ପୁଅ ବିଜେପିକୁ ଯିବାକୁ ମନା କଲେ, ଝିଅ ବିଜେଡିରୁ ଇସ୍ତଫା ଦେଲେ । ପୁଅ ଓ ଝିଅଙ୍କୁ ନେଇ ବଡ ବୟାନ ଦେଲେ ଦାମୋଦର ରାଉତ

ଭୁବନେଶ୍ୱର: ବାପା ବିଜେପିରେ, ପୁଅ ବିଜେଡିରେ । ଏପରିକି ପୁଅକୁ ବିଜେପିକୁ ଆସିବା ପାଇଁ କହିଥିଲେ ମଧ୍ୟ ଶୁଣିଲେନି ପୁଅ । କୁହାଯାଏ ରାଜନୀତିରେ ସର୍ମ୍ପକର ମୂଲ୍ୟ କିଛି ନଥାଏ । ଆଉ ଏହାର ଝଲକ ବିଜେପି ନେତା ଦାମୋଦର ରାଉତଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ନିଜ ପୁଅ ସମ୍ବିତ ରାଉତରାୟଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଦାମ । ଯାହା ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ବିଜେପିରୁ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦ୍ୱୀପରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ ଦାମୋଦର ରାଉତ । ଗଣମାଧ୍ୟମ ସାମ୍ନାରେ ଏକଥା ଦାମ ନିଜେ କହିଛନ୍ତି । ପୁଅକୁ ପାରାଦ୍ୱୀପରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ ମଧ୍ୟ ବାପାଙ୍କ ପ୍ରସ୍ତାବରେ ରାଜି ହୋଇନଥିଲେ ସମ୍ବିତ । ପୁଅ ଶିକ୍ଷିତ ପିଲା, ବୟସ ୪୫ ହେଲାଣି । ମୁଁ କଣ ତା ସହ ସଂଘର୍ଷ କରିବି । ନିଜ ଭବିଷ୍ୟତ ଏଣିକି ନିଜେ ସ୍ଥିର କରିବେ ମୋର କଣ କହିବାର ଅଛି ବୋଲି କହିଛନ୍ତିି ଦାମ । ଆଉ ଏଭଳି କହି ପୁଅ ସମ୍ବିତକୁ ତେରଛା ବାଣ ମାରିଛନ୍ତି ଦାମ ।

ଗୋଟିଏ ପଟେ ପୁଅ ମୋ କଥା ରଖିବାକୁ ମନା କରିଥିବା ବେଳେ ଝିଅ କିନ୍ତୁ ମୋ ପାଇଁ ଦଳରୁ ଇସ୍ତଫା ଦେଇଛି ବୋଲି କହିଛନ୍ତି ଦାମ । ଏପରିକି ସର୍ଭେ ରିପୋର୍ଟରେ ମୋ ଝିଅ ଏକ ନମ୍ବରରେ ଅଛି, ନବୀନ ବାବୁଙ୍କୁ ଦେଖା କଲେ ମୋ ଝିଅକୁ ପ୍ରାର୍ଥୀ କରାଯିବ ବୋଲି କହିଥିଲେ । କିନ୍ତୁ ମୋତେ ଅପମାନ ଦେଇ ଦଳରୁ ବିଦା କରାଯାଇଥିବାରୁ ମୋ ଝିଅ ପ୍ରାର୍ଥୀ ହେବାକୁ ମନା କରିବା ସହ ଦଳରୁ ଇସ୍ତଫା ଦେଇଥିଲେ । ଦାମ ରାଉତଙ୍କ ଏହି ବୟାନ ଏବେ ରାଜନୈତିକ ତାତି ବଢାଇଥିବା ବେଳେ ଏହା ମଧ୍ୟ ଦର୍ଶାଇ ଦେଇଛି ଯେ, ରାଜନୀତିରେ ସର୍ମ୍ପକର ମୂଲ୍ୟ କିଛି ନଥାଏ । ପାରାଦ୍ୱୀପ ପାଇଁ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ । ତେଣୁ ବିଜେଡି ଟିକେଟ ଆଶାରେ ପୁଅ ସମ୍ବିତ ରାଉତରାୟ ହୁଏତ ବାପାଙ୍କ ଅଫରକୁ ପ୍ରତ୍ୟାଖାନ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର