ନୂଆପଡ଼ା/ବୋଡ଼େନ: ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ଉନ୍ନୟନ କାମରେ ବହୁ ସଂଖ୍ୟାରେ ଗଛ କଟାଯାଉଛି। ସେହି ପରିମାଣରେ ବୃକ୍ଷରୋପଣ କରାଯାଉ ନାହିଁ। ଫଳରେ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ଦଶହରା ସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିଲା। ବର୍ତ୍ତମାନ କିନ୍ତୁ ଥଣ୍ଡା ବଦଳରେ ଗରମ ଅନୁଭୂତ ହେଉଛି। ଏଥିପାଇଁ କେବଳ ମଣିଷ ଦାୟୀ। ବାୟୁ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସଭିଏଁ ଏକଜୁଟ ହେବାକୁ ପଡ଼ିବ। ପରିବେଶ ସୁରକ୍ଷାରେ ଅବହେଳା ହେଲେ ମଣିଷ ସହିତ ସାରା ଜୀବଜଗତ ପାଇଁ ବଡ଼ ବିପଦ ଆସିବ। ତେଣୁ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ ଗଛ ଲଗାଇବାକୁ ଆହ୍ବାନ ଦେଇଛନ୍ତି ନୂଆପଡ଼ା ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ।

Advertisment

ସୋମବାର ଖଡ଼ିଆଳ ବିଧାନସଭା ନିର୍ବାଚନମଣ୍ଡଳୀର ବୋଡ଼େନ ପଞ୍ଚାୟତ କେରାପଦର ଦ୍ବାରଶନୀ ସ୍କୁଲ ପରିସରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ହୋଇଥିବା ପରିବେଶ ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ମାଝୀ ନିଜ ପରିବାର ସଦସ୍ୟଙ୍କୁ ଯେପରି ଭାବେ ସୁରକ୍ଷିତ ରଖିଥାଉ, ସେପରି ଗଛଟିଏ ଲଗାଇ ଯତ୍ନ ନେବାକୁ କହିଥିଲେ। ଏଥିରେ ଉତ୍କଳ ଯାଦବ ମହାସଂଘ ସାଧାରଣ ସଂପାଦକ ଲମ୍ବୋଦର ନିଆଲ ମୁଖ୍ୟବକ୍ତା, ପରିବେଶବିତ୍ ତଥା ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଡ. କିଶୋର କର୍ଣ୍ଣ, ସୁବ୍ରତ ପାଣିଗ୍ରାହୀ, ଆଇନଜୀବୀ ଯୋଗେନ୍ଦ୍ର ମାଝୀ ଓ ବିଜୟକୃଷ୍ଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଆମ ହାତରେ ରହିଛି; ତେଣୁ ଗଛ ଲଗାଇବା ସହିତ ପଲିଥିନକୁ ବର୍ଜନ କରିବାକୁ ସମସ୍ତେ ଦୃଢ଼ ନିଷ୍ପତ୍ତି ନେବାକୁ କହିଥିଲେ। ଏହି କାର୍ଯ୍ୟକ୍ରମକୁ ରବୀନ୍ଦ୍ର ପରମାଣିକ ପରିଚାଳନା କରିଥିବା ବେଳେ ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଅଶ୍ବିନୀ ପାଣିଗ୍ରାହୀ ସଂଯୋଜନା କରିଥିଲେ।  ନିରୋଜ ଖମାରୀ ଓ ଦେବାର୍ଚ୍ଚନ ରାଉତ ଉପସ୍ଥିତ ଥି‌ଲେ। ସେହିପରି ବୋଡ଼େନ ଓ କରଙ୍ଗାମାଲ ବ୍ଲକ୍‌ ‘ସମ୍ବାଦ’ ପ୍ରତିନିଧି ଦିଲୀପ ପଣ୍ଡା, ଭୀଷ୍ମଦେବ ହେର୍ଣ୍ଣା, ବଂଶୀଧର ନାଗ ଓ ରାମନାଥ ପଣ୍ଡା ସହଯୋଗ କରିଥିଲେ।