କଟକ/ଡମପଡ଼ା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଙ୍କୀ-ଡମପଡ଼ା ବ୍ଲକ୍ରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଟକ ଓ କେନ୍ଦ୍ରାପଡ଼ାରେ ଥିବା ତାଙ୍କର ବାସଭବନ ଓ ବ୍ଲକ୍ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଚଢଉ ପରେ ୨ କୋଟି ୭୬ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ରେକର୍ଡଭୁକ୍ତ କରାଯାଇଛି। ତଦନ୍ତ ଜାରି ରହିଥିବାରୁ ଆସନ୍ତାକାଲି ସମ୍ପତ୍ତି ପରିମାଣ ବୃଦ୍ଧିପାଇବ ବୋଲି ଭିଜିଲାନ୍ସ ପକ୍ଷରୁ ଅନୁମାନ କରାଯାଇଛି।
ସୂଚନା ଅନୁସାରେ, କଟକ ଓ କେନ୍ଦ୍ରାପଡ଼ାର ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢଉ କରାଯାଇଥିଲା। ଚଢ଼ଉରେ ୪ ଜଣ ଡିଏସ୍ପି ୪ଟି ଟିମ୍ର ନେତୃତ୍ବ ନେଇଥିଲେ। ମୋଟ୍ ୧୦ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଏଥିରେ ସାମିଲ ଥିଲେ। ବାରଙ୍ଗ ଥାନା ଅନ୍ତର୍ଗତ କୁହ୍ନେଇପଡ଼ାସ୍ଥିତ ତିନି ମହଲା ଘର, ଚୌଦ୍ବାର ହାଉସିଂବୋର୍ଡ କଲୋନିସ୍ଥିତ ସମ୍ପର୍କୀୟଙ୍କ ଘର, ରାଜକନିକା ଥାନା ଅନ୍ତର୍ଗତ ପୈତୃକ ଘର, ଡମପଡ଼ାସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଚଢଉ କରାଯାଇଥିଲା। ଚଢଉ ପରେ କୁହ୍ନେଇପଡ଼ାସ୍ଥିତ ଘରର ମୂଲ୍ୟ ପାଖାପାଖି ୧କୋଟି ୨୫ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଭିଜିଲାନ୍ସର ଟେକ୍ନିକାଲ ୱିଙ୍ଗ୍ ପକ୍ଷରୁ ଏହି ଘରର ମୂଲ୍ୟ ଅଧିକ ହେବ ବୋଲି ସୂଚନା ଦିଆଯାଇଛି। ଯାଞ୍ଚ ସମୟରେ ଯନ୍ତ୍ରୀଙ୍କର ୪ଟି ପ୍ଲଟ୍କୁ ଠାବ କରାଯାଇଛି। ସେଥିମଧ୍ୟରୁ ଭୁବନେଶ୍ବରର ପ୍ରମୁଖ ସ୍ଥାନମାନଙ୍କରେ ୩ଟି ଏବଂ କେନ୍ଦ୍ରାପଡ଼ାରେ ଗୋଟିଏ ପ୍ଲଟ୍ ରହିଛି। କବଲାରୁ ମିଳିଥିବା ତଥ୍ୟ ଅନୁଯାୟୀ ଉକ୍ତ ପ୍ଲଟ ଗୁଡ଼ିକର ମୂଲ୍ୟ ୨୯ ଲକ୍ଷ ଟଙ୍କା ଦର୍ଶାଯାଇଛି। କିନ୍ତୁ ପ୍ରକୃତ ମୂଲ୍ୟ ଏହାଠୁ ଢେର ଅଧିକ ଥିବା ଭିଜିଲାନ୍ସ ଟିମ୍ ଅନୁମାନ କରୁଛି।
ଏହାଉପରେ ଅଧିକ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଜଣାଇଛି। ଏହାବ୍ୟତୀତ ୭୦.୩୧ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମାରାଶି, ୨୮.୨୩ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର, ୧୧.୧୭ ଲକ୍ଷ ଟଙ୍କାର ଏକ ଚାରିଚକିଆ ଗାଡ଼ି, ଦୁଇଟି ବାଇକ୍, ନଗଦ ଟଙ୍କା ଓ ଘରୋଇ ଆସବାବପତ୍ରକୁ ମିଶାଇ ପାଖାପାଖି ୧୩ଲକ୍ଷ ଟଙ୍କାର ସମ୍ପତ୍ତିକୁ ଭିଜିଲାନ୍ସ ରେକର୍ଡଭୁକ୍ତ କରିଛି। ସହକାରୀ ଯନ୍ତ୍ରୀ ଶ୍ରୀ ରାଉତଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/damapada-v.jpg)