ବରାହ ସେତୁକୁ ବିପଦ ବାଲି ଗାଡି!

ବିମରୁ ଖସିଲାଣି ପ୍ଲାଷ୍ଟର

ଯାଜପୁର: ଯାଜପୁରର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ବରାହାନାଥ ମନ୍ଦିରକୁ ଯୋଗାଯୋଗର ମୁଖ୍ୟ ମାଧ୍ୟମ ବରାହ ସେତୁ ଏବେ ବିପଦରେ। ଉନ୍ନୟନ କାର୍ଯ୍ୟ ପାଇଁ ଅହରହ ବାଲି ପରିବହନ ଯୋଗୁ ପୋଲ ଦୁର୍ବଳ ହେବାରେ ଲାଗିଛି। ଏପରିକି ପୋଲର କିଛି ସ୍ଥାନରେ ଫାଟ ମଧ୍ୟ ସୃଷ୍ଟିହେଲାଣି। ଯାହାକି ପୋଲର ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁସାରେ ଯାଜପୁର ସହରରେ ଅନେକ ଉନ୍ନୟନ କାର୍ଯ୍ୟ ଜାରି ରହିଥିବାରୁ ସ୍ଥାନୀୟ ବୈତରଣୀ ନଦୀରୁ ବାଲି ଉତ୍ତୋଳନ କରାଯାଉଛି। ‌ସେହିପରି ସହର ସଂଲଗ୍ନ ଦେବୀଗଡା ଘାଟର ଅପର ପାର୍ଶ୍ବରୁ ସଟ ଲିଜରେ ବାଲି ଉତ୍ତୋଳନ କରାଯାଉଛି। ଏହି ବାଲି ଗାଡି ବରାହ ମନ୍ଦିର ଘେରି ବନ୍ଦ ଦେଇ ବରାହ ସେତୁ ଉପରେ ଯାଜପୁର ସହରକୁ ପ୍ରବେଶ କରୁଛି। ଯାହାକି ଦୈନିକ ଶହଶହ ହାଇୱା ଯୋଗେ ଏହି ବାଲିକୁ ସହର ଆଙ୍କୁଲା ମୌଜା କିଆନାଳୀ କୂଳ ଛକ ଠାରେ ମେଡିକାଲ କଲେଜ ପାଇଁ ପ୍ରସ୍ତାବିତ ଜମି ଉପରେ ସମତୂଳକରଣ ଚାଲିଛି।

ତେବେ ଉନ୍ନୟନ ଫଳରେ ସହରର ବିକାଶ ହେବ। କିନ୍ତୁ ବିକାଶ ଆଳରେ ଅନ୍ୟ ସ୍ଥାନକୁ ବିପଦକୁ ଠେଲି ଦିଆଯାଉଛି। ଯାହାକି ବରାହ ସେତୁ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ପ୍ରତିଦିନ ଶହଶହ କ୍ବିଣ୍ଟାଲ ଓଜନ ପରିବହନ କରି ହାଇଓ୍ବା ଗାଡି ଯାତାୟତ କରୁଥିବାରୁ ପୋଲର ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲର ଉଭୟ ପାର୍ଶ୍ବରେ ବିରାଟ ଗର୍ତ୍ତ ସୃଷ୍ଟି ହେବା ସହ ପୋଲର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। ଏହି ପୋଲ ମହା ବାରୁଣୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପିଣ୍ଡଦାନରେ ସମୟରେ ନଦୀ ପାର ପାଇଁ ସାହାର୍ଯ୍ୟ କରୁଥି‌ବା ବେଳେ ଦୈନିକ ପିଣ୍ଡଦାନ ଓ ବାରୁଣୀ ମହାଶ୍ମଶାନକୁ ଅନେକ ଲୋକ ଯାତାୟତ କରିଥାନ୍ତି। କିନ୍ତୁ ନିୟମିତ ବାଲି ପରିବହନ ଯୋଗୁ ପୋଲ ଉପରେ ଦେଇ ସାଧାରଣ ଲୋକ ଯିବାକୁ ଭୟ କରୁଛନ୍ତି। ପୋଲର ୱାଲ ପାଣିରେ ଧୋଇବା ଆରମ୍ଭ କରିଥିବା ବେଳେ କେତେକ ସ୍ଥାନରେ ପଥର ଖସି ଗଲାଣି।

ଯାହାକୁ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଛନ୍ତି। ପୋଲ ଅପରପାର୍ଶ୍ବରେ ଏବେ ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯାଇଛି। ଯାହାକି ଶିବା କମ୍ୟୁନିଟି ସେଣ୍ଟର, ଶିବା ପାର୍କ, ଜିଲ୍ଲା ସଂଗ୍ରହାଳୟ ନିର୍ମାଣ ଜାରି ରହିଛି। ଏହାରି ଭିତରେ ପୋଲର ଅବସ୍ଥା ଖରାପ ହେବାରୁ ଭବିଷ୍ୟତରେ ଏହା ଜିଲ୍ଲା ପର୍ଯ୍ୟଟନ ପାଇଁ ସମସ୍ୟା ଆଣିବ ବୋଲି ଆଲୋଚନା ହେଉଛି। ବାଲି ପରିବହନ କରୁଥିବା ଟ୍ରକ୍ ଗୁଡିକ ମଧ୍ୟ ପୋଲ ଉପରେ ଆବଶ୍ୟକତା ଠାରୁ ଦ୍ରୁତ ଗତିରେ ଗାଡି ଚାଳନା କରୁଥିବାରୁ କେତେ ବେଳେ ବି ଦୁର୍ଘଟଣାକୁ ଏଡାଇ ଦିଆଯାଇ ନପା‌ରେ। ଯାହାକୁ ନେଇ ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି। ପୋଲ ଉପରେ ବାଲି ପରିବହନ ପୂର୍ବରୁ ଏହାର ଅବସ୍ଥା ଏବଂ ସୁରକ୍ଷା ଯାଞ୍ଚ କରିବାକୁ ସହରବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର