ଖୋର୍ଦ୍ଧା: ଖୋର୍ଦ୍ଧା ସହର ନିକଟ ଟାଙ୍ଗିଆପଡ଼ା ପଂଚାୟତ ୱିଲ୍କିନ୍ସନ ନଗର (ସାହେବ ନୂଆଗାଁ)ର ଆରାଧ୍ୟ ଦେବୀ ମା’ ଅଁଳେଇ ପୀଠରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଆଜି ଠାରୁ ଆରମ୍ଭ ହୋଇଯାଇଛି ।

Advertisment

ଗାଁର ଟାଙ୍ଗି (ମୁଣ୍ଡିଆ ବା ଛୋଟ ପାହାଡ଼) ଉପରେ କାହିଁ କେଉଁ ସମୟରୁ ମାତା ଲକ୍ଷ୍ମୀ ମା’ ଅଁଳେଇ ରୂପରେ ଏଠାରେ ପୂଜା ପାଉଛନ୍ତି । ଏହି ଟାଙ୍ଗି ନାମରେ ପଂଚାୟତର ନାମ ମଧ୍ୟ ଟାଙ୍ଗିଆପଡ଼ା ହୋଇଛି । ଏହି ମନ୍ଦିରର ମଧ୍ୟ ପାଇକ ସଂଗ୍ରାମ ସମୟରେ ଏକ ବିଶେଷ ମହତ୍ୱ ରଖିଥିଲା । ମା’ଙ୍କ କୃପାରୁ ଦୈବୀ ଦୁର୍ବିପାକଜନିତ ବ୍ରିଟିଶ ସୈନିକଙ୍କ ପରାଭବ ଆଦି ଅନେକ ଜନଶ୍ରୁତି ରହିଛି । ଏହି ପୀଠରେ ପ୍ରତିବର୍ଷ ଚୈତ୍ରମାସରେ ଦଣ୍ଡଯାତ୍ରା ବା ଝାମୁଯାତ୍ରା ପ୍ରାୟ ଶତବର୍ଷ ପୁରାତନ । ପ୍ରତିବର୍ଷ ଏହି ସମୟରେ ୫ ଦିନ ଧରି ଅନୁଷ୍ଠିତ ହେଉଥିବା ଯାତ୍ରାକୁ ଦେଖିବାକୁ ଆଖପାଖ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ଓ ମାନସିକଧାରୀ ଏଠାରେ ଜମା ହୋଇଥାନ୍ତି ।

ଗତକାଲି ମଧ୍ୟରାତ୍ରୀରେ ମା’ଙ୍କ ଘଟକୁ ପୂଜାର୍ଚ୍ଚନା କରି କାମନା ଗୃହରୁ ବାହାରକୁ ଅଣାଯାଇଥିଲା । ପରେ ମାନସିକ ଦଣ୍ଡଧାରୀମାନେ ଗାଁ ପୁଷ୍କରଣୀରେ ଘଟପୂଜା କରିଥିଲେ । ଆଜି ମଧ୍ୟାହ୍ଣରେ ପୁଣିଥରେ ମାନସିକ ଦଣ୍ଡଧାରୀମାନେ ପୁଷ୍କରଣୀରେ ପୂଜାର୍ଚ୍ଚନା ପରେ ସର୍ବଦେବାଦେବୀ ଆବାହନ ପରେ ଦୁଆରେ ପଣାସେବନ କରିଥିଲେ । ୧୩ ତାରିଖରେ ମେରୁ ଓ ୧୪ରେ ଝାମୁ ଯାତ୍ରା ଅନୁଷ୍ଠିତ ହେବ । ଏହି ଦିନ ମାନସିକଧାରୀ, ପାଟ ଭୁକୁତା(ଭକ୍ତ), କାଳିସୀ ଭୁକୁତା ଅଗ୍ନି ପରୀକ୍ଷା ଦେବେ । ପୂର୍ବ ଦୁଇବର୍ଷ କରୋନା କଟକଣା ଯୋଗୁଁ ଏହି ଯାତ୍ରା ବିଶେଷ ଭାବେ ଜନଗହଳି ହୋଇନଥିଲା । ଚଳିତବର୍ଷ କଟକଣା ନଥିବାରୁ ପ୍ରଥମ ଦିନରୁ ଜନଗହଳି ଦେଖିବାକୁ ମିଳିଛି । ଏହି ଯାତ୍ରାରେ ୧୪ ତାରିଖରେ ଶ୍ରୀହନୁମାନ ଜୟନ୍ତୀ ଓ ବିଶ୍ୱଶାନ୍ତି ଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ ବୋଲି ଗ୍ରାମ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସନାତନ ବିଶ୍ୱାଳ ପ୍ରମୁଖ ସୂଚନା ଦେଇଛନ୍ତି ।