ରାୟଗଡ଼ା: ପାଠ ପଢ଼ିବାକୁ ସ୍କୁଲରୁ ସ୍କୁଲକୁ ଘୁରି ବୁଲୁଛନ୍ତି ଡଙ୍ଗରିଆ ଛାତ୍ର। ବୟସ ସମସ୍ୟା ଯୋଗୁ ନାମ ଲେଖାଇ ପାରୁନାହାନ୍ତି। ବହୁ ଚେଷ୍ଟା କରି ନିରାଶ ହେବା ପରେ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଡଙ୍ଗରିଆ ଛାତ୍ର ସିନା କାଡ୍ରକା। ନିବେଦନ କରିଛନ୍ତି ଆଡମିଶନ୍, ହଷ୍ଟେଲ୍ ସୁବିଧା ସହ ବହି ପତ୍ର ଯୋଗାଇ ଦେବାକୁ।
ମୁନିଗୁଡ଼ା ବ୍ଲକ୍ ଅମ୍ବାଦଳା ଥାନା ସେରକପାଡ଼ି ଗ୍ରାମର ଛାତ୍ର ସିନା କାଡ୍ରକା।

Advertisment

୨୦୧୮ ମସିହାରେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରାବାଲିରୁ ଅଷ୍ଟମ ପାସ୍ କରିଥିଲେ। ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ଖରା ଛୁଟିରେ ଦାଦନ ଖଟିବାକୁ ଗୁଜୁରାଟ ଚାଲି ଯାଇଥିଲେ। ସ୍କୁଲ୍ ଖୋଲିବା ପରେ ଗାଁକୁ ଫେରିବାକୁ ଚାହିଁଥିଲେ ମଧ୍ୟ କମ୍ପାନି ମାଲିକ ନ ଛାଡ଼ିବାରୁ ଘରକୁ ଫେରିପାରିନଥିଲେ ସିନା। ଫଳରେ ୨୦୨୦ ଶିକ୍ଷାବର୍ଷରେ ନାମ ଲେଖାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ କରୋନା କଟକଣା ଯୋଗୁ ସ୍କୁଲ୍ ବନ୍ଦ ରହିଥିବାରୁ ନାମ ଲେଖାଇ ପାରିନଥିଲେ। ୨୦୨୧ ଶିକ୍ଷାବର୍ଷରେ କରୋନା କଟକଣା କୋହଳ ପରେ ନବମ/ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ସ୍କୁଲ୍ ଖୋଲିବାକୁ ଅନୁମତି ପ୍ରଦାନ କରିଥିଲେ ସରକାର। ସ୍କୁଲ୍ ଖୋଲିବା ପରେ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଇଚ୍ଛା ପ୍ରକାଶ କରି ସିନା ମୁନିଗୁଡ଼ା ବ୍ଲକର ବିଭିନ୍ନ ସ୍କୁଲକୁ ଯାଇଥିଲେ। କିନ୍ତୁ ସରକାରୀ ଗାଇଡଲାଇନ୍ ସିନାଙ୍କ ପାଠପଢ଼ାରେ ବାଧକ ସାଜିଥିଲା।

୨୦୨୧ ମାର୍ଚ୍ଚ ସୁଦ୍ଧା ସିନାଙ୍କୁ ୧୮ ବର୍ଷ ପୂରି ଯାଇଥିବାରୁ ସ୍କୁଲ୍ କର୍ତ୍ତୃପକ୍ଷ ନାମ ଲେଖାଇବାକୁ ମନା କରି ଦେଇଥିଲେ। ବହୁ ଚେଷ୍ଟା ସତ୍ତ୍ବେ ସିନା ସ୍କୁଲରେ ନାମ ଲେଖାଇ ପାରୁନଥିବାରୁ ବାପା ଟିମା କାଡ୍ରକା ଶେଷରେ ବିଷମକଟକ ବ୍ଲକ୍ ସାହାଡ଼ା ସରକାରୀ ହାଇସ୍କୁଲକୁ ଯାଇଥିଲେ। ପ୍ରଧାନଶିକ୍ଷକଙ୍କୁ ସାକ୍ଷାତ କରି ନାମ ଲେଖାଇବାକୁ ନିବେଦନ କରିଥିଲେ। କିନ୍ତୁ ୧୯ ବର୍ଷୀୟ ସିନା ନବମ ଶ୍ରେଣୀରେ ପାଠ ପଢ଼ିବା ସମ୍ଭବ ନଥିବା ପ୍ରଧାନଶିକ୍ଷକ କହିଥିଲେ। ବାପା ଟିମା ବହୁବାର ନିବେଦନ କରିବା ପରେ ସାହାଡ଼ା ପ୍ରଧାନଶିକ୍ଷକ ଅଗଷ୍ଟ ୧୯ ତାରିଖରେ ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ଲୋଡ଼ିଥିଲେ। କିନ୍ତୁ ଅନୁମତି ପ୍ରଧାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ନିକଟରେ କ୍ଷମତା ନଥିବାରୁ ଅଗଷ୍ଟ ୨୩ରେ ବିଭାଗୀୟ ଚିଠି ନଂ-୫୨୦୫/ତା:୨୩.୯.୨୦୨୧ରେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦେଶକଙ୍କୁ ଚିଠି ଲେଖିଥିଲେ। ହେଲେ ବିଭାଗ ପକ୍ଷରୁ ଏଯାବତ୍ ଚିଠିର କୌଣସି ଉତ୍ତର ମିଳିନଥିବାରୁ ଡଙ୍ଗରିଆ ଛାତ୍ର ସିନା କାଡ୍ରକା ପାଠ ପଢ଼ିବା ପାଇଁ ଗତ ୪ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ପାଠ ପଢ଼ିବାକୁ ଚାହୁଁଥିବା ସାହାଡ଼ା ହାଇସ୍କୁଲର ଦୂରତା ନିଜ ଗାଁ ସେରକପାଡ଼ିରୁ ୪୫ କିମି ହୋଇଥିବାରୁ ହଷ୍ଟେଲ୍ ସୁବିଧା ସହ ବହି ପତ୍ର ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ବର୍ତ୍ତମାନ ସିନା ଗାଁଠୁ ୧୦ କିମି ଦୂରରେ ଥିବା ପାତ୍ରଗୁଡ଼ା ଗ୍ରାମର ବୃନ୍ଦାବନ ବିଦ୍ୟାପୀଠକୁ ଯାଇ ପଢ଼ାପଢ଼ି କରୁଛନ୍ତି। ନିଜ ଗାଁ ସେରକପାଡ଼ିରେ ମୋବାଇଲ୍ ନେଟୱର୍କ ନଥିବାରୁ ଅନଲାଇନ୍ ପାଠପଢ଼ା ମଧ୍ୟ ହୋଇପାରୁନି। ଗାଁକୁ ନିତିଦିନିଆ ରାସ୍ତା ନଥିବାରୁ ସ୍କୁଲ୍ ଯିବା ସମୟରେ ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା କହିଛନ୍ତି ସିନା। ଏ ସଂପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀଙ୍କୁ ପଚାରିବାରୁ ୧୮ ବର୍ଷରୁ ଉର୍ଧ୍ବ ବୟସର ଛାତ୍ରଛାତ୍ରୀଙ୍କୁ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଗାଇଡଲାଇନ୍ ନାହିଁ। ଅନ୍ୟ ଧନ୍ଧାମୂଳକ ପାଠ୍ୟକ୍ରମ ପାଇଁ ସିନା ଓ ଅଭିଭାବକଙ୍କୁ ବୁଝାଶୁଝା କରାଯାଇଛି। ତଥାପି ସିନାକୁ ନବମ ଶ୍ରେଣୀରେ ପଢ଼ାଇବା ପାଇଁ ଅନୁମତି ଦେବାକୁ ଶିକ୍ଷା ବିଭାଗ ନିର୍ଦେଶକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଚିଠି ଲେଖିଛନ୍ତି। ଯଦି ଅନୁମତି ମିଳେ ତାହା ହେଲେ ସିନାର ପାଠ ପଢ଼ିବାରେ କୌଣସି ଅସୁବିଧା ରହିବ ନାହିଁ ବୋଲି କହିଛନ୍ତି ଶ୍ରୀ ଶତପଥୀ।