ୍ରମୁଖ ଦାବିଦାର ଭାବେ ମୁଣ୍ଡ ଟେକୁଛନ୍ତି। ପାରାଦୀପ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଦାମଙ୍କ ଏକାନ୍ତ ଅନୁଗତ ବୋଲି କୁହାଯାଉଥିବା ବେଳେ ସେ ଯେଭଳି ଚୁପ୍‌ ରହୁଛନ୍ତି, ସେଥିରେ ସେ ହୁଏତ ସୁଯୋଗ ଅପେକ୍ଷାରେ ଅଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର