ବ୍ୟସ୍ତବହୁଳ ଜୀବନ ଭିତରେ ସମସ୍ତେ ନାନାଭାବରେ ପ୍ରଚେଷ୍ଟା କରନ୍ତି ଜୀବନକୁ ଜୀବନ ସହିତ ଯୋଡ଼ିବା, ଜୀବନକୁ ନୂଆ ରୂପ, ରଙ୍ଗ ଦେବା ଓ ସମାଜରେ ଖୁସି ବାଣ୍ଟିବା ଲାଗି। ସେଥିପାଇଁ ପ୍ରତିବର୍ଷ ଅକ୍ଟୋବର ୨ରୁ ୮ ପର୍ଯ୍ୟନ୍ତ ପାଳିତ ହେଉଛି ‘ଦାନ ଉତ୍ସବ’। ଅନେକ ଓଠରେ ହସ ଫୁଟାଇବା ଏବଂ ଅନେକ ଜୀବନକୁ ବଞ୍ଚିବାରେ ସାହାଯ୍ୟ କରିବା ହେଉଛି ଏହାର ଉଦ୍ଦେଶ୍ୟ। ସାରା ଭାରତ ବର୍ଷର ଲକ୍ଷ ଲକ୍ଷ ଲୋକ ଯୋଡ଼ି ହୋଇ ରହିଛନ୍ତି ଏହି ଉତ୍ସବ ସହ। ୨୦୦୯ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ପ୍ରଥମେ joy of giving week ନାଁରେ ପାଳିତ ହେଉଥିବା ବେଳେ ବର୍ତ୍ତମାନଏହା ‘ଦାନ ଉତ୍ସବ’ ନାଁରେ ପରିଚିତ। କୌଣସି ନିର୍ଦ୍ଦିଷ୍ଟ ସ୍ତରରେ ଏହି ଉତ୍ସବ ସୀମିତ ନୁହେଁ। ଅନେକ ସାମାଜିକ ସଂଗଠନ ଏହି ଉତ୍ସବରେ ଲୋକଙ୍କୁ ଦାନ ଦେବା ସହ ଦାନ କରିବାକୁ ପ୍ରୋତ୍ସାହନ ଯୋଗାଇଥାନ୍ତି। ଠିକ୍ ଯେମିତି, ଭୁବନେଶ୍ବରସ୍ଥିତ ବକୁଳ ଅନୁଷ୍ଠାନ ଦାନ ଉତ୍ସବର ସେବା ଦିବସରେ ବିଭିନ୍ନ ବସ୍ତି, ଅନାଥାଶ୍ରମ, ବୃଦ୍ଧାଶ୍ରମ ଆଦିରେ ସେବା ଯୋଗାଇଥାନ୍ତି। ଦାନ ଉତ୍ସବର ଏହି ପରମ୍ପରାରେ ଅନେକ ବିଦ୍ୟାଳୟର ମଧ୍ୟ ପ୍ରମୁଖ ଅବଦାନ ରହିଛି। ବିଦ୍ୟାଳୟଗୁଡ଼ିକ ପକ୍ଷରୁ ପୋଷାକ, ବହିପତ୍ର, ଖେଳନା ଆଦି ସଂଗ୍ରହ କରାଯାଇ ପିଲାଙ୍କ ଉଦ୍ଦେଶ୍ୟରେ ବକୁଳ ଅନୁଷ୍ଠାନକୁ ପ୍ରଦାନ କରାଯାଏ, ନଚେତ୍ ସିଧାସଳଖ ବସ୍ତି ଅଞ୍ଚଳ କିମ୍ବା ଆନାଥାଶ୍ରମରେ ବଣ୍ଟାଯାଇଥାଏ। କଟକ କାଜିବଜାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପିଲାମାନେ ବି ଏଥିରେ ସାମିଲ ହେବା ସହ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
ବ୍ୟକ୍ତିଗତ ସ୍ତରରେ ବି ଦାନ କରୁଥିବା ବ୍ୟକ୍ତି ବିଶେଷଙ୍କ ଅବଦାନ ପ୍ରଶଂସନୀୟ। ବୃତ୍ତିରେ ଜଣେ ବୁଟିକ କାରିଗର ୪୨ ବର୍ଷୀୟା ମୋନାଲିସା ମହାନ୍ତି। ହେଲେ ନିଶା ତାଙ୍କର ଅନ୍ୟର ସ୍ବପ୍ନକୁ ସତ କରିବା, ମୁହଁରେ ଟିକେ ହସ ଫୁଟାଇବା। ସେଥିପାଇଁ ତାଙ୍କ ଆପାର୍ଟମେଣ୍ଟର ପ୍ରାୟ ୬୦ ପରିବାରକୁ ଏକାଠି କରି ସମସ୍ତଙ୍କ ପାଖରେ ଥିବା ମହିଳାଙ୍କ ଉପଯୋଗୀ ସାମଗ୍ରୀ ତଥା ଚୁଡ଼ି, କାନଫୁଲ, ବ୍ରେସଲେଟ୍, ଏପରିକି ଲୁଗାପଟା ମଧ୍ୟ ଏକତ୍ରିତ କରି ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ, ସ୍ବିପର, ମେଡ୍, ମାଳି ଆଦିଙ୍କ ପରିବାରକୁ ଦାନ କରନ୍ତି। ଏଥିସହ ସମସ୍ତଙ୍କ ପାଇଁ ଖାଇବାର ବନ୍ଦୋବସ୍ତ ବି କରନ୍ତି। ୨୦୧୨ରେ ଭୁବନେଶ୍ବର ଅଟୋ ମହାସଂଘ ସହରର ବିଭିନ୍ନ ବସ୍ତିରୁ ୮୦ ଜଣ ବୃଦ୍ଧବୃଦ୍ଧା ଏବଂ ଭିନ୍ନକ୍ଷମଙ୍କୁ ନେଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରାଇବା ସହ ଅବଢା ସେବନ କରାଇଥିଲେ, ଯାହାର ସମସ୍ତ ଖର୍ଚ୍ଚ ଅଟୋ ମହାସଂଘର ସମସ୍ତ କର୍ମଚାରୀ ବହନ କରିଥିଲେ।
କେବଳ ସହରରେ ନୁହେଁ, ଗ୍ରାମାଞ୍ଚଳରେ ବି ଯୁବପିଢିଙ୍କ କାର୍ଯ୍ୟ ଖୁବ୍ ଉଲ୍ଲେଖନୀୟ। ବଡ଼ମ୍ବା ତହସିଲ ଅନ୍ତର୍ଭୁକ୍ତ ବଡ଼ବାରସିଂ ଗାଁର ଯୁବଗୋଷ୍ଠୀଙ୍କ ଦ୍ବାରା ପ୍ରତିବର୍ଷ ଆଖପାଖ ଗାଁର ଗରିବ ପରିବାରକୁ ନୂଆ ଲୁଗାପଟା, କମ୍ବଳ, ଜୋତା, ପିଲାଙ୍କ ପାଇଁ ଖେଳନା, ଚା’ ଜଳଖିଆଠାରୁ ଆରମ୍ଭକରି ମାଗଣା ସ୍ବାସ୍ଥ୍ୟସେବା ଓ ମାଗଣା ଔଷଧ ପର୍ଯ୍ୟନ୍ତ ଯୋଗାଇଦିଆଯାଏ। ଏବେ ପୁରୀ, ବରୀ, ସୋନପୁର, ବଲାଙ୍ଗୀର ଓ ଢେଙ୍କାନାଳରେ ବି ଏଭଳି ଆୟୋଜନ କରାଯାଉଛି।
ପାଖରେ ଥିବା ସବୁ ଅଧିକକୁ ଅନ୍ୟକୁ ଦେବା ଏବଂ ପାଖରେ ଥିବା ସବୁ ଅନୁଭୂତିକୁ ଅନ୍ୟ ସହ ବାଣ୍ଟିବାର ଉତ୍ସବ ହେଉଛି ‘ଦାନ ଉତ୍ସବ’। କେତେବେଳେ ଭୋକିଲା ପେଟକୁ ଗଣ୍ଡେ ଭାତ ଦେବା, ନିଜ ଘରେ ଅଦରକାରୀ ଭାବେ ପଡ଼ିଥିବା ନିଜ ପିଲାଙ୍କ ବହିପତ୍ରକୁ ବସ୍ତି ଅଞ୍ଚଳରେ ପହଞ୍ଚେଇଦେବା, କେବେ ରୋଗୀଟିଏକୁ ଚିକିତ୍ସା ପାଇଁ ହାତ ବଢାଇଦେବା ତ ପୁଣି କେତେବେଳେ ଭିନ୍ନକ୍ଷମଙ୍କୁ ସାହାଯ୍ୟ କରିବାର ନାଁ ହିଁ ତ ଦାନ ଉତ୍ସବ। ଆପଣମାନେ ମଧ୍ୟ ଏଥିରେ ସାମିଲ ହୁଅନ୍ତୁ। ସବୁ ପୂଜାପାର୍ବଣର ଦିନ ସହିତ ଏଇ ଦିନକୁ, ଏଇ ସପ୍ତାହକୁ ଯୋଡ଼ି ନିଅନ୍ତୁ ଏବଂ ଗର୍ବରେ କହନ୍ତୁ- ଆମେ ବି ପାଳୁଛୁ ଦାନ ଉତ୍ସବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/564654h654sf65fsfffh.jpg)