ପାରାଦୀପ : ଦିନ ଥିଲା ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ନିର୍ଦେଶ ବିନା ପାରାଦୀପ ନିର୍ବାଚନମଣ୍ତଳୀରେ ବିଜେଡିର କୌଣସି ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ଅସମ୍ଭବ ଥିଲା। ମାତ୍ର ବିଜେଡିରୁ ବିଦା ହେବା ପରେ ଦାମଙ୍କୁ ସବୁ କାର୍ଯ୍ୟକ୍ରମରୁ ହଟାଇ ଦିଆଯାଇଛି। ଏପରିକି, ବିଜୁ ମେମୋରିଆଲ୍‌ ଟ୍ରଷ୍ଟ୍‌ର ସଭାପତି ଥିଲେ ବି ଟ୍ରଷ୍ଟ୍‌ ପକ୍ଷରୁ ଆସନ୍ତକାଲି ପାଳନ କରାଯିବାକୁ ଥିବା ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବରୁ ତାଙ୍କୁ ବାଦ୍‌ ଦଆଯାଇଛି।

Advertisment

ସୂଚନାଯୋଗ୍ୟ, ଦାମଙ୍କ ନେତୃତ୍ବରେ ଗଠନ କରାଯାଇଥିବା ବିଜୁ ମେମୋରିଆଲ ଟ୍ରଷ୍ଟ ବର୍ଷ ବର୍ଷ ଧରି ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରି ଆସୁଥିଲା। ପ୍ରତିଥର ଦାମଙ୍କ ନେତୃତ୍ବରେ ଏହା ପାଳନ କରାଯାଉଥିବା ବେଳେ ଆସନ୍ତାକାଲି ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିବ। ଦାମ ଏହି ଟ୍ରଷ୍ଟ୍‌ର ସଭାପତି ଥିଲେ ବି ତାଙ୍କୁ ଓ ତାଙ୍କ ଅନୁଗତମାନଙ୍କୁ ଏଥିରୁ ଦୂରରେ ରଖାଯାଇଛି। ପାରାଦୀପ ନଗର ବିଜେଡି ସଭାପତି ସୁମନ୍ତ ବିଶ୍ବାଳ ପ୍ରମୁଖଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଡାକ୍ତର କୁଳମଣି ସାମଲଙ୍କ ସମେତ ବହୁ ନେତା ଓ ଶିକ୍ଷାବିତ୍ ଯୋଗ ଦେଉଥିବା ବେଳେ ଖୋଦ୍‌ ସଭାପତି ଦାମଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାଯାଇ ନାହିଁ। ନିଜେ ଗଢ଼ିଥିବା ଟ୍ରଷ୍ଟ ପକ୍ଷରୁ ଅଲୋଡ଼ା ହୋଇଥିବା ବିଧାୟକ ଦାମଙ୍କ ପାଇଁ ଏହା ହଜମ କରିବା କଷ୍ଟକର ହୋଇପଡ଼ିଛି। ତେବେ, ସବୁ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରି ଆସୁଥିବା ଦାମ ଏହା ଉପରେ ଚୁପ୍‌ ରହିଥିବା ବେଳେ ପାରାଦୀପ ପାଇଁ ତାଙ୍କ ପ୍ରତିନିଧି ଥିବା ବିଶ୍ବନାଥ ବଳ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହାର ତୀବ୍ର ନିନ୍ଦା କରିଛନ୍ତି। ରାଜନୈତିକ ଉେଦ୍ଦଶ୍ୟ ରଖା ନ ଯାଇ ଏହି ଟ୍ରଷ୍ଟ ଗଠନ କରାଯାଇଥିବା ବେଳେ ବର୍ତ୍ତମାନ ଏହାର ସଦସ୍ୟମାନେ ଟ୍ରଷ୍ଟ୍‌କୁ ନିଜର ଓ ଦଳର ଫାଇଦା ପାଇଁ ବ୍ୟବହାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ବିଜୁ ବାବୁଙ୍କ ଜୟନ୍ତୀରେ ଟ୍ରଷ୍ଟର ସଭାପତି ଡାକ୍ତରର ରାଉତଙ୍କୁ ଡକାଯାଇ ନ ଥିବା ବେଳେ ଭୋଟ୍ ରାଜନୀତି ପାଇଁ ଆସନ୍ତାକାଲି ଏକ ଯୁବ ସମାବେଶର ଆୟୋଜନ କରାଯାଉଛି। ଏହା ଦ୍ବାରା ଏହି ପବିତ୍ର ଅନୁଷ୍ଠାନର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି ବୋଲି ‌ଶ୍ରୀ ବଳ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପାରାଦୀପ ନଗର ବିଜେଡି ସଭାପତି ଶ୍ରୀ ବିଶ୍ବାଳ କହିଛନ୍ତି ଯେ, ଏହା ଟ୍ରଷ୍ଟ୍‌ର ନିଜସ୍ବ ବ୍ୟାପାର। ଟ୍ରଷ୍ଟର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସଂପୃକ୍ତ ରହୁଥିବା ସଦସ୍ୟମାନଙ୍କ ନିଷ୍ପତ୍ତି ଅନୁଯାୟୀ ଅତିଥି ଚୟନ କରାଯାଇଛି ବୋଲି ସେ କହିଛନ୍ତି।