ଢିଙ୍କିଆକୁ ମାଡ଼ିଆସୁଛି ବିପଦ, ସୁରକ୍ଷା କବଚ ବାଲି ସ୍ତୁପରୁ ବାଲି ଚୋରି!

ଜଗତସିଂହପୁର : ଢିଙ୍କିଆ ଅଞ୍ଚଳ ପ୍ରତି ଭୟଙ୍କର ବିପଦ ବଢ଼ିବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟ ଦାଉରୁ ରକ୍ଷା କରିବାକୁ ସୁରକ୍ଷା କବଚ ଭାବେ ଛିଡ଼ା ହୋଇଥିବା ଝାଉଁ ଜଙ୍ଗଲ ଓ ବାଲିସ୍ତୁପ ଲୋପ ପାଉଥିବାରୁ ଏହି ଆସନ୍ନ ବିପଦ ଅଞ୍ଚଳବାସୀଙ୍କ ପାଇଁ ଆତଙ୍କର କାରଣ ହୋଇଛି। ପୋସ୍କୋ ପ୍ରକଳ୍ପ ପାଇଁ ହଜାରରୁ ଊର୍ଦ୍ଧ୍ବ ଝାଉଁ ଜଙ୍ଗଲ ଓ ଅନ୍ୟାନ୍ୟ ବଡ଼ ବଡ଼ ଗଛ କଟିଥିଲା। ଏବେ ଶହ ଶହ ପୁରୁଷ ଧରି ଢିଙ୍କିଆ ଓ ନୂଆଗାଁ ପଞ୍ଚାୟତ ପାଇଁ ଢାଲ ହୋଇ ଛିଡ଼ା ହୋଇଥିବା କଟତିକନ୍ଧା ବାଲିସ୍ତୁପରୁ ବାଲି ବୁହା ଚାଲିଛି। ସମୁଦ୍ରଠାରୁ ମାତ୍ର ୨ କିମି ଦୂରରେ ଥିବା ଢିଙ୍କିଆ ଓ ନୂଆଗାଁବାସୀଙ୍କ ସୁରକ୍ଷା କବଚ ଝାଉଁ ଜଙ୍ଗଲ ଓ କଟତିକନ୍ଧା ବାଲି ସ୍ତୁପ ଧ୍ବଂସ ହେଲେ ସମୁଦ୍ର ଜୁଆର ହୁଏତ ଅଞ୍ଚଳକୁ ଗ୍ରାସ କରିବ ‌ବୋଲି ଆଶଙ୍କା ପ୍ରକାଶ ପାଇଛି।

