କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ ଦ୍ୱାରା ଗ୍ୟାଙ୍ଗ୍‌ଷ୍ଟର୍‌ ଟିଟୋର ଅନ୍ୟତମ ଘନିଷ୍ଠ ସହଯୋଗୀ ଡାଙ୍ଗ ଗିରଫ

ଭୁବନେଶ୍ୱର/କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଠିକାଦାର ଶିବ ପ୍ରସାଦ ପରିଡ଼ା ଓରଫ ରନ୍ଥା ଅପହରଣ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ ଆଜି ଗ୍ୟାଙ୍ଗ୍‌ଷ୍ଟର୍‌ ଟିଟୋର ଅନ୍ୟତମ ଘନିଷ୍ଠ ସହଯୋଗୀ ସେକ୍‌ ଜାବିଦ୍‌ ଓରଫ ଡାଙ୍ଗକୁ ଗିରଫ କରିଛି। ଡାଙ୍ଗର ଘର କେନ୍ଦ୍ରାପଡ଼ା ଟାଉନ୍‌ ଥାନା ଇମାମ୍‌ବାଡା ମସଜିଦ୍‌ ଗଳି‌ରେ। ସେ ୨ବର୍ଷ ହେଲା ଫେରାର୍‌ ଥିଲା। କେନ୍ଦ୍ରାପଡ଼ାର ଏକ ହୋଟେଲରେ ସେ ଆତ୍ମଗୋପନ କରିଥିବା ଖବର ପାଇ ଏସ୍‌ଟିଏଫ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ପରେ ତାକୁ କେନ୍ଦ୍ରାପଡ଼ା ଏସଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ବାରିମୂଳ ଉପକାରାଗାରକୁ ପଠାଇ ଦିଆଯାଇଛି। ତେବେ ଖୁବ୍‌ଶୀଘ୍ର ତାକୁ ରିମାଣ୍ଡ‌ରେ ଆଣିବା ପାଇଁ ଏସ୍‌ଟିଏଫ୍‌ ଆବେଦନ କରିବ।

ସେ ଟିଟୋର ସବୁଠାରୁ ବିଶ୍ବସ୍ତ ସହଯୋଗୀ ଥିଲା। ଟିଟୋ ବଡ଼ ବଡ଼ ଅପରାଧ ଡାଙ୍ଗ ହାତରେ ହିଁ କରାଇ ନିଜେ ଦୂରରେ ଥିବା ଦର୍ଶାଉଥିଲା। ଡାଙ୍ଗ ଉପରକୁ ବିପତ୍ତି ଆସିଲେ, ଟିଟୋ ଗୋଟି ଚଳାଇ ତାକୁ ମୁକ୍ତ କରୁଥିଲା। ଗୁଳିକାଣ୍ଡ, ହତ୍ୟା ଉଦ୍ୟମ, ଦାଦାବଟି, ଅପହରଣ ଭଳି ୧୫ରୁ ଊର୍ଦ୍ଧ୍ବ ସଙ୍ଗିନ ମାମଲା ଡାଙ୍ଗ ନାମରେ ରହିଛି। ରିମାଣ୍ଡରେ ଆସିବା ପରେ ତା’ଠାରୁ ଆହୁରି ଅଧିକ ତଥ୍ୟ ମିଳିବ ବୋଲି ଏସ୍‌ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ୨୦୧୭ ମସିହା ସେପ୍ଟେମ୍ବର ୯ ତାରିଖରେ କେନ୍ଦ୍ରାପଡ଼ାର ଠିକାଦାର ଶିବପ୍ରସାଦ ପରିଡ଼ାଙ୍କୁ ଅପହରଣ କରାଯାଇଥିଲା। ଭୋର୍‌ରୁ ତାଙ୍କୁ ଏକ କାର୍‌ରେ ୪ଜଣ ଦୁର୍ବୃତ୍ତ ଉଠାଇ ଆଣି ମଧ୍ୟାହ୍ନରେ ମଙ୍ଗୁଳି ପାଖରେ ଛାଡ଼ି ଦେଇଥି‌ଲେ। କିଏ ଅପହରଣ କରିଥିଲା? କାହିଁକି କରିଥିଲା? ସେ ନେଇ ଶିବ କିଛି କହିନଥିଲେ। ଅଭିଯୋଗ ମଧ୍ୟ କରିନଥିଲେ। ଏହି ଘଟଣାର କିଛି ଦିନ ପରେ ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଗିରଫ ହୋଇଥିଲା। ଟିଟୋ ଗିରଫ ହେବା ପରେ ଶିବ ପ୍ରସାଦ ଏତଲା ଦେଇଥିଲେ। ଦାଦାବଟି ବାବଦକୁ କୋଟିଏ ଟଙ୍କା ନ ଦେବାରୁ ତାଙ୍କୁ ଡାଙ୍ଗ ଓ ତା’ର କେତେକ ସହଯୋଗୀ ଅପହରଣ କରିଥିଲେ ବୋଲି ଏତଲାରେ ଦର୍ଶାଇଥିଲେ। ଅଭିଯୋଗକୁ ଭିତ୍ତି କରି ତତ୍କାଳୀନ ଟାଉନ ଥାନା ଆଇଆଇସି ତପନ ନାୟକ ନଂ.୧୨/୧୮‌ରେ ଏକ ମାମଲା ରୁଜୁ କରିଥିଲେ। କିନ୍ତୁ ଘଟଣାର ଗୁରୁତ୍ବକୁ ଉପଲବ୍‌ଧି କରି ଏସ୍‌ଟିଏଫ ନିଜ ଆଡୁ ଏହି ମାମଲାର ତଦନ୍ତଭାର ନେଇଥିଲା। ତେବେ ଏହି ସମୟରେ ଟିଟୋ ଗିରଫ ହେବାରୁ ଡଙ୍ଗା ରାଜ୍ୟ ବାହାରକୁ ଚାଲି ଯାଇଥିଲା। ଗତକାଲି ସେ କେନ୍ଦ୍ରାପଡ଼ାରେ ଥିବା ଏସ୍‌ଟିଏଫ୍ ଜାଣିବା ପରେ ତାକୁ ଏକ ସ୍ବତନ୍ତ୍ର ଦଳ ଗିରଫ କରିଛି।

ସମ୍ବନ୍ଧିତ ଖବର