କ୍ରୋଧ ସମ୍ବରଣ କର: ବ୍ରାହ୍ମଣ ସମାଜକୁ ଦାମଙ୍କ ନିବେଦନ

ଭୁବନେଶ୍ୱର : ମାଲକାନଗିରିର ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ଉତ୍ସବରେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ବ୍ରାହ୍ମଣଙ୍କ ସଂପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ଝଡ଼ ଥମିବାର ନାଁ ଧରୁନି। ଏପଟେ କୃଷି ମନ୍ତ୍ରୀ ଡାକ୍ତର ରାଉତ ଆଉ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବ୍ରାହ୍ମଣ ସମାଜକୁ କ୍ରୋଧ ସମ୍ବରଣ ଲାଗି ନିବେଦନ କରିଛନ୍ତି। ଅଭିଯୋଗ ଆଣିଛନ୍ତି, କେହି ଜଣେ ଉଦ୍ଦେଶ୍ୟମୂଳକ ସମ୍ବାଦ ପରିବେଷଣ କରି ତାଙ୍କୁ ସମ୍ମାନସ୍ପଦ ବ୍ରାହ୍ମଣ ସମାଜର କ୍ରୋଧର ଶରବ୍ୟ କରିବାକୁ ଚାହିଁଥାଇପାରନ୍ତି। ତାଙ୍କୁ ଆଶୀର୍ବାଦ ଦେବା ପରିବର୍ତେ ଏହାକୁ ଆଧାର କରି ଅଭିଶାପ ଦେବା ଉଚିତ୍‌ ହେବ କି ନାହିଁ, ବ୍ରାହ୍ମଣମାନେ ବିଚାର କରିବେ ବୋଲି କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରାହ୍ମଣ ସମାଜ ତାଙ୍କ ବିରୋଧରେ କରୁଥିବା ଆନ୍ଦୋଳନ ଦୁଃଖ ଓ ପରିତାପର ବିଷୟ। ଆମର ଧର୍ମ ଓ ପରମ୍ପରାରେ ବ୍ରାହ୍ମଣଙ୍କୁ ଶ୍ରେଷ୍ଠତ୍ୱ ଦିଆଯାଇଛି। ସେମାନଙ୍କ ଆଶୀର୍ବାଦ ଲାଭ କଲେ ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି। ଯେ କୌଣସି ଶୁଭକର୍ମରେ ବ୍ରାହ୍ମଣଙ୍କୁ ପୌରୋହିତ୍ୟ କରିବାକୁ ଅନୁରୋଧ କରାଯାଇଥାଏ। ଏହି ପରମ୍ପରାରୁ ସେ ଅଲଗା ନୁହଁନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି। ମାଲ୍ୟବନ୍ତ ଉତ୍ସବରେ ସେ ରଖିଥିବା ମନ୍ତବ୍ୟ ସଂପର୍କରେ ଗତକାଲି ଯାହା କହିଥିଲେ ଆଜି ତାକୁ ପୁଣି ଦୋହରାଇବା ସହିତ ମନ୍ତ୍ରୀ କହିଛନ୍ତି, ଆମର ବୃତ୍ତିକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଯୋଡି ବାରମାସରେ ତେର ପର୍ବ ପାଳନ କରାଯାଉଛି। ସେଥିପାଇଁ କୃଷି ହେଉଛି ଆମର ବୃତ୍ତି ଓ ଜଗନ୍ନାଥ ସଂସ୍କୃତି ହେଉଛି, ଓଡ଼ିଶା ଜାତିର ସଂସ୍କୃତି। ଏହି ସଂସ୍କୃତିକୁ ଗଢିବା ଓ ଚଳାଇବାରେ ବ୍ରାହ୍ମଣ ସମାଜ ଆଗରେ। ଲୋକସଂଖ୍ୟାରେ ମାତ୍ର ୭ ବ୍ରାହ୍ମଣ ହୋଇଥିଲେ ହେଁ ସେମାନେ ହିଁ ଆମ ସଂସ୍କୃତି ଓ ପରମ୍ପରାକୁ ନିୟନ୍ତ୍ରଣ କରିଥାନ୍ତି। ସେମାନଙ୍କ ପ୍ରତି ତୁଚ୍ଛତାତ୍ସଲ୍ୟ କରିବା କିମ୍ବା ସେମାନେ ଅପମାନିତ ହେଲାଭଳି ବକ୍ତବ୍ୟ ରଖିବା ବାଲ୍ୟଶିକ୍ଷାରୁ ବାରଣ କରାଯାଇଛି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି। ଏଠାରେ ଉଲ୍ଲେଖଥାଉକି, ମନ୍ତ୍ରୀ ନିଜ ପ୍ରତିକ୍ରିୟାକୁ ସୋସିଆଲ ମିଡିଆରେ ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର