ବାଣ ମାରିଲେ ଦାମ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ସବୁ ବିଧିବିଧାନ ଓ ପରମ୍ପରାକୁ ଭୁଲି ଏବେ ଶାସନ କରୁଛନ୍ତି। ମୋଦିଙ୍କର ଗୋଟିଏ ଲକ୍ଷ୍ୟ ଦେଶର ସମସ୍ତ ରାଜ୍ୟରେ ବିଜେପିକୁ କ୍ଷମତାକୁ ଆଣିବେ ଓ ମନଇଚ୍ଛା ଶାସନ କରିବେ। ହେଲେ ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କେତେ ପରିମାଣରେ ରକ୍ଷା କରିଛନ୍ତି, ସେକଥା ଖୋଦ୍‌ ପ୍ରଧାନମନ୍ତ୍ରୀ ଓ ରାଜ୍ୟର ବିଜେପି ନେତାମାନେ ଜବାବ ଦିଅନ୍ତୁ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାର ୨୪ ଘଣ୍ଟା ପୂରିନି, ଆଜି ଏମିତି ଢଙ୍ଗରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଡାକ୍ତର ଦାମୋଦର ରାଉତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଣ ମାରିଛନ୍ତି। ଓଡ଼ିଶା ସହିତ ବିଜେପି ଶାସିତ ୪ଟି ରାଜ୍ୟ ରାଜସ୍ଥାନ, ଗୁଜୁରାଟ, ଛତିଶଗଡ଼, ମଧ୍ୟପ୍ରଦେଶର ବିକାଶର ୮ଟି ଦିଗର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ଓ ବିଜେପି ଉଦ୍ଦେଶ୍ୟରେ ଡାକ୍ତର ରାଉତ ୯ଟି ପ୍ରଶ୍ନ ଉଠାଇଛନ୍ତି।

ଜବାବ ମାଗିଛନ୍ତି ଯେ ପ୍ରତିବର୍ଷ ୨ କୋଟି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ଲାଗି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ, କେତେ ନିଯୁକ୍ତି ଦେଇଛନ୍ତି କୁହନ୍ତୁ? ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ କରିବା ପାଇଁ କହି କେତେ ଦେଇଛନ୍ତି? ୧୦୦ ଦିନ ମଧ୍ୟରେ ସବୁ କଳାଧନ ଜବତ କରି ପ୍ରତି ପରିବାରକୁ ୧୫ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତିର କେତେ ପାଳନ ହୋଇଛି? ପ୍ରଧାନମନ୍ତ୍ରୀ ହେବାଠାରୁ ମୋଦି ୧୩୪ଟି ରାଷ୍ଟ୍ର ବୁଲିଲେଣି। ରାଜକୋଷରୁ ଏଥିପାଇଁ କେତେ ଟଙ୍କା ବ୍ୟୟ ହୋଇଛି, ଭାରତକୁ କେତେ ପୁଞ୍ଜି ଆସିଛି? ପ୍ରଧାନମନ୍ତ୍ରୀ ପ୍ରତିଦିନ ଯେଉଁ ପୋଷାକ ଓ ଜୋତା ପିନ୍ଧୁଛନ୍ତି, ତାର ମୂଲ୍ୟ ୧ଲକ୍ଷ ୧୫ ହଜାର ଟଙ୍କା। ଏ ଅର୍ଥ ସେ କେଉଁଠୁ ପାଉଛନ୍ତି?

ବିଜେପି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ଓ ରାଜ୍ୟ ସରକାରଙ୍କର ଏଭଳି ଆକ୍ରମଣାତ୍ମକ ଅଭିଯାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। କେବଳ ସେତିକି ନୁହେଁ, ଆସନ୍ତାଦିନରେ ବିଜେପି ଓ କଂଗ୍ରେସ ଠାରୁ ନିଜକୁ ଦୂରେଇ ରଖି ତୃତୀୟ ସାମ୍ମୁଖ୍ୟ ଗଠନ ପ୍ରକ୍ରିୟାରେ ସାମିଲ ଲାଗି ବିଜେଡି ଯୋଜନା କରୁଥାଇପାରେ ବୋଲି ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। କାରଣ ଗତ ୧୭ ବର୍ଷ ଭିତରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଅନେକ ଥଣ୍ଡା-ଗରମ ଘଟଣା ଘଟିଥିଲେ ବି ବିଜେଡି କେବେ ବି ଏଭଳି ଶାଣିତ ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ଲାଗି ଆଗ୍ରହ ଦେଖାଇନଥିଲା। ଏପରିକି ସିପିଏମ୍‌ ଠାରୁ ଆରମ୍ଭ କରି ଅତୀତରେ ବହୁ ରାଜନୈତିକ ଦଳ କେନ୍ଦ୍ର ବିରୋଧରେ ଉସୁକାଇଥିଲେ ବି ନବୀନ ନିରବ ରହିଆସୁଥିଲେ। ତେବେ ଆଗକୁ ନିର୍ବାଚନ ଥିବା ବେଳେ ବିଜେଡି ଆଭିମୁଖ୍ୟରେ ଏଭଳି ପରିବର୍ତନକୁ ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ଆଦୌ ଅଣଦେଖା କରାଯାଇପାରିବ ନାହିଁ।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ରାଉତ କହିଥିଲେ, କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ହେଲା ଦିନଠାରୁ ଆଜି ପର୍ଯ୍ୟନ୍ତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ବିଜେପି ନେତାମାନେ ନବୀନ ପଟ୍ଟନାୟକ ସରକାର କିଛି କରିନାହାନ୍ତି ବୋଲି ଅଭିଯୋଗ କରିଆସୁଛନ୍ତି। ଓଡ଼ିଶାରେ ଆଦୌ ବିକାଶ ହୋଇନାହିଁ, କେନ୍ଦ୍ର ଦେଉଥିବା ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି ଆଦି ଅସତ୍ୟ ଅପବାଦ ପ୍ରଚାରର ଢେଉ ସୃଷ୍ଟି କରୁଛନ୍ତି। ହେଲେ ସେମାନେ ଭୁଲି ଯାଉଛନ୍ତି ଯେ ବିଜେଡି ଏକ ଆଞ୍ଚଳିକ ଦଳ ଓ ଏହି ଦଳ ଗଠନର ମୂଳ ଭିତ୍ତିଭୂମି ହେଲା ଓଡ଼ିଶା ଜାତିର ସ୍ୱାଭିମାନ ଓ ସ୍ୱାର୍ଥର ସୁରକ୍ଷା କରିବା।

ଡାକ୍ତର ରାଉତ କହିଥିଲେ, ବିଜୁ ଜନତା ଦଳର ରାଷ୍ଟ୍ର ଦଖଲ କରିବାର ଅଭିପ୍‌ସା ନାହିଁ। କିନ୍ତୁ କେନ୍ଦ୍ରରେ ଯେଉଁମାନେ ଶାସନରେ ରହୁଛନ୍ତି, ସେ କଂଗ୍ରେସ ହେଉ କି ବିଜେପି, ଏମାନଙ୍କର ମୁଖ୍ୟମାନେ ଓଡ଼ିଶା ଦଖଲ କରିବା ପାଇଁ ବ୍ୟସ୍ତ ବିଧୁର ହୋଇପଡୁଛନ୍ତି। ସଂଘୀୟ ବ୍ୟବସ୍ଥାରେ ସବୁ ରାଜ୍ୟର ସମବିକାଶ ପାଇଁ ଯେଉଁ ନୀତି ନିର୍ଦେଶ ରହିଛି, ସେ ଆଧାରରେ ଗଣତାନ୍ତ୍ରିକ ବିଧିବିଧାନ ଓ ପରମ୍ପରା ରହିଛି, ତାକୁ ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିଲା ପରେ ଭୁଲିଯାଇଛନ୍ତି।

ଡାକ୍ତର ରାଉତ ପରିସଂଖ୍ୟାନ ଦେଇ କହିଥିଲେ, ଓଡ଼ିଶା, ରାଜସ୍ଥାନ, ଗୁଜୁରାଟ, ଛତିଶଗ଼ଡ଼ ଓ ଝାଡ଼ଖଣ୍ଡ ଏଭଳି ୫ଟି ରାଜ୍ୟର ବିକାଶର ଗତି କଣ ତାହା ତାହା ଜଳ ଜଳ ହୋଇ ଦିଶୁଛି। ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ବିତର୍କ ପାଇଁ ଆହ୍ଵାନ ଦେଉଥିବା ବିଜେପି ନେତାମାନେ ପ୍ରଥମେ ଏ ନେଇ ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଥିଲେ।

ଡାକ୍ତର ରାଉତ ପଚାରିଥିଲେ ଯେ ବିମୁଦ୍ରାକରଣ ଘୋଷଣା ପୂର୍ବରୁ ନୂଆ ନୋଟ୍‌ ଛପା ହୋଇଥିଲା। ସେଥିରେ ରିଜର୍ଭ ବ୍ୟାଙ୍କର କେଉଁ ଗଭର୍ଣ୍ଣର ଦସ୍ତଖତ କରିଥିଲେ? ନୋଟ୍‌ ଛପା ହେଲା ବେଳେ ତତ୍କାଳୀନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଦସ୍ତଖତ ନ ରହି ଆଗକୁ ସ୍ଥିରୀକୃତ ଗଭର୍ଣ୍ଣରଙ୍କ ଦସ୍ତଖତ ରହିଲା କେଉଁ ନ୍ୟାୟରେ? ସର୍ବୋପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପୁଅର କାରବାର ୧୬ହଜାର ଗୁଣ କିଭଳି ବଢିଲା, ସେ ନେଇ ଜବାବ ମାଗିଥିଲେ ଦାମ।

ସମ୍ବନ୍ଧିତ ଖବର