କରଞ୍ଜିଆ ଗୋଲେଇ: କି ବିଚିତ୍ର ସଉକ! ବିବାହ ଶୋଭାଯାତ୍ରାରେ ‘ନାଗିନ୍ ନାଗିନ୍...’ ଗୀତରେ ସତସତିକା ନାଗସାପକୁ ନଚାଇ ଦେଲେ। ଯାହା ଆଗରୁ କେବେ ଦେଖିବାକୁ ମିଳିନଥିଲା, ଲୋକେ ତାକୁ ସ୍ବଚକ୍ଷୁରେ ଦେଖିଲେ। ତେବେ ଏହି ଘଟଣା ପରେ ବନ ବିଭାଗ ଆକ୍ସନ୍ ମୁଡ୍କୁ ଆସିଛି। ସଂପୃକ୍ତ ସାପୁଆ କେଳାକୁ ଗତକାଲି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏବେ ସାପୁଆ କେଳାକୁ ଭଡ଼ାରେ ଆଣିଥିବା ବରଘର ଲୋକଙ୍କୁ ବନ ବିଭାଗ ବନ୍ୟପ୍ରାଣୀ ସୁରକ୍ଷା ଆଇନ ପାଠ ପଢ଼ାଇବାକୁ ପ୍ରସ୍ତୁତ ହେଉଛି। ଅର୍ଥାତ୍; ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।
ବୁଧବାର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଏକ ବାହାଘର ଶୋଭାଯାତ୍ରା ଚାଲିଥିଲା। ଡିଜେ ଗୀତର ତାଳେ ତାଳେ ବରଯାତ୍ରୀମାନେ ଖୁବ୍ ନାଚିଥିଲେ। ଶୋଭାଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବରପକ୍ଷ ସତସତିକା ନାଗସାପର ବ୍ୟବସ୍ଥା କରିଥିଲେ। ଭିଡ଼ ଭିତରେ ଜଣେ କେଳା ୩ଟି ବିଷଧର ନାଗସାପକୁ ନଚାଇଥିବା ବେଳେ ଆଉ କିଛି ସାପକୁ ପେଡ଼ି ଭିତରେ ରଖିଥିଲେ। ସେତେବେଳେ କିନ୍ତୁ ସମସ୍ତେ ପାଶୋରି ଯାଇଥିଲେ ବିପଦ ଆଉ ଆଇନକାନୁନର କଟକଣାକୁ। ଖବର ପାଇ ବନ ବିଭାଗ ଶୋଭାଯାତ୍ରାରେ ଚଢ଼ଉ କରିବା ସହ ଡିଜେ ଗାଡ଼ି ଓ ୩ଟି ନାଗସାପକୁ ଜବତ କରିଥିଲା। କେଳା ରାମ ସିଂଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
ଏହି ମାମଲାରେ ସାପୁଆ କେଳା ରାମ ବନ୍ୟଜନ୍ତୁ ସୁରକ୍ଷା ଆଇନ ଫାଶରେ ଛନ୍ଦି ହୋଇ ସାରିଛନ୍ତି। ଏବେ ବରପକ୍ଷକୁ ମଧ୍ୟ ଆଇନ ଉଲ୍ଲଂଘନର ପରିଣାମ ଭୋଗିବାକୁ ପଡ଼ିବ। ଯେଉଁମାନେ ଭଡ଼ାରେ ଆଣି ସାପକୁ ନଚାଇଥିଲେ, ସେମାନଙ୍କୁ ବନ ବିଭାଗ ଏବେ ଆଇନର ପାଠ ପଢ଼ାଇବ। ତେବେ ବାହାଘର ଭଳି ଏକ ପାରିବାରିକ କାର୍ଯ୍ୟକ୍ରମ ଥିବାରୁ ବିଭାଗ ଏଯାଏ ବରପକ୍ଷକୁ ତଦନ୍ତ ପରିସରକୁ ଆଣିନାହିଁ ବୋଲି କରଞ୍ଜିଆ ଏସିଏଫ୍ ଫାଲଗୁନୀ ବେହେରା ‘ସମ୍ବାଦ’କୁ କହିଛନ୍ତି। ସର୍ବସାଧାରଣରେ ସାପକୁ ନଚାଇ ବରପକ୍ଷ ଦୋଷାବହ ଅପରାଧ କରିଛନ୍ତି। ତେଣୁ କେଳା ରାମ ଓ ବରପକ୍ଷ ବିରୋଧରେ ୧୯୭୨-ବନ୍ୟପ୍ରାଣୀ ସୁରକ୍ଷା ଆଇନ ଆଧାରରେ ସେକ୍ସନ୍ ୯, ସେକ୍ସନ୍ ୩୯, ସେକ୍ସନ୍ ୪୮ (ଏ), ସେକ୍ସନ୍ ୫୧ରେ ମାମଲା ରୁଜୁ କରାଯାଇଛି। ଏଠାରେ ଉଲ୍ଲେଖଥାଉକି, ପ୍ରାଣୀ ସୁରକ୍ଷା ଆଇନ ଭଙ୍ଗ ମାମଲାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ସେମାନଙ୍କ ପାଇଁ ୩ ବର୍ଷ ଜେଲ୍, ୨୫ ହଜାର ଟଙ୍କା ଯାଏ ଜରିମାନା ନଚେତ୍ ଉଭୟ ଜେଲ୍ ଓ ଜରିମାନା ଭଳି ଦଣ୍ଡବିଧାନ ରହିଛି। ଏହି ଘଟଣାରେ ବନ୍ୟପ୍ରାଣୀ ବିଭାଗ ଆଗକୁ କି ପଦକ୍ଷେପ ନେଉଛି ଓ ବରପକ୍ଷ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି; ତାହା ଦେଖିବାକୁ ବାକି ରହିଛି।
ମତାମତ: ‘କଠୋର ଦଣ୍ଡ ମିଳିବ, ଦେଶ ପାଇଁ ଏକ ନମୁନା ହେବ’
ଏଭଳି ଘଟଣା ମୁଁ ଆଗରୁ ଶୁଣିନି। ଏହା ଭୟଙ୍କର ଓ ନିନ୍ଦନୀୟ। ଏହି ଘଟଣାରେ ବନ୍ୟଜନ୍ତୁ ସୁରକ୍ଷା ଆଇନ୍ର ଉଲ୍ଲଂଘନ ହୋଇଛି। ନାଗସାପକୁ ନଚାଇ ଯେଉଁମାନେ ଏ ଭୟଙ୍କର କାମଟି କରିଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଦୋଷୀଙ୍କୁ ଯେମିତି ଆଇନ ଅନୁସାରେ ଦଣ୍ଡ ମିଳିବ, ତା’ର ବ୍ୟବସ୍ଥା କରାଯାଉଛି। ମୁଁ ଚାହେଁ; ଏହା କେବଳ ରାଜ୍ୟ ନୁହେଁ, ସାରା ଦେଶ ପାଇଁ ଏକ ନମୁନା ହେଉ। ଯେଉଁମାନେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଭାଙ୍ଗିବେ, ସେମାନେ ଦଣ୍ଡ ପାଇବେ। ଆଶା କରିବି-ଏପରି ଘଟଣା ଆଉ ନ ଘଟୁ।
-ଫାଲଗୁନୀ ବେହେରା, ଏସିଏଫ୍ କରଞ୍ଜିଆ
‘ବନ୍ୟପ୍ରାଣୀଙ୍କୁ ସେମାନଙ୍କ ପରିସଂସ୍ଥାନରେ ନିରାପଦ ରଖନ୍ତୁ’
ସଭ୍ୟ ସମାଜରେ ଏପରି ଘଟଣା ଆଦୌ ଗ୍ରହଣୀୟ ନୁହେଁ। ଜୀବେ ଦୟା କଥା ସିନା ଭୁଲିଗଲେ; ବନ୍ୟଜନ୍ତୁ ସୁରକ୍ଷା ଆଇନ କଥା କେମିତି ଭୁଲିଲେ? ଯେଉଁମାନେ ଆଇନକାନୁନ ମାନୁନାହାନ୍ତି, ସେମାନଙ୍କୁ ଦଣ୍ଡ ମିଳିବା ଉଚିତ। ବନ ବିଭାଗ ଏ ନେଇ ଦୃଢ଼ ପଦକ୍ଷେପ ନେଉ। ଜଣେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାବେ ମୁଁ ଲୋକଙ୍କୁ ନିବେଦନ କରିବି ଯେ, ସେମାନେ ବନ୍ୟପ୍ରାଣୀଙ୍କୁ ସେମାନଙ୍କ ପରିସଂସ୍ଥାନରେ ନିରାପଦ ଭାବେ ରହିବାକୁ ଦିଅନ୍ତୁ। ଏପରି ହେଲେ ପରିବେଶ ସନ୍ତୁଳିତ ରହିବ। ବନ୍ୟଜନ୍ତୁ ଓ ଆମେ ସୁରକ୍ଷିତ ଜୀବନ ଜିଇଁପାରିବା।
-ବିବେକାନନ୍ଦ ପଟ୍ଟନାୟକ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ, ବାରିପଦା