ରାୟଗଡ଼ା (ନବୀନ ଚନ୍ଦ୍ର ସାହୁ) : ଡଙ୍ଗରିଆ ସାଲ୍ (କପଡାଗନ୍ଦା)କୁ ମିଳିବ ଜିଆଇ ମାନ୍ୟତା। ଦୀର୍ଘ ୪ ବର୍ଷର ଉଦ୍ୟମ ପରେ ଏ ନେଇ ଫିଟିଛି ବାଟ। କେନ୍ଦ୍ର ସରକାରଙ୍କ ଚେନ୍ନାଇସ୍ଥିତ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ନିକଟରେ ଆବେଦନ ପରେ ଖୁବ୍ ଶୀଘ୍ର ଅନୁମୋଦନ ମିଳିବା ନେଇ ସବୁଜ ସଙ୍କେତ ମିଳିଛି। ଯାହା ୭୦୦ରୁ ଊର୍ଧ୍ବ ଡଙ୍ଗରିଆ ବୁଣାକାରଙ୍କ ଭାଗ୍ୟ ବଦଳାଇବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସାଲର ବଜାରୀକରଣ ପାଇଁ ଆଶା ସୃଷ୍ଟି କରିଛି।

Advertisment

ପୂର୍ବଘାଟ ପର୍ବତମାଳାର ନିୟମଗିରିରେ ବସବାସ କରୁଛନ୍ତି ବିରଳ ଜନଜାତିର ଡଙ୍ଗରିଆ ସଂପ୍ରଦାୟ। ୬ ହଜାର ଜନସଂଖ୍ୟା ବିଶିଷ୍ଟ ଡଙ୍ଗରିଆଙ୍କ ଜୀବନଶୈଳୀ, ବେଶ ପୋଷାକ, ସଂସ୍କୃତି ସଭିଁଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏଥି ସହ ଡଙ୍ଗରିଆଙ୍କ ଦ୍ବାରା ଉତ୍ପାଦିତ ସାଲ୍ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରୁଥିବାରୁ ଶହ ଶହ ବର୍ଷର ଏହି ବିରଳ କଳାକୃତିକୁ ବଞ୍ଚାଇ ରଖିବାକୁ ଜିଆଇ ମାନ୍ୟତା ପ୍ରଦାନ ପାଇଁ ଆବେଦନ ହୋଇଛି। ଆଧୁନିକତାର ପ୍ରଭାବ ସତ୍ତ୍ବେ ଆଜି ବି ଡଙ୍ଗରିଆ ସାଲର ଚାହିଦା ରାଜ୍ୟ ଓ ଜାତୀୟସ୍ତରରେ ରହିଛି। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ସମ୍ବର୍ଦ୍ଧନା ଉତ୍ସବରେ କପଡାଗନ୍ଦା ସାଲକୁ ବ୍ୟବହାର କରାଯାଇ ବଜାରୀକରଣ ପାଇଁ ଉଦ୍ୟମ ଚାଲିଛି। କିନ୍ତୁ ପ୍ରୋତ୍ସାହନ ଅଭାବରୁ ଉତ୍ପାଦନ ଆଶାଜନକ ନଥିବା ଏବଂ ଶ୍ରମ ଅନୁଯାୟୀ ବୁଣାକାରଙ୍କୁ ମୂଲ ମିଳୁନଥିବାରୁ ବାର୍ଷିକ ଜଣେ ଜଣେ ବୁଣାକାର ମାତ୍ର ୪ରୁ ୫ଟି ସାଲ୍ ବୁଣୁଛନ୍ତି। ସାଲ୍ ବୁଣିବା ପାଇଁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା (ଡିକେଡିଏ) କଞ୍ଚା ମାଲ ଯୋଗାଇ ଦେଉଥିବା ବେଳେ ଗୋଟିଏ ସାଲର ଶ୍ରମ ବାବଦକୁ ଦେଉଛି ୬୦୦ ଟଙ୍କା। ବଜାରରେ ସାଲର ଦର ୧୫୦୦ରୁ ଆରମ୍ଭ କରି ୩୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଜିଆଇ ମାନ୍ୟତା ମିଳିବା ପରେ  ଡଙ୍ଗରିଆଙ୍କ ହସ୍ତଶିଳ୍ପ ଡିଜାଇନ୍ ଦ୍ବାରା ଟାଇ, ଉତ୍ତରୀୟ, ଦୁପଟା, କେରି ବ୍ୟାଗ୍, ଝୁଲା ବ୍ୟାଗ୍ (କାନ୍ଧ), ମୋବାଇଲ୍ କଭର, ଫୋଲଡର୍ କଭର, ଟି’ ପୟ କଭର ତିଆରି କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି।

publive-image

୨୦୧୮ ମସିହାରେ ଡଙ୍ଗରିଆ ସାଲ୍ କପଡାଗନ୍ଦାକୁ ଜିଆଇ ମାନ୍ୟତା ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ହସ୍ତଶିଳ୍ପ ନିର୍ଦେଶକ ସ୍ଥିତିକାନ୍ତ ଷଡଙ୍ଗୀ ଡଙ୍ଗରିଆ ସାଲକୁ ଜିଆଇ ମାନ୍ୟତା ପାଇଁ ୨୦୧୮ ଜୁନ୍ ୨୭ ତାରିଖରେ ଭାରତ ସରକାରଙ୍କ ହସ୍ତଶିଳ୍ପ ସହକାରୀ ନିର୍ଦେଶକଙ୍କୁ ଚିଠି ଲେଖିଥିଲେ। ଏହା ପରେ ତତ୍କାଳୀନ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ହସ୍ତଶିଳ୍ପ ନିର୍ଦେଶକଙ୍କୁ ଚିଠି ଲେଖିଥିଲେ। ଜିଲ୍ଲାପାଳ ଓ ହସ୍ତଶିଳ୍ପ ନିର୍ଦେଶକଙ୍କ ଚିଠି ପରେ ଭାରତ ସରକାରଙ୍କ ହସ୍ତତନ୍ତ ଶିଳ୍ପ ମନ୍ତ୍ରଣାଳୟ ୨୦୧୮ ଜୁଲାଇ ୩ ତାରିଖରେ ମୁମ୍ବାଇସ୍ଥିତ ଟେକ୍ସଟାଇଲ୍ କମିଟି ସଂପାଦକଙ୍କୁ ଡଙ୍ଗରିଆ ସାଲକୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ। ସାଲ୍ ଉତ୍ପାଦନ, ବଜାରୀକରଣ, ହସ୍ତଶିଳ୍ପର ଭବିଷ୍ୟତ ସଂପର୍କିତ ବିଭିନ୍ନ ତଥ୍ୟ ପ୍ରଦାନ କରିବା ପାଇଁ ଏକ ଚିଠି ଟେକ୍ସଟାଇଲ୍ କମିଟି ସଂପାଦକ ରାୟଗଡ଼ା ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଟେକ୍ସଟାଇଲ କମିଟିର ଚିଠିକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇ ସିବଶେଷ ତଥ୍ୟ ପ୍ରସ୍ତୁତ କରିବା ସହ ବୁଣାକାରଙ୍କୁ ନେଇ ନିୟମଗିରି ଡଙ୍ଗରିଆ କନ୍ଧ ବୁଣାକାର ସଂଘ ଗଠନ କରିଥିଲା। ବୁଣାକାର କମିଟି ଏବଂ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ୍ ଅନୁଷ୍ଠାନର ନିର୍ଦେଶକ ଡଙ୍ଗରିଆ ସାଲକୁ ଜିଆଇ ମାନ୍ୟତା ପ୍ରଦାନ ପାଇଁ ୨୦୨୧ ଅଗଷ୍ଟ ୩ ତାରିଖରେ କେନ୍ଦ୍ର ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ନିକଟରେ ଆବେଦନ କରିଛି। ବିଭାଗରେ ପୂର୍ବ ପରୀକ୍ଷା ସ୍ଥିତିରେ ପ୍ରସ୍ତାବ ରହିଥିବାରୁ ଖୁବ୍ ଶୀଘ୍ର ଅନୁମୋଦନ ମିଳିବା ନେଇ ରାଜ୍ୟ ସରକାର ଆଶା ବାନ୍ଧିଛନ୍ତି।