ଦାମଙ୍କୁ ନେଇ ଦ୍ବନ୍ଦ୍ବ : ଏରସମାରେ ବିଜେପି ସହଯୋଗ ମିଳିବ ତ?

ଗୁପ୍ତରେ କର୍ମୀମାନଙ୍କ ସହ ରଘୁନନ୍ଦନଙ୍କ ବୈଠକ

ଜଗତସିଂହପୁର : ଡା.ଦାମୋଦର ରାଉତ ପଦ୍ମ ଧରିବା ପରେ ଏରସମା-ବାଲିକୁଦାରୁ ନିର୍ବାଚନ ଲଢ଼ିବା ପାଇଁ ସଙ୍କେତ ଦେଇଛନ୍ତି। ଫଳରେ ଏହି ନିର୍ବାଚନମଣ୍ଡଳୀରେ ବିଜେପିକୁ ସଂଗଠିତ କରି ପ୍ରାର୍ଥୀ ହେବାପାଇଁ ସ୍ୱପ୍ନ ଦେଖୁଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଘୁନନ୍ଦନ ଦାସଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ରଘୁନନ୍ଦନ ଦଳୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦାମଙ୍କୁ ସହଯୋଗ କରିବେ ନା ବିଦ୍ରୋହ କରିବେ, ତାହା ବର୍ତ୍ତମାନ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଏହି ସମୟରେ ଗତକାଲି ସନ୍ଧ୍ୟାରେ ବିଜେପିର କିଛି ତୁଙ୍ଗ କର୍ମୀମାନଙ୍କୁ ଏକାଠି କରି ରଘୁନନ୍ଦନ କରିଥିବା ଗୁପ୍ତ ବୈଠକକୁ ନେଇ ଆଜି ଜୋରଦାର ଚର୍ଚ୍ଚା ହୋଇଛି।

୧୯୭୭ରେ ପ୍ରଥମେ ଦାମ ଜନତା ଦଳରୁ ଏରସମାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ୧୯୮୦ରେ ଜନତା ପାର୍ଟି(ଏସ୍) ଓ ୧୯୯୦,୨୦୦୦ରେ ଜନତା ଦଳରୁ ବିଧାୟକ ଭାବେ ଦାମ ନିର୍ବାଚିତ ହୋଇଥିଲେ। ୨୦୦୯ରେ ନୂତନ ଭାବେ ଗଠନ ହୋଇଥିବା ପାରାଦୀପ ନିର୍ବାଚନ ମଣ୍ଡଳରରେ କ୍ରମାଗତ ଭାବେ ସେ ଜିତି ଆସିଛନ୍ତି। ବର୍ତ୍ତମାନ ଏହି ନେତା ପାରାଦୀପକୁ ଛାଡ଼ି ପୁଣି ନିଜ ପୁରୁଣା ଅଞ୍ଚଳକୁ ଯିବା ପାଇଁ ସ୍ଥିର କରିଛନ୍ତି। ପାଞ୍ଚ ବର୍ଷରେ ବର୍ତ୍ତମାନ କର୍ମୀ ନେତାମାନଙ୍କୁ ଭୁଲି ଯାଇଥିବାବେଳେ ଦୀର୍ଘ ବର୍ଷର ବ୍ୟବଧାନ ପରେ ଏରସମା ଯିବା ପାଇଁ ନିଷ୍ପତ୍ତି ନେଇଥିବା ଦାମ କେତେ ଦୂର ସଫଳ ହେବେ, ଏ ନେଇ ତର୍ଜମା ଆରମ୍ଭ ହୋଇଛି।

ଅନ୍ୟପଟେ ୨୦୧୪ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ୩୨ ହଜାରରୁ ଅଧିକ ଭୋଟ୍ ପାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରଘୁନନ୍ଦନ। ପରେ ବିଜେପି ସହ ସାମିଲ ହୋଇ ସେ ନିର୍ବାଚନମଣ୍ଡଳୀରେ ଦଳକୁ ସଂଗଠିତ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଥିଲେ। ମାତ୍ର ଠିକ୍ ଏହି ସମୟରେ ଦାମ ବିଜେପିକୁ ଆସିବା ପରେ ରଘୁନନ୍ଦନଙ୍କ ସବୁ ଗଣିତ ଭୁଲ୍ ହୋଇଯାଇଛି। ଏଣୁ ଆସନ୍ତା ନିର୍ବାଚନରେ ରଘୁନନ୍ଦନଙ୍କର ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି। ଗତକାଲି ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟରେ କିଛି କର୍ମୀ ତଥା ମଣ୍ଡଳ ସଭାପତିଙ୍କୁ ଏକାଠି କରି ରଘୁନନ୍ଦନ ଏକ ବୈଠକ କରିଥିଲେ। ଯେଉଁଥିରେ ଆସନ୍ତା ସାଧାରଣ ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଥିଲା। ଦଳରୁ ଟିକଟ ପାଉଥିବା ପ୍ରାର୍ଥୀଙ୍କୁ ସହଯୋଗ କରିବା ପାଇଁ କୁଆଡ଼େ ଉକ୍ତ ବୈଠକରେ ନିଷ୍ପତ୍ତି ହୋଇଥିବା ଶୁଣିବାକୁ ମିଳୁଛି। ମାତ୍ର ଏହି ନିଷ୍ପତ୍ତିକୁ ଏରସମାର ପୁରୁଣା ବିଜେପି କର୍ମୀମାନେ ଶେଷ ପର୍ଯ୍ୟନ୍ତ ମାନିବେ ନା ଦଳ ବିରୋଧରେ ବିଦ୍ରୋହ କରିବେ, ଏହା ଖୁବ୍‌ଶୀଘ୍ର ଜଣାପଡ଼ିଯିବ।

ସମ୍ବନ୍ଧିତ ଖବର