ରାୟଗଡ଼ା: ସାକାର ହେବାକୁ ଯାଉଛି ଡଙ୍ଗରିଆ ଛାତ୍ର ସିନା କାଡ୍ରକାଙ୍କ ସ୍ବପ୍ନ। ବୟସ ସମସ୍ୟା ଯୋଗୁ ସ୍କୁଲରେ ନାମ ଲେଖାଇ ପାରୁନଥିବାରୁ ସପ୍ତାହକ ତଳେ ସିନା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଚିଠିକୁ ଗୁରୁତର ସହ ବିଚାର କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସିନାଙ୍କୁ ଡକରା ଆସିଛି। ଚାଟିକଣାସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ଅଧିକାରୀଙ୍କ ତତ୍ତ୍ବାବଧାନରେ ସିନା ବାପା ଟିମା କାଡ୍ରକାଙ୍କ ସହ ଭୁବନେଶ୍ବର ଗସ୍ତ କରିଛନ୍ତି।
ଆସନ୍ତାକାଲି ସକାଳେ ଭୁବନେଶ୍ବରରେ ସିନାଙ୍କୁ ଅନୁସୂଚିତ ଜାତି ଓ ଜନାଜାତି ବିଭାଗର ଅଧିକାରୀ ସାକ୍ଷାତ କରି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସିନାଙ୍କ ପାଠପଢ଼ା ପାଇଁ କ’ଣ ପଦକ୍ଷେପ ନିଆଯିବ ସେ ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ପଠାଇଥିବା କାଗଜପତ୍ରର ତର୍ଜମା କରୁଛନ୍ତି।
ଏହା ପରେ ବିଧାୟକ ପ୍ରଣବ ପ୍ରକାଶ ଦାଶ ସିନାଙ୍କୁ ଭେଟି ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଡଙ୍ଗରିଆ ଛାତ୍ରର ସ୍ବପ୍ନକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତତ୍ପରତା ପ୍ରକାଶ କରିବା ପରେ ସିନାଙ୍କ ଗାଁ ସେରକପାଡ଼ିରେ ପହଞ୍ଚିଥିଲେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ଗୋଷ୍ଠୀ ସମ୍ବଳ ବ୍ୟକ୍ତି (ସିଆରପି)। କିନ୍ତୁ ସିନାଙ୍କ ବାପା ଟିମା ଜଙ୍ଗଲକୁ ଚାଲି ଯାଇଥିବାରୁ ଗାଁ ଲୋକଙ୍କ ସହାୟତାରେ ଟିମାଙ୍କ ନିକଟରେ ପହଞ୍ଚି ସମସ୍ତ ସୂଚନା ଦେଇଥିଲେ ସିଆରପି। ଏହା ପରେ ସନ୍ଧ୍ୟାରେ ଟିମା ଓ ସିନା ଉଭୟେ ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି।
ଡଙ୍ଗରିଆ ଛାତ୍ର ସିନା ପାଠ ପଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ସଂପର୍କିତ ଖବର ଗତ ୩ ତାରିଖରେ ସମ୍ବାଦରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ଦେଶରେ ଜିଲ୍ଲା ପ୍ରଶାସନ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସିନାଙ୍କ ସଂପର୍କରେ ଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ୨୦୧୮ ମସିହାରେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରାବାଲିରୁ ସିନା ଅଷ୍ଟମ ପାସ୍ କରିବା ପରେ ଖରାଛୁଟିରେ ଦାଦନ ଖଟିବାକୁ ଗୁଜୁରାଟ ଚାଲି ଯାଇଥିଲେ। ସ୍କୁଲ୍ ଖୋଲିବା ପରେ ଗାଁକୁ ଫେରିପାରିନଥିବାରୁ ନାଁ ଲେଖାଇବାରେ ବିଫଳ ହୋଇଥିଲେ। ୨୦୨୦ରେ କରୋନା କଟକଣା ଯୋଗୁ ସ୍କୁଲ୍ ବନ୍ଦ ଥିବାରୁ ନାଁ ଲେଖା ହୋଇପାରିନଥିଲା। ୨୦୨୧ରେ କରୋନା କଟକଣା କୋହଳ ପରେ ସ୍କୁଲ୍ ଖୋଲିଥିଲା। ନବମ ଶ୍ରେଣୀରେ ନାମ ଲେଖାଇବାକୁ ବିଷମକଟକ ବ୍ଲକ୍ ସାହାଡ଼ା ସରକାରୀ ହାଇସ୍କୁଲକୁ ବାପା ଟିମାଙ୍କ ସହ ସିନା ଯାଇଥିଲେ। କିନ୍ତୁ ସିନାଙ୍କ ବୟସ ୧୮ ଟପି ଯାଇଥିବାରୁ ନାମଲେଖା ସମ୍ଭବ ନଥିବା ପ୍ରଧାନଶିକ୍ଷକ କହିଥିଲେ।
ଅନ୍ୟପକ୍ଷରେ ଡଙ୍ଗରିଆ ଛାତ୍ରର ସ୍ବପ୍ନ ପୂରଣ ପାଇଁ ସ୍କୁଲରେ ନାଁ ଲେଖା ପାଇଁ ଅନୁମତି ପ୍ରଦାନ ଲାଗି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଅଗଷ୍ଟ ୨୩ରେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦେଶକଙ୍କ ଅନୁମତି ଲୋଡ଼ିଥିଲେ। ଆଜି ସିନା ଭୁବନେଶ୍ବର ଗସ୍ତ କରିବା ପରେ ପରିବାର ଲୋକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।