ଭିମ୍‌ସାର୍‌ କୋଭିଡ୍ ଆଇସିୟୁରେ ନାଚଗୀତ, ରୋଗୀଙ୍କ ମନୋବଳ ବଢ଼ାଇବାକୁ ପିପିଇ ପିନ୍ଧି ନାଚିଲେ କର୍ମଚାରୀ

ସମ୍ବଲପୁର : ଭିମ୍‌ସାର୍‌ କୋଭିଡ୍ ହସ୍‌ପିଟାଲ୍-୨ର ଆଇସିୟୁ ଭି‌ତରେ ନାଚଗୀତ। ଜଣେ କି ଦୁଇଜଣ ନୁହେଁ, ଏକାସଂଗେ ୪ ଜଣ ଡାକ୍ତର, ନର୍ସ ଓ ସହାୟକ ପିପିଇ କିଟ୍ ପିନ୍ଧି ନାଚୁଛନ୍ତି। ମୋବାଇଲ୍‌ରେ ବାଜୁଛି ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ତୋର୍‌ ଗୁଲାପି ଗାଲିରେ, ତୋର୍‌ ରୁମ୍‌କୁଝୁମା ଚାଲିରେ’। ଅନ୍ୟ କର୍ମଚାରୀ ମାନେ କିଏ ଭିଡିଓ ସୁଟିଂ କରୁଛି ତ’ କିଏ ତାଳି ମାରି ସମର୍ଥନ କରୁଛି। ଆଇସିୟୁରେ ଥିବା ଗୁରୁତର ରୋଗୀ ମାନେ ବି ନାଚକୁ ଉପଭୋଗ କରୁଛନ୍ତି। ଗୋଟିଏ କି ଦୁଇଟି ନୁହେଁ ତିନିଟି ନୃତ୍ୟ ହୋଇଛି। ଆଉ ଗୋଟିଏ ଗୀତରେ ‘ହମ୍‌ ହୋଙ୍ଗେ କାମିୟାବ୍ ଗୀତ’ ବାଜୁଛି। ଅନ୍ୟଟିରେ ଜଣେ କର୍ମଚାରୀ ଏକକ ବ୍ରେକ୍‌ ଡ୍ୟାନ୍‌ସ କରୁଛନ୍ତି। ଏହି ଭିଡିଓ ଗୁଡ଼ିକ ଭାଇରାଲ୍ ହେବାପରେ କେବଳ ବୁର୍ଲା କି ସମ୍ବଲପୁର ନୁହେଁ ,ସାରାରାଜ୍ୟରେ ଏହା ଚର୍ଚ୍ଚା ଓ ବିତର୍କର ବିଷୟ ହୋଇଛି।

ଭିଡିଓ ଭାଇରାଲ୍ ହେବା ପରେ ଆଇସିୟୁ ଭିତରେ ନାଚଗୀତ କରି ରୋଗୀଙ୍କୁ ଅବହେଳା କରୁଥିବା କିଛିଲୋକ ଅଭିଯୋଗ କରିଛନ୍ତି। ଏଥିପାଇଁ କିଛି ଡାକ୍ତର ଓ କର୍ମଚାରୀଙ୍କୁ ଅପ୍ରୀତିକର ପରିସ୍ଥିତିର ବି ସାମ୍‌ନା କରିବାକୁ ପଡ଼ିଛି। ଯେଉଁ କର୍ମଚାରୀ ମାନେ ଏହା କରିଥିଲେ ସେମାନେ ଏଥିପାଇଁ କାହାରି ଅନୁମତି ନେଇ ନଥିବା ସୂଚନା ମିଳିଛି।

ଏ ସଂପର୍କରେ ନିଜ ପ୍ରତିକ୍ରିୟା ରଖି ଭିମସାର୍‌ ଅଧୀକ୍ଷକ ପ୍ର. ଲାଲ୍‌ମୋହନ ନାୟକ କହିଛନ୍ତି ଯେ ଏହା କୌଣସି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନଥିଲା। ସେ କିମ୍ବା କୌଣସି ଅଧିକାରୀ ଏ ସଂପର୍କରେ ପୂର୍ବରୁ ଅବଗତ ବି ନଥିଲେ। ଭିଡିଓ ଭାଇରାଲ୍ ହେବା ପରେ ଜାଣିବାକୁ ପାଇଛନ୍ତି। ଏଥିରେ ଯଦି ରୋଗୀଙ୍କ କିଛି କ୍ଷତି ହୋଇନାହିଁ ଓ ସେମାନଙ୍କୁ ଆନନ୍ଦ ମିଳିଛି ତା’ହେଲେ କିଛି କହିବାର ନାହିଁ। ତେବେ ଡାକ୍ତର ବା କର୍ମଚାରୀ ମାନେ ଯାହା ବି କରିବେ ଭଲ ଭାବେ ଭାବିଚିନ୍ତି କରିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର