ତାଳଚେର: ପ୍ରଦୂଷଣଜନିତ ସମସ୍ୟାରେ ପୀଡ଼ିତ ତାଳଚେରବାସୀଙ୍କ ଲାଗି ଆଉ ଏକ ବିପଦ। ଯେକୌଣସି ମୁହୂର୍ତ୍ତରେ କଳାହୀରାର ଏହି ସହର ଭୁଶୁଡ଼ି ପଡ଼ିବାର ଆଶଙ୍କା ସମସ୍ତଙ୍କୁ ଆନ୍ଦୋଳିତ କରୁଛି। କାରଣ, ତାଳଚେର ଅଞ୍ଚଳର ମାଟିତଳୁ କୋଇଲା କାଢ଼ିନେବା ଫଳରେ ଏବେ ଏହାର ଭୂଗର୍ଭ ଫମ୍ପା ହୋଇଯାଇଛି। ଯାହା ବୁଦ୍ଧିଜୀବୀ ଏବଂ ପରିବେଶବିତ୍ଙ୍କୁ ବିଚଳିତ କରିଛି। ଖଣି ଖନନ ପରେ କମ୍ପାନି କର୍ତ୍ତୃପକ୍ଷ ତ୍ବରିତ ପଦକ୍ଷେପ ନେବା ପରିବର୍ତ୍ତେ ଭୂଗର୍ଭକୁ ବର୍ଷ ବର୍ଷ ଧରି ଫାଙ୍କା ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି।
ତାଳଚେର, ହାଣ୍ଡିଧୂଆ ଏବଂ ଦେଉଳବେଡ଼ା ଭୂତଳ ଖଣି ପ୍ରକଳ୍ପ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ମୁତାବକ, ହାଣ୍ଡିଧୂଆ ଭୂତଳ କୋଇଲା ଖଣି ଅଧୀନରେ ମୋଟ୍ ୫ଟି ଜୋନ୍ ରହିଛି। ଏହି ଜୋନ୍ଗୁଡ଼ିକ ମଧ୍ୟରୁ ମାତ୍ର ୨ଟି ଜୋନ୍ରେ ବାଲି ଭର୍ତ୍ତି କରାଯାଉଥିବା ଜଣାପଡ଼ିଛି। ୧୯୯୮ ମସିହାରୁ କୋଇଲା ଉତ୍ତୋଳନ ବନ୍ଦ ହେବା ପରେ ଭୂଗର୍ଭରେ ୫ଲକ୍ଷ ୮୫ ହଜାର ବର୍ଗମିଟର ଅଞ୍ଚଳ ଫମ୍ପା ହୋଇଯାଇଥିଲା। ସେହିଦିନଠାରୁ ଖଣି କର୍ତ୍ତୃପକ୍ଷ ବାଲି ଭର୍ତ୍ତି କାର୍ଯ୍ୟ ଜାରି ରଖିଛନ୍ତି। ଆଜି ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୪୫ ହଜାର ବର୍ଗମିଟର ଅଞ୍ଚଳରେ ବାଲି ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ମାତ୍ର ବାଲି ଭର୍ତ୍ତି ପାଇଁ ଆବଶ୍ୟକ ଜମି ମିଳିପାରୁ ନଥିବା ବେଳେ ସ୍ବଳ୍ପ କେତେଜଣଙ୍କ ଦ୍ବାରା ବାଲି ଭର୍ତ୍ତି କାମ କରାଯାଉଛି। ଫଳରେ ୨୭ ବର୍ଷ ମଧ୍ୟରେ ଯେଉଁ ପରିମାଣରେ ବାଲି ଭର୍ତ୍ତି ହେବା କଥା ସେହି ପରିମାଣରେ ହେଉ ନାହିଁ। କାମ ମନ୍ଥର ଗତିରେ ଚାଲିଛି। ଆହୁରି ୧ ଲକ୍ଷ ୩୯ ହଜାର ୬୮୦ ବର୍ଗମିଟର ଅଞ୍ଚଳରେ ବାଲି ଭର୍ତ୍ତି କାମ ବାକି ରହିଛି। ହାଣ୍ଡିଧୂଆର ଭୂତଳ କୋଇଲା ଖଣିର ୫ଟି ଜୋନ୍ରେ ବାଲି ଭର୍ତ୍ତି ଚାଲିଛି। ହାଣ୍ଡିଧୂଆର ଗାୟତ୍ରୀ ସ୍କୁଲ୍ ପଛ ପାର୍ଶ୍ବରେ ୨ଟି ଜୋନ୍ରେ ଭୂଗର୍ଭ ଫମ୍ପା ରହିଥିବାରୁ ସେଠାରେ ଏବେ ବାଲି ଭର୍ତ୍ତି ଚାଲୁ ରହିଛି। ସେହିଭଳି ତାଳଚେରରୁ ଡେରା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ଜୋନ୍ ୩ ନାମରେ ନାମକରଣ କରାଯାଇଛି। କୋଲିୟରୀ ଥାନା ପଛ ପାଖ ଅଞ୍ଚଳ ଜୋନ୍ ୪ ରହିଥିବାବେଳେ ଭଗାକଟା ଅଞ୍ଚଳକୁ ଜୋନ୍ ୫ ଦର୍ଶାଯାଉଛି। ଏ ନେଇ ତାଳଚେର ଖଣି ଉପନିର୍ଦ୍ଦେଶକ ଶୁଭେନ୍ଦୁ ସାମଲ କହିଛନ୍ତି, ଗତ ଦୁଇବର୍ଷ ମଧ୍ୟରେ ୨ ଲକ୍ଷ ବର୍ଗମିଟର ଅଞ୍ଚଳରେ ବାଲି ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ବାଲି ଭର୍ତ୍ତି କାର୍ଯ୍ୟ ଜାରି ରହିଛି। ତେବେ ୨୭ ବର୍ଷରେ ୪ ଲକ୍ଷ ୪୫ ହଜାର ବର୍ଗମିଟର ଅଞ୍ଚଳରେ ବାଲି ଭର୍ତ୍ତି ହୋଇଥିବା ବେଳେ ବାକି ୧ ଲକ୍ଷ ୩୯ ହଜାର ବର୍ଗମିଟର ଅଞ୍ଚଳରେ ବାଲି ଭର୍ତ୍ତି କରିବାକୁ ଆଉ କେତେ ସମୟ ଲାଗିବ, ତା’କୁ ନେଇ ତାଳଚେରବାସୀ ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/26/untitled-25-2025-10-26-06-54-17.jpg)