ଜଳପଥରେ ଆସୁଛି କରୋନା ବିପଦ, ସୋମବାର ପେଣ୍ଠକଟାରୁ ଡଙ୍ଗା ଯାଇଛି ଆନ୍ଧ୍ର !

ପୁରୀ: ସମସ୍ତ କଟକଣା, କଡ଼ା ପହରା ସତ୍ତ୍ବେ ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟରେ ଥିବା କିଛି ଓଡ଼ିଆ ଲୁଚି ଲୁଚି ଆସୁଛନ୍ତି। ଫଳରେ ଗତ ତିନି ଦିନ ଭିତରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାର ସ୍ଥଳପଥକୁ୍‌ ସିଲ୍‌ କରି ବାହାର ରାଜ୍ୟର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ତେଣୁ କେତେକ ଲୋକ ଓଡ଼ିଶା ଫେରିବା ପାଇଁ ଏବେ ସ୍ଥଳପଥ ଛାଡ଼ି ଜଳପଥକୁ ବ୍ୟବହାର କରିବା ଆରମ୍ଭ କଲେଣି। ଲୁଚାଛପାରେ ସମୁଦ୍ର ପଥରେ ଚେନ୍ନାଇ, ଆନ୍ଧ୍ରପ୍ରଦେଶରୁ ଲୋକେ ଜଳପଥରେ ଆସିବା ଆରମ୍ଭ କରି ଦେଇଛନ୍ତି। କାଁ ଭାଁ ଧରାପଡ଼ୁଥିବା ବେଳେ ଅଧିକାଂଶ ପ୍ରଶାସନ ଓ ସାଧାରଣ ଲୋକଙ୍କ ଆଢ଼ୁଆଳରେ ରହିଯାଉଛି। ବିଶେଷ କରି ପୁରୀ ପେଣ୍ଠକଟାରେ ଡଙ୍ଗା ବ୍ୟବହାର କରି ଲୋକେ ଯା’ଆସ କରୁଥିବା ନେଇ ଅଭିଯୋଗ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। କରୋନା ଯୁଦ୍ଧରେ ସମ୍ମୁଖରେ ଲଢୁଥିବା ପୁଲିସ, ପ୍ରଶାସନ ମଧ୍ୟ ଏବେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ସ୍ଥଳପଥରେ କଡ଼ା କଟକଣା ‌ଯୋଗୁଁ ପ୍ରବାସୀ ଓଡ଼ିଆମାନେ ଏବେ ଜଳପଥକୁ ଭରସା କରିଛନ୍ତି। ଡଙ୍ଗାରେ ଘରକୁ ଫେରୁଛନ୍ତି। କିଏ ଭଡ଼ା କରି ଆସୁଛି ତ ଆଉ କିଏ ନିଜେ ଡଙ୍ଗା କିଣି ରାଜ୍ୟକୁ ଫେରୁଥିବା ଦେଖିବାକୁ ମିଳିଛି। ଲୁଚାଛପାରେ ଜଳପଥରେ ଯା’ଆସ ହେଉଥିବାର ସନ୍ଦେହ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ଏପ୍ରିଲ ୧୬ ତାରିଖରେ ବିଶାଖାପାଟଣାରୁ ଏକ ଡଙ୍ଗାରେ ପାଞ୍ଚ ଜଣ କୋଣାର୍କ ଫେରିବା ଘଟଣା ପରେ ପୁରୀର ପେଣ୍ଠକଟାରୁ ମଧ୍ୟ ଏକ ଡଙ୍ଗା ସୋମବାର କିଛି ଲୋକଙ୍କୁ ନେଇ ଆନ୍ଧ୍ର ଯାଇଥିବା ଅଭିଯୋଗ ହୋଇଛି। ସେଠାରୁ ମଧ୍ୟ ଡଙ୍ଗା ଲୁଚାଛପାରେ ପୁରୀକୁ ଆସୁଥିବା ସନ୍ଦେହ କରାଯାଉଛି। ସ୍ଥଳପଥ ଭଳି ଜଳପଥରେ ମଧ୍ୟ କଡ଼ା ପ୍ରହରାର ଆବଶ୍ୟକତା ରହିଛି। ପୁରୀ ଉପକୂଳ ଏକ ପ୍ରକାର ଖୋଲା ପଡ଼ିଛି। ଅସ୍ତରଙ୍ଗ, କୋଣାର୍କ, ପୁରୀ, ସାତପଡ଼ା, ଚିଲିକା‌ର ବିସ୍ତୃତ ଅଞ୍ଚଳର ଜଳପଥ ଏବେ ଉନ୍ମୁକ୍ତ ରହିଛି। ଗତ ଏପ୍ରିଲ ୨୦ ତାରିଖରୁ ସରକାର ମାଛମରାକୁ ଅନୁମତି ଦେବା ପରେ ଓଡ଼ିଶା ବିପଦ ମୁହଁକୁ ଯିବାର ଆଶଙ୍କା ବଢ଼ିଯାଇଛି। ମାଛ ମାରିବା ବାହାନାରେ ବାହାର ରାଜ୍ୟର ଡଙ୍ଗା ଓଡ଼ିଶାକୁ ଯେମିତି ପ୍ରବେଶ ନ କରିବ, ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ରହିଛି। ଜଳପଥରେ ଏଭଳି ଅବାଧ ଡଙ୍ଗା ପ୍ରବେଶ କଲେ ପୁରୀ ତଥା ଅନ୍ୟ ଉପକୂଳ ଅଞ୍ଚଳରେ କରୋନା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ରହିଛି। ଏଥିପାଇଁ ସର୍ତକତାମୂଳକ ପଦକ୍ଷେପ ନେବାକୁ ଦାବି ହୋଇଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୬ ତାରିଖରେ ପାଞ୍ଚ ଜଣ ଲୋକ ଏକ ଡଙ୍ଗା କିଣି ସମୁଦ୍ର ପଥରେ ଓଡ଼ିଶା ଫେରିଥିଲେ। ସେମାନେ କୋଣାର୍କ ନିକଟରେ ଲାଗିଥିଲେ। ପରେ ନିଜ ସାହିକୁ ଯାଇଥିଲେ। ମା‌ତ୍ର ସାହି ଲୋକ ସେମାନଙ୍କୁ ଗାଁ’ରେ ପୂରାଇ ଦେଇନଥିଲେ। ଖବର ପାଇ ପୁଲିସ ଆସି ସେମା‌ନଙ୍କୁ ଉଦ୍ଧାର କରି କୋଣାର୍କ ମେଡିକାଲ୍‌ରେ କ୍ବାରାଣ୍ଟିନ୍‌ରେ ରଖିଛନ୍ତି। ତେବେ ଏହି ଘଟଣାଟି ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ପଦାକୁ ଆସିଥିଲା। ଏବେ ଲୁଚାଛପାରେ ଏଭଳି ଘଟଣା ଘଟୁଛି। ଗତକାଲି ପେଣ୍ଠକଟାରୁ ଆନ୍ଧ୍ର ଯାଇଥିବା ଡଙ୍ଗା ସଂପର୍କରେ ପୁଲିସ ତଦନ୍ତ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର