ଦାନ କିଣିଲେ ବାଇକ୍‌

ଭବାନୀପାଟଣା: ଦାନ ମାଝୀ ଏବେ ପୁଣି ଚର୍ଚ୍ଚାରେ। ଡାକ୍ତରଖାନାରେ ଗାଡ଼ିଟିଏ ନପାଇ ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେଇଥିବା ଦାନ ଏବେ ନିଜ ପାଇଁ ବାଇକ୍‌ ଟିଏ କିଣିଛନ୍ତି। ପତ୍ନୀ ଅମାଙ୍ଗ ଦେଇଙ୍କ ମୃତ୍ୟୁ ପରେ ତାଙ୍କ ଶବ ବୋହି ନେବା ପରେ ଅଲମତିଙ୍କୁ ତୃତୀୟ ବିବାହ କରି ଏହା ପୂର୍ବରୁ ଚର୍ଚ୍ଚାକୁ ଆସିଥିଲେ। ଏବେ ମଂଗଳବାର ଭବାନୀପାଟଣା ସହରରୁ ଆସି ନୂଆଁ ବାଇକ୍‌ଟିଏ କିଣିବା ନେଇ ସବୁଠି ଆଲୋଚନା ହେଉଛି। ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକଦା ପତ୍ନୀଙ୍କ ଶବ ବୋହି ପ୍ରାୟ ୧୩ କିଲୋମିଟର ଯାଏ ଚାଲି ଚାଲି ଯାଇଥିବା ଦାନଙ୍କୁ ଏବେ ଫୁଲ୍‌ ପ୍ୟାଣ୍ଟ ସାର୍ଟ ପିନ୍ଧି ବାଇକ୍‌ରେ ବୁଲୁଥିବାର ଦେଖିବାକୁ ମିଳିବ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ନାକରୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ମେଲଘରା ଗ୍ରାମର ଦାନ ମାଝୀ ନିଜ ସ୍ତ୍ରୀ ଅମାଙ୍ଗ ଦେଇର ଶବକୁ ଧରି ୧୩ କିଲୋମିଟର ଚାଲିବା ଘଟଣା ସାରା ବିଶ୍ୱବାସୀଙ୍କୁ ହତଚକିତ କରିଥିଲା। ଅମାଙ୍ଗଙ୍କ ମୃତ୍ୟୁ ପରେ ଦାନ ମାଝୀର ଭାଗ୍ୟ ବଦଳି ଯାଇଥିଲା। ବର୍ଷେ ନପୂରୁଣୁ କଲ୍ୟାଣିସିଂପୁର ଆଲମତି ଦେଇକୁ ବିବାହ କରିଥିଲେ। ଯେଉଁ ଦାନ ଦିନେ ଲୁଙ୍ଗି ପିନ୍ଧି ସରଳ ଜୀବନ ଯାପନ କରୁଥିଲେ ସେହି ଦାନ ଏବେ ଫୁଲପ୍ୟାଣ୍ଟ ସାର୍ଟ ପିନ୍ଧିବା ଆରମ୍ଭ କରିଛନ୍ତି। ଦାନ ମଙ୍ଗଳବାର ନୂଆ  ସିବି ସାଇନ ରିବେଲରେଡ ହୋଣ୍ଡା ବାଇକ  କ୍ରୟ କରିଛି। ଏହି ଗାଡ଼ିର ଅନରୋଡ଼ ମୁଲ୍ୟ ୬୫ ହଜାର ଓ ଆସେସେରି ବାବଦରେ ୨୬୦୦ ଟଙ୍କା ସମୁଦାୟ ୬୭ ହଜାର ୬୦୦ ନଗଦ ଟଙ୍କା ପ୍ରଦାନ କରି ଗାଡ଼ି ନେଇଥିଲେ ବୋଲି ସୋରୁମ ମାଲିକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର