୪୦୦ ଟଙ୍କା ଦେଇ ପାରିଲେନି ବୋଲି ମିଳିଲାନି ସରକାରୀ ଗାଡ଼ି, ପୁଅର ମୃତଦେହକୁ ବୋହିଲେ ବାପା

ଏମିତି ଚାଲିଛି ‘ମହାପ୍ରୟାଣ ଯୋଜନା’, ବାରିପଦାରେ ଦାନ ମାଝୀ ଘଟଣାର ପୁନରାବୃତ୍ତି

ବାରିପଦା: କଳାହାଣ୍ଡି ଜିଲ୍ଲାର ବହୁଚର୍ଚ୍ଚିତ ଦାନ ମାଝୀ ଘଟଣା ମନରୁ ନ ଲିଭୁଣୁ ବାରିପଦାରେ ଏଭଳି ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ସରକାରୀ ଗାଡ଼ି ପାଇଁ ୪୦୦ ଟଙ୍କା ଦେଇ ପାରିଲେ ନାହିଁ ବୋଲି ପୁଅର ମୃତଦେହକୁ ବୋହି ପିତା ଘରକୁ ଯାଇଛନ୍ତି। ଦାନ ମାଝୀଙ୍କର ଦ୍ୱିତୀୟ ପତ୍ନୀଙ୍କ ମୃତ୍ୟୁ ପରେ ‘ମହାପ୍ରୟାଣ ଯୋଜନା’ର ଶୁଭାରମ୍ଭ କରି ରାଜ୍ୟ ସରକାର ନିଜର ପାରିବା ପଣିଆ ଦେଖାଉଥିବା ବେଳେ ଏଥିରୁ ସାଧାରଣ ଜନତାଙ୍କୁ ଲାଭ ମିଳୁ ନାହିଁ ବୋଲି ଅଭିଯୋଗ ହେଉଛି। ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ ପରିସରରେ ଏଭଳି ଏକ ଲୋମ ଶିହିରିବା ଭଳି ଘଟଣା ଶନିବାର ଦେଖିବାକୁ ମିଳିଛି। ସରକାରୀ ଗାଡ଼ି ନ ମିଳିବାରୁ ୧୦ ବର୍ଷର ପୁଅର ମୃତଦେହକୁ ଧରି ବାପା ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ସାଥୀରେ ଥିଲେ ପତ୍ନୀ ଓ ଝିଅ। ଏହି ହୃଦୟ ବିଦାରକ ଦୃଶ୍ୟ ଯେଉଁମାନେ ଦେଖୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଆଖିରୁ ଲୁହ ବୋହି ଯାଉଥିଲା।

ପୁଅର ଦେହ ଅସୁସ୍ଥ ଥିବାରୁ ଶୁକ୍ରବାର ରାତିରେ ଗୁରୁତର ଅବସ୍ଥାରେ ପିତା ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରମାନେ ବହୁ ଉଦ୍ୟମ କରିଥିଲେ ମଧ୍ୟ ୧୦ ବର୍ଷର ପୁଅକୁ ବଞ୍ଚାଇ ପାରି ନଥିଲେ। ମୃତ୍ୟୁ ପରେ ପିତା ମୃତଦେହକୁ ଗାଁକୁ ନେବା ପାଇଁ ମେଡିକାଲ ଗାଡ଼ି କଥା କହିଥିଲେ ହେଁ ତାଙ୍କ କଥାକୁ କେହି ଶୁଣି ନ ଥିଲେ। ଓଲଟା କେହି ଜଣେ କର୍ମଚାରୀ ୪୦୦ ଟଙ୍କା ଦେଲେ ଗାଡ଼ି ମିଳିଯିବ ବୋଲି କହିଥିଲେ।

ବ୍ୟକ୍ତି ଜଣକ ଗରିବ ଥିବାରୁ ଗାଡ଼ି ପାଇଁ ୪୦୦ ଟଙ୍କା ଦେବା ସହଜ ନଥିଲା। ତେଣୁ ସେ ଉପାୟ ଶୂନ୍ୟ ହୋଇ ପୁଅର ମୃତଦେହକୁ ଧରି ରାସ୍ତାରେ ଚାଲିଚାଲି ଯାଇଥିଲେ। ଶେଷରେ କିଛି ଲୋକ ତାଙ୍କୁ ଅଟକାଇ ଥିଲେ। ଖବର ପାଇଁ ଘଟଣାସ୍ଥଳକୁ ମେଡିକାଲ କର୍ମଚାରୀ ଓ ଡାକ୍ତରଖାନା ଫାଣ୍ଡି ପୁଲିସ ପହଞ୍ଚି ମୃତହେବ ନେବାକୁ ଗାଡ଼ି ଦେଇଥିଲେ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର