ଭୁବନେଶ୍ବର: ଉତ୍ତର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। ପ୍ରଭାବରେ ସୋମବାର ସକାଳ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏହା ପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ଭୋର ସମୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ତଥା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସ୍ଥଳଭାଗ ଛୁଇଁବ। ଘୂର୍ଣ୍ଣିବଳୟ ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ ‘ଦାନା’ ରଖାଯିବ। ଉତ୍ତର ଭାରତ ମହାସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ନାମ ତାଲିକା ଅନୁସାରେ, ଏହାର ନାମ ‘ଦାନା’ ରହିବ। ମଧ୍ୟପ୍ରାଚ୍ୟ ଦେଶ କାତାର୍ ପକ୍ଷରୁ ଏହି ନାମକରଣ ହୋଇଛି। ଆରବୀ ଭାଷାରେ ‘ଦାନା’ର ଅର୍ଥ ନିଖୁଣ ମୂଲ୍ୟବାନ ମୋତି ବା ମୁକ୍ତା ବୋଲି କୁହାଯାଉଛି।

Advertisment

ଲଘୁଚାପ ‌ରୂପ ନେବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୩୫ରୁ ୫୫ କିମି ରହିଥିବ। ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ପରେ ପବନର ବେଗ ୪୦ରୁ ୫୦ କିମି ଏବଂ ସ୍ଥଳବିଶେଷରେ ୬୦ କିମି ଛୁଇଁପାରେ। ପରବର୍ତ୍ତୀ ସମୟରେ ବାତ୍ୟା ସ୍ଥଳଭାଗ ଆଡ଼କୁ ଯେତିକି ମୁହାଁଇବ, ସେତିକି ଅଧିକ ଉଗ୍ର ରୂପ ନେବ। ୨୩ ତାରିଖ ସକାଳଠାରୁ ୨୪ ତାରିଖ ମଧ୍ୟରେ ବାତ୍ୟା (ଦାନା)ରେ ପରିଣତ ହେବା ସହ ପବନର ଘଣ୍ଟା ପ୍ରତି ବେଗ ୬୫ରୁ ୮୫ କିମି ମଧ୍ୟରେ ରହିବ। ୨୪ ତାରିଖ ଭୋର ସମୟରେ ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୯୦ରୁ ୧୨୦ କିମି ରହିବ। ସ୍ଥଳବିଶେଷରେ ୧୩୫ କିମି ଛୁଇଁପାରେ। ତାହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି ସେମାନେ ୨୧ ତାରିଖ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।

ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ, ସେ ନେଇ ଏ ପର୍ଯ୍ୟନ୍ତ ସଠିକ୍‌ ଆକଳନ କରାଯାଇ ନ ଥିଲେ ମଧ୍ୟ ଓଡ଼ିଶା ଉପକୂଳକୁ ବିପଦ ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ୨୩ ତାରିଖ ସନ୍ଧ୍ୟାଠାରୁ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବ। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହେବ। ବର୍ଷା ପରିମାଣ ବଢ଼ିବା ସହ ୨୪ ତାରିଖ ସକାଳଠାରୁ ଓଡ଼ିଶା ଉପକୂଳର ୪ ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରରେ ଅତିରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

ବିଦେଶୀ ସଂସ୍ଥାର ଆକଳନ ପୁରୀ ଉପକୂଳରେ ମାଡ଼ ହୋଇପାରେ
୨୪ ତାରିଖରେ ସ୍ଥଳଭାଗ ଛୁଇଁବ ବାତ୍ୟା, ପ୍ରଭାବ ୨୪ ଘଣ୍ଟା
ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୧୩୫ କିମିରେ ପହଞ୍ଚିବ
ଗଞ୍ଜାମ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧାରେ ପ୍ରବଳ ବର୍ଷିବ
୪ ଜିଲ୍ଲାକୁ ରେଡ୍‌, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

 ଏହାବ୍ୟତୀତ କେନ୍ଦ୍ରାପଡ଼ା, କଟକ, ନୟାଗଡ଼, କନ୍ଧମାଳ, ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯିବା ସହ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି, ଏହା ମହାବାତ୍ୟା ଭଳି ହେବ ନାହିଁ। ମାତ୍ର ଲଘୁଚାପ ସୃଷ୍ଟି ହେବା ପରେ ପବନର ବେଗ ବଢ଼ିବ। ୨୩ ତାରିଖ ସନ୍ଧ୍ୟାଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ୨୪ ଓ ୨୫ ତାରିଖରେ ସମ୍ପୂର୍ଣ୍ଣ ଓଡ଼ିଶାରେ ବର୍ଷିବ। ଉପକୂଳରେ ଅଧିକ ବର୍ଷା ହେବାକୁ ଥିବା ବେଳେ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରଭାବ ରହିବ। ଅଧିକାଂଶ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। କିଛି ସ୍ଥାନରେ ୩୦ ସେଣ୍ଟିମିଟର ବର୍ଷିବ। ବାତ୍ୟା ଓ ପ୍ରବଳ ବର୍ଷା ପ୍ରଭାବରେ ସହରତଳି ଅଞ୍ଚଳରେ ପାଣି ଜମି ରହିବାର ସମ୍ଭାବନା ରହିଛି। ସହରରେ ପାଣି ଜମି ରହିବା ଦ୍ବାରା ଟ୍ରାଫିକ୍‌ ସମସ୍ୟା, କଚ୍ଚାରାସ୍ତା ଓ ବିପଦସଙ୍କୁଳ କୋଠା ପ୍ରଭାବିତ, ମାଟି ଅତଡ଼ା ଖସିବା ପରି ସମସ୍ୟା ଉପୁଜିପାରେ। ପବନ ହେବାକୁ ଥିବାରୁ ଉଦ୍ୟାନ ଓ ଧାନ ଚାଷ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ପରାମର୍ଶ ମଧ୍ୟ ଦିଆଯାଇଛି। ରେଳ ଓ ସଡ଼କ ପରିବହନକୁ ନିୟନ୍ତ୍ରଣ କରିବା, ଘରୁ ବାହାରିବା ପୂର୍ବରୁ ପାଣିପାଗ ସ୍ଥିତି ଦେଖିବା ସହ ଟ୍ରାଫିକ୍‌ ଯାଞ୍ଚ, ଯଦି କୌଣସି ଟ୍ରାଫିକ୍‌ କଟକଣା ଲାଗୁ ହୋଇଥିବ ତାହାକୁ ପାଳନ କରିବା, ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଥିବା ଅଞ୍ଚଳଠାରୁ ଦୂରେଇ ରହିବା ଏବଂ ବିପଦସଙ୍କୁଳ କୋଠା ଘରେ ନ ରହିବାକୁ କୁହାଯାଇଛି।

ସେପଟେ ଅଧିକାଂଶ ବିଦେଶୀ ମଡେଲ୍‌ ପୂର୍ବାନୁମାନ କରିଛନ୍ତି ଯେ ବାତ୍ୟା ଓଡ଼ିଶା ଛୁଇଁବ। ୟୁରୋପିଆନ୍ ସେଣ୍ଟର ଫର୍ ମିଡିୟମ୍ ରେଞ୍ଜ ୱେଦର୍ ଫୋରକାଷ୍ଟ(ଇସିଏମ୍‌ଡବ୍ଲୁଇ)ର ଆକଳନ କହୁଛି ଏହି ବାତ୍ୟା ୨୫ ତାରିଖ ବେଳକୁ ପୁରୀ ନିକଟରେ ସ୍ଥଳଭାଗ ଛୁଇଁପାରେ। ଜର୍ମାନୀର ପାଣିପାଗ ଆକଳନ ସଂସ୍ଥା ଆଇସିଓଏନ୍‌ କହିଛି ଯେ ୨୪ କିମ୍ବା ୨୫ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳ ବିଶେଷ କରି ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ତେବେ ଗ୍ଲୋବାଲ୍ ଫୋରକାଷ୍ଟର ଆକଳନ ସମ୍ପୂର୍ଣ୍ଣ ଓଲଟା। ଲଘୁଚାପ କ୍ରମେ ଅବପାତର ରୂପ ନେବା ପରେ ବଙ୍ଗୋପସାଗରରେ ବଳ ଗୋଟାଇ ୨୪ ବେଳକୁ ପଶ୍ଚିମବଙ୍ଗ ମୁହାଁ ହେବ। ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ ବୋଲି ସଂସ୍ଥା ଦର୍ଶାଇଛି।