ପାର୍ବଣ ବେଳେ ସତର୍କ ନ ହେଲେ ବିପଦ: ନବୀନ

ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଚାନକ ପରିଦର୍ଶନ ଉପରେ ଗୁରୁତ୍ବ, କୋଭିଡ୍‌ ନିୟମରେ ଅବହେଳା କଲେ ପୁଣି ଲକ୍‌ଡାଉନ୍‌

ଭୁବନେଶ୍ବର: ଆଗକୁ ପାର୍ବଣ ଋତୁ। କେରଳରେ ଓନାମ୍ ପର୍ବ ପାଳନ ପରେ କରୋନା ସଂକ୍ରମଣରେ ବୃଦ୍ଧି ହୋଇଛି। ଆମେରିକାରେ ମଧ୍ୟ ସଂକ୍ରମଣ ବଢ଼ିଲାଣି। ତେଣୁ ସମ୍ଭାବ୍ୟ ତୃତୀୟ ଲହରଠାରୁ ନିରାପଦ ରହିବାକୁ ହେଲେ, କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ହେବ। ପାର୍ବଣ ସମୟରେ ସମସ୍ତଙ୍କର ଦାୟିତ୍ବପୂର୍ଣ୍ଣ ବ୍ୟବହାର ତୃତୀୟ ଲହରକୁ ନିୟନ୍ତ୍ରଣ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ସାଜିପାରେ ବୋଲି ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟରେ କୋଭିଡ୍‌ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସଚେତନ କରାଇବା ସହ କୋଭିଡ୍‌ ନିୟମକୁ ପାଳନ କରିବା ଦିଗରେ ପ୍ରଶାସନକୁ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, କୋଭିଡ୍‌ ଆଚରଣବିଧି ହେଉଛି କୋଭିଡ୍‌ ବିରୋଧରେ ଲଢ଼ିବା ପାଇଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର। ଏହାର ଉପଯୁକ୍ତ ପାଳନ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ପିଲାମାନେ ଏ ପର୍ଯ୍ୟନ୍ତ ଟିକା ନେଇ ନାହାନ୍ତି। ତେଣୁ ପିଲାଙ୍କ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ। କୋଭିଡ୍‌ ନିୟମ ପାଳନରେ ଯଦି ଅବହେଳା ଦୃଷ୍ଟିକୁ ଆସେ ତାହାଲେ ସଂପୃକ୍ତ ଅନୁଷ୍ଠାନର ମୁଖ୍ୟ ଏଥିପାଇଁ ଦାୟୀ ରହିବେ। ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରି ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟମିତ ଓ ଅଚାନକ ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ହାଟ, ବଜାର, ଧର୍ମାନୁଷ୍ଠାନ, ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଆଦି ଉପରେ ସତର୍କ ଦୃଷ୍ଟି ରଖିବା ସହ କୋଭିଡ୍‌ ନିୟମ କଡ଼ାକଡ଼ି ପାଳନକୁ ସୁନିଶ୍ଚିତ କରାଇବା ଉଚିତ। ସ୍ବାସ୍ଥ୍ୟକର୍ମୀ, ସ୍କୁଲ ଯାଉଥିବା ପିଲା, ଗର୍ଭବତୀ ମହିଳା, ସରକାରୀ କର୍ମଚାରୀ ଓ ପୁଲିସ ସମ୍ବେଦନଶୀଳ ଗ୍ରୁପ୍‌ରେ ଆସୁଥିବାରୁ ସେମାନଙ୍କର ନିୟମିତ ଟେଷ୍ଟିଂ ଜାରି ରହୁ। ଏହାସହ ଡେଲ୍‌ଟା ଭାରିଏଣ୍ଟ ଅଧିକ ସଂକ୍ରମଣ କରୁଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଜରିଆରେ ନିରନ୍ତର ଦୃଷ୍ଟି ରଖିବାକୁ ହେବ।

ଏବେ ସାଧାରଣଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌କୁ କୋହଳ କରାଯାଇଛି। ହେଲେ ଜନସାଧାରଣ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା ଓ ଭିଡ଼ରୁ ଯଥାସମ୍ଭବ ନିଜକୁ ଦୂରେଇ ରଖିବା ଜରୁରୀ। ନିୟମରେ ଢିଲା ହେଲେ ସାମୂହିକ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ପୁଣିଥରେ ଲକ୍‌ଡାଉନ୍‌ ପାଇଁ ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଅନୁପାଳନ ଉପରେ ଗୁରୁତ୍ବ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ବିଭାଗୀୟ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ୫-ଟି ସଚିବ ଭି.କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ବୈଠକରେ ପୁଲିସ ମହାନିର୍ଦେଶକ ଅଭୟ, ବିଏମ୍‌ସି ଓ ସିଏମ୍‌ସି କମିସନର୍‌, ଦେବଗଡ଼ ଓ ପୁରୀ ଜିଲ୍ଲାପାଳ, ଉନ୍ନୟନ କମିସନର୍‌ ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର