ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ଦାନ ମାଝୀ ବାହାରିନ ପ୍ରଧାନମନ୍ତ୍ରୀଙ୍କଠାରୁ ୧୦୦ କୋଟି ଟଙ୍କା ଆଣିଥିବା ବିଷୟରେ ପ୍ରଚାର କରାଯାଇଥିବା ଘଟଣାର ପ୍ରତିବାଦ କରିଛନ୍ତି। ଏନେଇ ସେ ଏକ ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମ ବିରୋଧରେ ଭବାନୀପାଟଣା ଟାଉନ ଥାନାରେ ରବିବାର ଏତଲା ଦେଇଛନ୍ତି। ଏହି ଘଟଣା ପରେ ଦାନ ମାଝୀ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

Advertisment

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମେଲଘରା ଗାଁର ଦାନ ମାଝୀ ତାଙ୍କ ସ୍ତ୍ରୀଙ୍କ ଶବକୁ କାନ୍ଧେଇ ୧୩ କିଲୋମିଟର ଚାଲିବା ଘଟଣା ଦେଶ ତଥା ଦେଶ ବାହାରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାରେ ବାହାରିନ ଦେଶର ପ୍ରଧାନମନ୍ତ୍ରୀ ୮ ଲକ୍ଷ ୮୭ ହଜାର ୯୪୯ ଟଙ୍କାର ଏକ ଚେକ୍‌ ଦାନ ମାଝୀଙ୍କୁ ଆର୍ଥିକ ସହାୟତା ଭାବେ ପ୍ରଦାନ କରିଥିଲେ। ଏନେଇ ସୁବାସ ମହାପାତ୍ର ନାମକ ଜଣେ ବ୍ୟକ୍ତି ଗତ ଜାନୁଆରି ୧୫ ତାରିଖ ଦିନ ଉକ୍ତ ଚାନେଲ୍‌ରେ ଦାନ ମାଝୀ ବାହାରିନ ପ୍ରଧାନମନ୍ତ୍ରୀଙ୍କ ଠାରୁ ଶହେ କୋଟି ଟଙ୍କା ଆଣିଥିବା ବିଷୟରେ ତଥ୍ୟ ଅବତାରଣା କରିଥିଲେ। ଦାନ ମାଝୀ ଏହି ଖବର ପ୍ରସାରଣ ପରେ ପ୍ରତିବାଦ କରି ସୁବାସ ମହାପାତ୍ର, ଉକ୍ତ ଟିଭି ଚାନେଲ୍‌ର ମାଲିକ ଓ ପରିଚାଳକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା ଦେବା ସମୟରେ ଦାନ ମାଝୀଙ୍କ ସହିତ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ଓ ଜିଲ୍ଲା ସଂଘର କର୍ମକର୍ତ୍ତା ମଧ୍ୟ ଥାନାକୁ ଯାଇଥିଲେ। ପରେ ସେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।