ରାଉରକେଲା: ଶିକ୍ଷାଗତ ଯୋଗ୍ୟତା ବି.ଟେକ୍। ତାହା ପୁଣି କୌଣସି ସାଧାରଣ ବୈଷୟିକ ବିଦ୍ୟାଳୟରୁ ନୁହେଁ, ବରଂ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି) ଭଳି ସ୍ବନାମଧନ୍ୟ ଅନୁଷ୍ଠାନରୁ ଶିକ୍ଷାଗ୍ରହଣ କରିଛନ୍ତି। ତେବେ ତାଙ୍କର ପ୍ରଥମ ରୁଚି ଥିଲା ନୃତ୍ୟ। ପିଲାଟି ଦିନରୁ ନୃତ୍ୟରେ ମାତିଥିଲେ। ତେବେ ପ୍ରିୟଜନଙ୍କ ଇଚ୍ଛା ମୁତାବକ ଉଚ୍ଚ ଶିକ୍ଷା ବି ଗ୍ରହଣ କଲେ, କିନ୍ତୁ ମୂଳ ଲକ୍ଷ୍ୟରୁ କେବେ ବି ବିରତ ହୋଇନାହାନ୍ତି। ଏହି ପିଲା ଦିନର ପ୍ୟାସନ ଯୋଗୁଁ ସେ ଆଜି ଏଥେନ୍ସରେ ପହଞ୍ଚିଛନ୍ତି। ବିଦେଶରେ ଚମକିଥିବା ଏହି ରାଉରକେଲାର ତାରକା ହେଉଛନ୍ତି ସୁମନ ରୁଦ୍ର। ପ୍ରଥମ ଭାରତୀୟ ଭାବେ 'ଗ୍ରୀସ୍ ଗଟ୍ ଟ୍ୟାଲେଣ୍ଟ' ପ୍ରତିଯୋଗିତାର ଟାଇଟଲ ଦୌଡ଼ରେ ଅଛନ୍ତି ସୁମନ।
/sambad/media/post_attachments/wp-content/uploads/2022/01/28b35ba9-0d11-4607-8867-405e083473dc.jpg)
ସୁମନଙ୍କ ବାପା ଦିଲ୍ଲୀପ ରୁଦ୍ର ଜଣେ ଆରଏସପି କର୍ମଚାରୀ ଥିବାବେଳେ ମା' କ୍ରିଷ୍ଣା ହେଉଛନ୍ତି ଗୃହିଣୀ। ୨୦୧୨ରେ ଏନଆଇଟି ଭଳି ଜାତୀୟ ପ୍ରତିଷ୍ଠାନରୁ ବାୟୋଟେକ୍ନୋଲୋଜିରେ କୃତିତ୍ୱର ସହ ବି.ଟେକ ଡିଗ୍ରୀ ହାସଲ କରିଥିଲେ ସୁମନ। ପିଲାଟି ଦିନରୁ ନୃତ୍ୟ ପ୍ରତି ଅହେତୁକ ଦୁର୍ବଳତା ଥିବାରୁ ଚାକିରି ପଛରେ ନଗୋଡ଼ାଇ ଏହି କ୍ଷେତ୍ରରେ କିଛି ନୂଆ କରିବା ଅନ୍ୱେଷଣରେ ଲାଗିପଡ଼ିଥିଲେ। ଏପଟେ ବାପା ମା’ ଓ ପରିବାର ସଦସ୍ୟ ଆଶା ରଖିଥିଲେ ସୁମନ କୌଣସି ଭଲ କମ୍ପାନୀରେ ଚାକିରି କରିବ। କିନ୍ତୁ, ସୁମନଙ୍କ ଲକ୍ଷ ଥିଲା କିଛି ଅଲଗା। ଚାକିରି ପାଇଁ ଇଣ୍ଟରଭିୟୁ ଦେବା ନାଁରେ ସେ ଦିଲ୍ଲୀ, ମୁମ୍ବାଇ ଭଳି ବଡ଼ବଡ଼ ସହରକୁ ଯାଇ ନିଜ ମିସନରେ ବ୍ୟସ୍ତ ରହୁଥିଲେ। ଏହି ସମୟରେ ବେଙ୍ଗାଲୁରୁର ଏକ ଡ୍ୟାନ୍ସ ଏକାଡେମୀରେ ବର୍ଷେ ପର୍ଯ୍ୟନ୍ତ ନୃତ୍ୟ ଶିକ୍ଷା ଗ୍ରହଣ କରି ପୁଣି ଫେରିଆସିଥିଲେ ରାଉରକେଲା।
/sambad/media/post_attachments/wp-content/uploads/2022/01/becfab5f-1ca2-40c2-993c-5c7e56a18ed1.jpg)
ଏନ୍ଆଇଟି, ରାଉରକେଲାରେ ବର୍ଷେ ଧରି ନୃତ୍ୟ ଅଧ୍ୟାପକ ଭାବେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଉଥିଲେ। ଏହି ସମୟରେ ସେ ଗ୍ରୀସରେ ଏଥେନ୍ସ ସ୍ଥିତ ଏକ ଡ୍ୟାନ୍ସ ଏକାଡେମୀ ସହ ଯୋଗାଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ସେ ଗ୍ରୀସ୍ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ। ପରିବାରବର୍ଗଙ୍କୁ ବୁଝାସୁଝା କରି ଶେଷରେ ଗ୍ରୀସରେ ପହଞ୍ଚିଥିଲେ ସୁମନ। ସେଠାରେ ଭାରତୀୟ ନୃତ୍ୟରେ ନିଜର ଯାଦୁ ଦେଖାଇବା ସହ ଜଣେ ପ୍ରତିଷ୍ଠିତ କୋରିଓଗ୍ରାଫର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ପ୍ରଥମ ଭାରତୀୟ ଭାବେ ଗ୍ରୀସ୍ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ‘ନ୍ୟାସନାଲ ସ୍କୁଲ ଅଫ ଡ୍ୟାନ୍ସ’ରୁ ଡିପ୍ଲୋମା ଡିଗ୍ରି ହାସଲ କରିଥିଲେ। ଏହାସହ ‘ଫାଷ୍ଟ ବଲିଉଡ ଡ୍ୟାନ୍ସ ଏକାଡେମୀ’ ସ୍ଥାପନ କରି ଶହଶହ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ ନୃତ୍ୟକଳା ତାଲିମ ଦେଇଆସୁଛନ୍ତି। ଏମିତିକି ଅନେକ ଦେଶ ପରିଭ୍ରମଣ କରି ନୃତ୍ୟ ତାଲିମ ଦେଇଛନ୍ତି ସୁମନ। ଏବେ ଗ୍ରୀସରେ ଲୋକପ୍ରିୟ ଚ୍ୟାନେଲ ଦ୍ୱାରା ପ୍ରସାରିତ ତଥା ବହୁ ଚର୍ଚ୍ଚିତ ରିଅଲିଟି ଶୋ' ‘ଗ୍ରୀସ ଗଟ୍ ଟ୍ୟାଲେଣ୍ଟ’ରେ ତାଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିଥିବା ଦଳ ସମସ୍ତଙ୍କୁ କିମିଆ କରିସାରିଲାଣି। ଭାରତୀୟ ବଲିଉଡ ନୃତ୍ୟଗୀତ ପ୍ରଦର୍ଶନ ମାଧ୍ୟମରେ ଏବେ ଟାଇଟଲ ହାସଲଠାରୁ ଅଳ୍ପ ଦୂରରେ। ଦିନେ ପୁଅର ଭବିଷ୍ୟତ ନେଇ ସନ୍ଦିହାନ ଓ ଚିନ୍ତାରେ ଥିବା ପିତାମାତା ସମ୍ପ୍ରତି ନିଜ ପୁଅର ଅନନ୍ୟ ସଫଳତା ଓ ଦେଶ, ରାଜ୍ୟ ତଥା ନିଜ ସହରକୁ ଗୌରାବାନ୍ୱିତ କରିଥିବାରୁ ଅତ୍ୟନ୍ତ ଖୁସିଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/e36d5ae3-eab2-43b2-b411-8ec1185a713a.jpg)