ଗାଁ ରେସ୍ତୋରାଁରେ ରଙ୍ଗଶାଳା! ରାତିରେ ଚାଲୁଛି ନାଚଗୀତ, ଜମୁଛି ବେଆଇନ ମଦ ଆସର

ରାଉରକେଲା: ରାଜ୍ୟର ପ୍ରମୁଖ ସହରରେ ଖୋଲିଛି ଲାଇସେନ୍ସ ପ୍ରାପ୍ତ ବାର୍‌ ଓ ରେସ୍ତୋରାଁ। ଯେଉଁଠି ସରକାରଙ୍କ ନୀତି ନିୟମ ମାନି ନିର୍ଦ୍ଦଷ୍ଟ ସମୟ ଯାଏ ମଦ୍ୟପାନ ଓ କେଉଁଠି କେଉଁଠି ନୃତ୍ୟଗୀତ ଜମୁଛି। ଗ୍ରାମାଞ୍ଚଳରେ ମଦ ଦୋକାନ ପାଇଁ ସହଜରେ ଅନୁମତିଦିଆ ଯାଏନାହିଁ, ଏଭଳି ବାର୍‌ ବା ରେସ୍ତୋରାଁ ଖୋଲିବାଲାଗି କଥା ତ ବଡ଼ କଠିନ। କିନ୍ତୁ ସୁନ୍ଦରଗଡ଼ ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଏଭଳି ଏକ ବାର୍‌-କମ୍-ରେସ୍ତୋରାଁ ଚର୍ଚ୍ଚାର ବିଷୟ ପାଲଟିଛି। ତା’ ପୁଣି ନୂଆଗାଁ ବ୍ଲକ ଅନ୍ତର୍ଗତ ଅଙ୍କୁରପାଲି ଭଳି ଏକ ଛୋଟିଆ ଗାଁରେ! ତାହା ପୁଣି ଏକ ଗାଉଁଲି ରାସ୍ତାକଡ଼ରେ, ଯେଉଁଠାରୁ ପ୍ରମୁଖ ରାସ୍ତା ବେଶ୍ କିଛି ଦୂର।

ଅଭିଯୋଗ ହୋଇଛି ଯେ ଅଙ୍କୁରପାଲିରେ ରେସ୍ତୋରାଁ ନାଁରେ ଚାଲିଛି ସରକାରୀ ନିୟମ ଉଲଂଘନ। ବିନା ଲାଇସେନ୍ସରେ ଖୋଲିଛି ବାର୍‌। କେବଳ ବିଦେଶୀ ମଦ ନୁହେଁ, ଅନ୍ୟାନ୍ୟ ନିଶା ଦ୍ରବ୍ୟ ମଧ୍ୟ ଏଠାରେ ଉପଲବ୍ଧ ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ। ଲୋକଙ୍କ ନଜରକୁ ନ ଆସିବାକୁ ତାହା କୁଆଡ଼େ ସକାଳବେଳା ସମ୍ପୂର୍ଣ୍ଣ ବନ୍ଦ ରହୁଛି! ସଞ୍ଜ ନଇଁଲାମା‌ନେ ରାଉରକେଲା ତଥା ଅନ୍ୟ ଅଞ୍ଚଳରୁ ନେତା, ବ୍ୟବସାୟୀ ଓ ଠିକାଦାରମାନଙ୍କର କାର୍‌ ଲାଗୁଛି ତା’ ଆଗରେ। ରେସ୍ତୋରାଁ ଆଗରେ ରଙ୍ଗବେରଙ୍ଗର ଦାମିକା କାର୍‌ଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛିଡା ହେଉଛି।‌

କିନ୍ତୁ ସେଠାକାର କାର୍ଯ୍ୟରତ କର୍ମଚାରୀ କହୁଛନ୍ତି, ଏହା ସମ୍ପୂର୍ଣ୍ଣ ‘ଫ୍ୟାମିଲି ‌ରେସ୍ତୋରାଁ’। ଏହି ରେସ୍ତୋରାଁକୁ ଆସିବାକୁ ହେଲେ ଅନ୍‌ ଲାଇନ୍‌ରେ ବୁକିଂ ବାଧ୍ୟତାମୂଳକ। ତେବେ ବାସ୍ତବରେ ନିକଟସ୍ଥ ସାଧାରଣ ଲୋକଙ୍କୁ ଦୂରେଇ ରଖିବାଲାଗି ଏହା ଏକ ଚାଲ୍‌ ବୋଲି କୁହା ଯାଉଛି। ବଡବଡିଆମାନେ ସିଧା ସଳଖ ସେଠାରେ ଆସି ପଶୁଛନ୍ତି। କେବଳ ଏତିକି ନୁହେଁ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ସେଠାରେ ଯୁବତୀମାନଙ୍କର ନୃତ୍ୟର ମଜା ଉଠାଇବାକୁ ଅନେକ ବଡବଡିଆ ପରିବାରର ପିଲାମାନେ ସେଠାରେ ଭିଡ଼ କରୁଛନ୍ତି। ରଙ୍ଗାରଙ୍ଗ ଝିଲ୍‌ମିଲ୍‌ ଆଲୋକ ଓ ନାଚ ଭିତରେ ନିଶାରେ ମସ୍‌ଗୁଲ ଧନୀକମାନେ ଟଙ୍କା ଉଡାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ରାଉରକେଲାରୁ ଅନେକ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ମଧ୍ୟ ଏଠାକୁ ନିୟମିତ ଆସୁଛନ୍ତି।

ଗାଁ ପରିବେଶକୁ ଏହି ରେସ୍ତୋରାଁ କଳୁଷିତ କରୁଥିବାରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି। କିନ୍ତୁ ପୁଲିସ ପଛଘୁଞ୍ଚା ଦେଉଛି। ଲୋକେ ଥରେ ନୁହେଁ, ବାରମ୍ବାର ହାତୀବାରି ଥାନାରେ ରେସ୍ତୋରାଁରେ ଚାଲିଥିବା ବେଆଇନ କାର୍ଯ୍ୟ ସମ୍ପର୍କରେ ଜଣାଇଛନ୍ତି। କିନ୍ତୁ କିଛି ଫଳ ହୋଇନାହିଁ। ଘଟଣାର ଉପଯୁକ୍ତ ଅନୁସନ୍ଧାନ କରି ରେସ୍ତୋ‌ରାଁରେ ଚାଲିଥିବା ବେଆଇନ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ଅଙ୍କୁରପାଲି ପଞ୍ଚାୟତବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ରାଉର‌କେଲା ଅବକାରୀ ଅଧୀକ୍ଷକ ଶେଖ ଆସିଫ୍‌ ଅଲ୍ଲୀଙ୍କୁ ପଚାରିବାରୁ ସେ କହିଛନ୍ତି, ଅଙ୍କୁରପାଲିରେ ଚାଲିଥିବା ରେସ୍ତୋରାଁକୁ ବାର୍‌ ଖୋଲିବାକୁ କୌଣସି ଲାଇସେନ୍ସ ମିଳିନାହିଁ। ଯଦି ସେଠାରେ ମଦ୍ୟ ବିକ୍ରି ହେବାଭଳି ବେଆଇନ କାର୍ଯ୍ୟ ଚାଲୁଛି, ନିଶ୍ଚିତ ଭାବେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର