ଦଣ୍ଡଯାତ୍ରା ବନ୍ଦ, ପରମ୍ପରା ଭାଙ୍ଗିଦେ‌ଲା କରୋନା, ରୋଜଗାର ହରାଇଲେ କଳାକାର, କ୍ଷତି ସହିବେ ଯାତ୍ରା କମିଟି

ବ୍ରହ୍ମପୁର/ଭଞ୍ଜନଗର : ଗଞ୍ଜାମ ଜିଲ୍ଲା କଳା ଓ ସଂସ୍କୃତିର ପରିଚୟ ତଥା ନିଷ୍ଠା ଓ ଭକ୍ତିର ଅନନ୍ୟ ପରମ୍ପରା ଦଣ୍ଡଯାତ୍ରା। ଶହ ଶହ ବର୍ଷର ପାରମ୍ପରିକ ଧାରାକୁ ଏ ବର୍ଷ ବାଟ ଓଗାଳିଛି ମହାମାରୀ କରୋନା। ବିଶ୍ବବ୍ୟାପୀ ହାହାକାର ସୃଷ୍ଟି କରିଥିବା କରୋନା ସଂକ୍ରମଣ ଆଶଙ୍କାକୁ ଆଖି ଆଗରେ ରଖି ଚଳିତ ବର୍ଷ ଦଣ୍ଡଯାତ୍ରା ଉପରେ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି। ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆ ଯାଇଥିଲା। ତଥାପି କିଛି ଅଞ୍ଚଳରେ କଟକଣା ନ ମାନି ଯାତ୍ରା ବାହାର କରିଥିବା ଦଣ୍ଡନାଟ ଦଳ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ହେଲେ ଦଣ୍ଡଯାତ୍ରା ବନ୍ଦ ଯୋଗୁଁ ଗଞ୍ଜାମ ଜିଲ୍ଲାର ଶତାଧିକ କଳାକାର ଓ ଚିତ୍ରାଳୟ ସେମାନଙ୍କ ରୋଜଗାର ହରାଇଛନ୍ତି। ଆଉ ଯାତ୍ରା କମିଟି ସଦସ୍ୟ ମାନେ ଲକ୍ଷାଧିକ ଟଙ୍କାର କ୍ଷତି ମୁଣ୍ଡାଇଛନ୍ତି। ଚଳିତବର୍ଷ ନାଟକ ଅଭ୍ୟାସ ସରିଥିବା ସହ କମିଟି ପକ୍ଷରୁ ଚିତ୍ରାଳୟଠାରୁ ଆରମ୍ଭ କରି ଓ ଜିଲ୍ଲା ବାହାର ସଙ୍ଗୀତ ଗ୍ରୁପ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଗ୍ରିମ ଟଙ୍କା ଦିଆ ଯାଇଥିଲା। ଏହି ଟଙ୍କା କେମିତି ଫେରି ପାଇବେ ଏଥିପାଇଁ ଚିନ୍ତା ଘାରିଛି।

ଏକ ଆକଳନ ଅନୁସାରେ ଗଞ୍ଜାମ ଜିଲ୍ଲାରେ ୧୧ଶହରୁ ଅଧିକ ଗ୍ରାମରେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ। ଅଗଣିତ ଦର୍ଶକ, ମାନସିକଧାରୀ, ସଂସ୍କୃତିପ୍ରେମୀ ଓ କଳାକାରମାନଙ୍କ ଅପୂର୍ବ ସମାଗମ ହୋଇଥାଏ। ବର୍ଷକୁ ଥରେ ଅର୍ଥାତ୍ ଚୈତ୍ର ମାସରେ ମାକାଳୀଙ୍କ ଦଣ୍ଡନାଟକୁ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସଭିଏଁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। କେଉଁଠି ୨୧ ଦିନ ତ ଆଉ କେଉଁଠି ୧୩ ଦିନିଆ ଦଣ୍ଡନାଟ ଦଳ ବାହାରିଥାନ୍ତି। ଭୁକ୍ତା (ଋଷିପୁତ୍ର)ମାନେ ଏହି ସମୟ ମଧ୍ୟରେ ସୌଖୀନ ଜୀବନଯାପନଠୁ ନିଜକୁ ଦୂ‌ରେଇ ଶରୀରକୁ କଷ୍ଟ ଦେଇ ମାଙ୍କ ସାନ୍ନିଧ୍ୟ ଲାଭ କରନ୍ତି। ସବୁଠୁ ଉଲ୍ଲେଖନୀୟ କଥା ହେଉଛି, ଦଣ୍ଡଯାତ୍ରାରେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ ସଂସ୍କୃତିର ଝଲକ୍ ପ୍ରତିଫଳିତ ହୋଇଥାଏ। ଭୁକ୍ତା ମାନେ ଗାଁକୁ ଗାଁ ଓ ସହର ବୁଲି ମାନସିକଧାରୀଙ୍କ ଘର ଆଗରେ ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ, ମହାଆଳତି, ମା କାଳୀ ନାଟ ଓ ଚଢ଼େୟା ନୃତ୍ୟ ପରିବେଷଣ କରିଥାନ୍ତି। ଢୋଲ, ଗିନି ଓ ମହୁରୀ ଶଦ୍ଦରେ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି କରିଥାଏ। ବର୍ତ୍ତମାନ ସମୟ ବଦଳିବା ସାଙ୍ଗକୁ ରାତିରେ ବିଭିନ୍ନ ଅପେରା ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି।

‌ତେବେ ଚଳିତବର୍ଷ କରୋନା ମହାମାରୀ ଏହି ପାରମ୍ପରିକ ଧାରା ଉପରେ ରୋକ୍ ଲଗାଇବାକୁ ପ୍ରଶାସନକୁ ବାଧ୍ୟ କରିଛି। ଯାହାକି କଳାକାର ଓ ଚିତ୍ରାଳୟମାନଙ୍କ ରୋଜଗାରକୁ ପ୍ରଭାବିତ କରିଛି। କାରଣ ଦଣ୍ଡଯାତ୍ରା ବେଳେ ତୁଳନାତ୍ମକ ଭାବେ ସେମାନେ ଭଲ ରୋଜଗାର କରନ୍ତି। ଚଳିତବର୍ଷ ସମସ୍ତ ଗ୍ରାମରେ ନାଟକ ପାଇଁ ଅଭ୍ୟାସ ସରିଥିଲା। ଜିଲ୍ଲା ବାହାରୁ ଆସୁଥିବା କଳାକାରଙ୍କୁ ଅଗ୍ରିମ ଟଙ୍କା ଦିଆଯାଇଥିଲା। କିନ୍ତୁ କରୋନା ଯୋଗୁଁ ଦଣ୍ଡଯାତ୍ରା ବନ୍ଦ କାରଣରୁ ଯାତ୍ରା କମିଟି ଚିନ୍ତାରେ ପଡ଼ିଛନ୍ତି। କାରଣ ଏଥିରୁ ମିଳୁଥିବା ଲାଭ ଟଙ୍କାରେ ବହୁ ସ୍ଥାନରେ ମନ୍ଦିରର ଉନ୍ନତି କାର୍ଯ୍ୟ ହେଉଥିଲା। ସେହିପରି ସ୍ଥାନୀୟ କଳାକାରମାନେ ମଧ୍ୟ ଏହି ସମୟରେ ଯାହା ଆଦାୟ କରୁଥିଲେ, ସେମାନଙ୍କ ପରିବାର ଏଥିରେ ପ୍ରତିପୋଷଣ ହେଉଥିଲା। ବର୍ତ୍ତମାନ ସେମାନେ ରୋଜଗାର ହରାଇ ବେସାହାରା ପାଲଟିଛନ୍ତି।

ଭଞ୍ଜନଗର ବ୍ଲକ୍ ଜିଲୁଣ୍ଡି ଗ୍ରାମ ଦଣ୍ଡନାଟ ଅଧିକାରୀ ରାଜେନ୍ଦ୍ର ପ୍ରଧାନ କହିଛନ୍ତି, ଗତ୨୭ ତାରିଖରୁ ନାଟ ଆରମ୍ଭ ହେବାର ଥିଲା। ଏଥିପାଇଁ ଗତ ଏକ ମାସ ଧରି ନାଟକ ଅଭ୍ୟାସ ଜାରି ରହିଥିଲା। ଚିତ୍ରାଳୟ, ଆଲୋକସଜ୍ଜା ଓ ଅଭିନେତ୍ରୀଙ୍କ ସମେତ ବିଭିନ୍ନ ଆନୁଷଙ୍ଗିକ ବାବଦରେ ଦେଢ଼ଲକ୍ଷ ଟଙ୍କାର ଅଗ୍ରିମ ଦିଆଯାଇଥିଲା। କିନ୍ତୁ କରୋନା କଟକଣା ପରେ ଚଳିତବର୍ଷ ପାଟ ଦଣ୍ଡୁଆ ହିଁ ମାଙ୍କ ପୂଜାର୍ଚ୍ଚନା କରୁଛନ୍ତି।

ମ୍ୟାନେଜର୍ ଚନ୍ଦନ ପ୍ରଧାନ କହିଛନ୍ତି, ଚଳିତ ବର୍ଷ ତାଙ୍କର ଟିମ୍ ଅଭିନୟ ଓ ଆଲୋକସଜ୍ଜା ପାଇଁ ଏକ ଲକ୍ଷ ଟଙ୍କା ୩୦ ହଜାର ଟଙ୍କା ପାଇବେ ବୋଲି ଧାର୍ଯ୍ୟ ହୋଇଥିଲା। ୧୨ ଜଣ ଲୋକ ରୋଜଗାର ପାଇଥାନ୍ତେ। କିନ୍ତୁ ଦଣ୍ଡନାଟ ବନ୍ଦ ହୋଇଯାଇଥିବାରୁ ବରାଦ ଟଙ୍କା ଫେରାଇବାକୁ ପଡ଼ିବ।

ସମ୍ବନ୍ଧିତ ଖବର