ଜଳଭଣ୍ଡାରରେ ଲଗାଣ ବର୍ଷାର ଚାପ

ଜଲାପୁଟ, ମାଛକୁଣ୍ତର ୯ଟି ଗେଟ୍ ଖୋଲିଲା
ଇନ୍ଦ୍ରାବତୀରେ ଖୋଲିଲା ୪ଟି ଗେଟ୍‌
ନୂଆପଡ଼ା ଅପରଜୋଙ୍କ ଡ୍ୟାମ୍‌ରୁ ୨ ଗେଟ୍‌ ଖୋଲିଲା
କୋରାପୁଟ ଜିଲ୍ଲାରେ ବନ୍ୟା ଆଶଙ୍କା

କୋରାପୁଟ/ଲମତାପୁଟ/ନୂଆପଡ଼‌ା : କୋରାପୁଟ ଜିଲ୍ଲାର ବିଭିନ୍ନ ଜଳଭଣ୍ଡାର ଉପରେ ଲଗାଣ ବର୍ଷାର ଚାପ ପଡ଼ିଛି। ମାଛକୁଣ୍ଡ ବିଦ୍ୟୁତ୍‌ ପ୍ରକଳ୍ପର ମୁଖ୍ୟ ଜଳଭଣ୍ତାର ଜଲାପୁଟ ଓ ମାଛକୁଣ୍ତ ଜଳଭଣ୍ତାରରେ ଜଳସ୍ତର ବଢିବାରେ ଲାଗିଛି। ବିପଦକୁ ଆଖି ଆଗରେ ରଖି ଦୁଇଟି ଜଳଭଣ୍ତାରର ୯ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ସେହିଭଳି, ଇନ୍ଦ୍ରାବତୀ ଜଳଭଣ୍ଡାରର ୪ଟି ଗେଟ୍‌ ଖୋଲା ଯାଇଛି। ଫଳରେ, ଜିଲ୍ଲା ଅନ୍ତର୍ଗତ କୋଟପାଡ ବ୍ଲକ୍‌ର ବିଭିନ୍ନ ଗାଁରେ ବନ୍ୟା ପାଣି ପଶିଥିବା ନେଇ ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଗତ କିଛିଦିନ ଓଡିଶା ଆନ୍ଧ୍ର ସୀମାନ୍ତ ମାଛକୁଣ୍ତ ଜଳବିଦ୍ୟୁତ୍‌ ପ୍ରକଳ୍ପର ଉପର ମୁଣ୍ତରେ ବାଦଲ ଫଟା ବର୍ଷା ହୋଇଆସୁଛି। ଫଳରେ, ଜଳଭଣ୍ତାରରେ ଜଳପତନ କ୍ରମଶଃ ବଢିବାରେ ଲାଗିଛି। ଜଲାପୁଟ ଜଳଭଣ୍ତାରରେ ପ୍ରତି ସେକେଣ୍ତକୁ ୩୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାରୁ ଏହା ଏବେ ବିପଦ ସଙ୍କେତ ନିକଟତର ହୋଇଯାଇଛି। ଫଳ‌େର, ପୂର୍ବାହ୍ନ ୧୨ଟା ସମୟରେ ୨ଟି ଗେଟ୍ ଖୋଲାଯାଇ ସର୍ବମୋଟ ୧୫ ହଜାର କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଇଛି। ଜଲାପୁଟ ଜଳଭଣ୍ତାରର ବିପଦସଙ୍କେତ ୨୭୫୦ ଘନଫୁଟ ରହିଥିବାବେଳେ ବର୍ତ୍ତମାନ ୨୫୪୯.୧୦ ଘନଫୁଟ ରହିଥିବା ଜଣାଯାଇଛି। ପ୍ରତି ସେକେଣ୍ତରେ ୩୬ ହଜାରରୁ ଊର୍ଧ୍ବ କ୍ୟୁସେକ୍‌ ଜଳ ପ୍ରବେଶ କଲେ ପୁଣି ଗେଟ୍ ଖୋଲାଯିବ ବୋଲି ଜଳଭଣ୍ତାର ଦାୟିତ୍ବରେ ରହିଥିବା ସହକାରୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

ସେହିପରି, ମାଛକୁଣ୍ତସ୍ଥିତ ଡି.ଡ୍ୟାମରେ ମଧ୍ୟ ବିପଦସଙ୍କେତ ଊର୍ଧ୍ବରେ ଜଳ ପ୍ରବେଶ କରୁଥିବାରୁ ବିଭାଗୀୟ ଅଧିକାରୀମାନେ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲି ଜଳ ନିଷ୍କାସନ କରୁଛନ୍ତି। ଆଜି ସକାଳେ ମାଛକୁଣ୍ତ ଜଳଭଣ୍ତାରରେ ବିପଦସଙ୍କେତ ୨୫୯୦ ଘନଫୁଟ ଊର୍ଧ୍ବରେ ଜଳପ୍ରବେଶ କରୁଥିବାରୁ ୪ଟି ଗେଟ୍ ଖୋଲାଯାଇ ପ୍ରତି ସେକେଣ୍ତରେ ୨୪ ହଜାର କ୍ୟୁସେକ ଜଳ ନିଷ୍କାସନ କରି ଚିତ୍ରକୋଣ୍ତା ଜଳଭଣ୍ତାରକୁ ଛଡ଼ାଯାଉଥିବା ଦେଖିବାକୁ ମିଲିଛି।

ଅନ୍ୟପକ୍ଷରେ, ଇନ୍ଦ୍ରାବତୀ ଜଳଭଣ୍ଡାରର ୪ଟି ଗେଟ୍‌ ଖୋଲାଯାଇଛି। ଫଳରେ, କୋଟପାଡ ବ୍ଲକ୍‌ର ବିଭିନ୍ନ ଗାଁରେ ବନ୍ୟା ପାଣି ପଶିବା ନେଇ ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ନଦୀକୂଳିଆ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଥିବାବେଳେ ଆବଶ୍ୟକ ପଡ଼ିଲେ ପ୍ରଭାବିତ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି କୁହାଯାଇଛି ।

ଏ ସମ୍ପର୍କରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ଯେ, ଇନ୍ଦ୍ରାବତୀ ବନ୍ୟା ଜଳ ଛାଡିବା ପରେ କୋଟପାଡ଼ର ସ୍ଥିତି ଉପରେ ନଜର ରଖାଯାଇଛି। ଏବେ ବନ୍ୟା ସ୍ଥିତି ଆସିନି। ପାଣି ବଢିଲେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ,ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଅପରଜୋଙ୍କ ଡ୍ୟାମର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଶୁକ୍ରବାର ଡ୍ୟାମର ୨ଟି ଗେଟ୍ ଖୋଲା ଯାଇଛି। ଫଳରେ ଧରମବନ୍ଧା ପଞ୍ଚାୟତର କିଛି ଗ୍ରାମକୁ ଯାତାୟତା ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର