ପୁଣି ବୁଲିଲା ଦାମଙ୍କ ତୁଣ୍ଡ : ‘ତିର୍ତ୍ତୋଲରେ ବିଜୟଶଙ୍କରଙ୍କୁ ଭୋଟ୍‌ ଦେବାକୁ କହିବି’

ଜଗତସିଂହପୁର : ବିଜେଡିରୁ ବହିଷ୍କାର ହେବା ପରେ ବିଜେପିରେ ସାମିଲ ହୋଇଥିବା ଏବଂ ପରେ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତ ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ। କିନ୍ତୁ ପ୍ରଚାର କରିବେ ବିଜେଡି ପ୍ରାର୍ଥୀ ତଥା ଏକଦା ତାଙ୍କର କଟ୍ଟର ବିରୋଧୀ ଭାବେ ଜଣାଶୁଣା ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କର ଦାସଙ୍କ ସପକ୍ଷରେ। ଭୁବନେଶ୍ବରରେ ଦାମଙ୍କ ଏଭଳି ଘୋଷଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଦାମ ଅବଶ୍ୟ ସିଧାସଳଖ କୌଣସି ନିର୍ବାଚନ କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ। କିନ୍ତୁ ତିର୍ତ୍ତୋଲସ୍ଥିତ ନିଜ ଘରେ ରହି ସେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ଭୋଟ୍ ଦେବାକୁ ସମସ୍ତଙ୍କୁ ନିବେଦନ କରିବେ ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି।

ଦାମଙ୍କ କହିବା ଅନୁଯାୟୀ, ତାଙ୍କ ଘରେ ଏରସମାରେ ହୋଇଥିଲେ ମଧ୍ୟ ସେ ତିର୍ତ୍ତୋଲରେ ଅଧିକାଂଶ ସମୟ ବିତାଇ ଥାଆନ୍ତି। ବର୍ତ୍ତମାନ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ସେଠାରେ ତିର୍ତ୍ତୋଲରେ ପ୍ରଚାରକୁ ଜୋର୍‌ଦାର୍‌ କରିଥିଲେ ବି ତାଙ୍କୁ କିନ୍ତୁ ଅଧିକାଂଶ ଲୋକ ଜାଣନ୍ତି। ଏମିତିକି ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କରଙ୍କ ଅପେକ୍ଷା ତାଙ୍କୁ ଅଧିକ ଲୋକ ଜାଣନ୍ତି। ଏଣୁ ଆସନ୍ତାକାଲି ସେ ତିର୍ତ୍ତୋଲସ୍ଥିତ ତାଙ୍କ ବାସଭବନକୁ ଗଲେ, ନିଶ୍ଚିତ ଲୋକ ତାଙ୍କୁ ଭେଟିବାକୁ ଆସିବେ। ଭୋଟ୍ କେଉଁଠି ଦେବୁ ବୋଲି ପଚାରିଲେ, ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ଭୋଟ୍ ଦେବାକୁ ସେ କହିବେ ବୋଲି ଦାମ କହିଛନ୍ତି।

ଦାମ ଆହୁରି ମଧ୍ୟ କହିଛନ୍ତି ଯେ, ତିର୍ତ୍ତୋଲର ବିକାଶ ପାଇଁ ବିଜେଡିକୁ ଭୋଟ୍ ଦେବା ଆବଶ୍ୟକ। ଯେଉଁ ଦଳ ରାଜ୍ୟରେ ଶାସନ କରୁଥାଏ, ଉପ ନିର୍ବାଚନରେ ତାହାର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଆବଶ୍ୟକ। ନଚେତ ନିର୍ବାଚନମଣ୍ତଳୀର ଉନ୍ନତି ହେବା ଅସମ୍ଭବ। ଏଣୁ ଭୋଟକୁ ପାଣିରେ ନ ପକାଇ ବିଜେଡିକୁ ଭୋଟ୍ ଦେବା ପାଇଁ ଦାମ କହିଛନ୍ତି। ଅନ୍ୟପଟେ ଜିଲ୍ଲାର କୌଣସି ବିଜେଡି ନେତା ଏ ସଂକ୍ରାନ୍ତରେ ମୁହଁ ଖୋଲିବାକୁ ମନା କରି ଦେଇଛନ୍ତି। ଦାମଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଯେ, ତାଙ୍କ ନିକଟରେ ବି ଏମିତି କୌଣସି ଖବର ନାହିଁ। ‘ ଆସନ୍ତାକାଲି ପାରାଦୀପରେ କାମ ଥିବାରୁ ବାପା ତିର୍ତ୍ତୋଲ ସ୍ଥିତ ଘରେ ରହିବେ। ସେଠାରେ ଯଦି କେହି ତାଙ୍କୁ ଭେଟନ୍ତି, ତେବେ ସେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ କହିବାରେ କୌଣସି ସମସ୍ୟା ନାହିଁ,’ ବୋଲି ସମ୍ବିତ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେଡିରୁ ବହିଷ୍କାର ହେବା ପରେ ଦାମ ବିଜେପିରେ ସାମିଲ ହୋଇଥିଲେ। ଦୀର୍ଘଦିନ ବିଜେପି ଛାଡ଼ି ସେ ପୁଣିଥରେ ବିଜେଡିକୁ ଫେରିବା ପାଇଁ ଉଦ୍ୟମ ଚଳାଇଥିବା କୁହାଯାଉଥିଲେ ବି କୌଣସି କାରଣରୁ ତାଙ୍କୁ ଏଯାଏ ବିଜେଡିରେ ପ୍ରବେଶ ଅନୁମତି ମିଳିନାହିଁ। ପୂର୍ବରୁ ଦାମ ଏକାଧିକ ଥର ବିଜେଡିକୁ ପ୍ରଶଂସା କରିଛନ୍ତି। କିନ୍ତୁ ଉପନିର୍ବାଚନ ବେଳେ ଦାମ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ କହିବା ଘଟଣା ଚର୍ଚ୍ଚାର ଖୋରାକ ଯୋଗାଇଛି।

ସମ୍ବନ୍ଧିତ ଖବର