୧୯୯୯ ମହାବାତ୍ୟା ସମୟରେ ଏରସମା ବ୍ଲକ୍ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିବା ବେଳେ ସମୁଦ୍ରରୁ ମାତ୍ର ଦୁଇ କିମି ଦୂରରେ ଥିବା ଏହି ଅଞ୍ଚଳ ବର୍ତ୍ତି ଯାଇଥିଲା। ଗାଁରେ ରହିଥିବା କୌଣସି ଲୋକଙ୍କର ପ୍ରାଣହାନୀ ଘଟି ନଥିଲା। ଦୁଇ ତିନି ଜଣ ଯେଉଁମାନେ ଗାଁ ବାହାରେ ରହିଥିଲେ, ସେମାନଙ୍କର ମୃତ୍ୟୁ ହୋଇଥିଲା। ଝାଉଁ ଜଙ୍ଗଲ ଓ ବାଲି ସ୍ତୁପ ଯୋଗୁଁ ସମୁଦ୍ର ଜୁଆର ଗାଁ ମଧ୍ୟକୁ ପ୍ରବେଶ କରି ପାରି ନଥିଲା। ମାତ୍ର ପୋସ୍କୋ ପ୍ରକଳ୍ପ ଯୋଗୁଁ ଏହି ଅଞ୍ଚଳରୁ ହଜାରେରୁ ଊର୍ଦ୍ଧ୍ବ ଝାଉଁ ଜଙ୍ଗଲ, ୫ ହଜାର ଆମ୍ବ, ନଡ଼ିଆ, କାଜୁ, ପଣସ ଓ ୨୮୦୦ ପାନ ବରଜ କଟିଥିଲା। ସେତେବେଳେ ଏହାକୁ ନେଇ ଗ୍ରାମବାସୀ ତୀବ୍ର ପ୍ରତିବାଦ କରିଥିଲେ। ପୋସ୍କୋ ପ୍ରକଳ୍ପ ଫେରିଯିବା ପରେ ସମସ୍ତେ ଚୁପ୍ ହୋଇଯାଇଥିଲେ। ସମୁଦ୍ରରୁ ଆପଣାଛାଏଁ ବାଲି ଉଡ଼ି ଆସି ଏଠାରେ ବଡ଼ ବଡ଼ ସ୍ତୁପ ସୃଷ୍ଟି ହୋଇଥିଲା। ନିକଟରେ ଭୋସ୍କାଲିସ୍ ପଏଣ୍ଟ ଖୋଳା ଯିବା ସମୟରେ ଛୋଟ ଛୋଟ ବାଲିସ୍ତୁପ ଇତିମଧ୍ୟରେ ଲୀନ ହୋଇଯାଇଥିଲା। ମାତ୍ର ଶହ ଶହ ପୁରୁଷ ଧରି କଟତିକନ୍ଧା ବାଲି ସ୍ତୁପଟି ସେମିତି ମୁଣ୍ଡ ଟେକି ଛିଡ଼ା ହୋଇଥିଲା। ବର୍ତ୍ତମାନ ଏହି ସ୍ତୁପରୁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ହାଇୱା ଯୋଗେ ବାଲି ଉଠି ପାରାଦୀପ ଷଣ୍ଢକୁଦ ଅଞ୍ଚଳରେ ଚାଲିଥିବା ନିର୍ମାଣ କାମରେ ଲଗାଯାଉଛି। ଫଳରେ ଏହି ଅଞ୍ଚଳଟି ଏବେ ସମ୍ପୂର୍ଣ୍ଣ ଖିନ୍ ଭିନ୍ ହୋଇଗଲାଣି।

ଏ ନେଇ ଏରସମା ତହସିଲଦାର ଚ‌ୌଧୁରୀ ପ୍ରଜ୍ଞାନନ୍ଦ ଦାସ କୁହନ୍ତି ଯେ, ଏହି ବାଲି ଉଠା ଆଦୌ ବେଆଇନ ନୁହେଁ। ଲୋକମାନଙ୍କ ନିଜସ୍ବ ଜାଗାରୁ ଏହି ବାଲି ଉଠାଯାଇଛି। ଏଥିପାଇଁ ବାଲି ଉଠାଉଥିବା ବ୍ୟବସାୟୀମାନେ ରାଜସ୍ବ ଦେଇଛନ୍ତି। ଏହାଛଡ଼ା ଗ୍ରାମବାସୀଙ୍କର ମଧ୍ୟ ଏଥିରେ ସହମତି ରହିଛି। କିନ୍ତୁ ତହସିଲଦାର ସବୁ ଠିକ୍ ଅଛି ବୋଲି କହୁଥିବା ବେଳେ କେବଳ ରାତିରେ କାହିଁକି ବାଲି ଉଠୁଛି? ଜମିଠାରୁ ବହୁ ଉଚ୍ଚରେ ବାଲି ରହିଛି। ସେଠାରେ ଥିବା ଲୋକମାନଙ୍କର ଜମି ମାପ କରାଗଲା କେମିତି? ସେହି ନିର୍ଦ୍ଦିଷ୍ଟ ଜମିରୁ କେବଳ ବାଲି ଉଠାଯାଉଛି ନା ଏହାଠାରୁ ଅଧିକ ଜାଗାରୁ ଏପରି କାରବାର ଚାଲିଛି? ଏମିତି ଅନେକ ପ୍ରଶ୍ନ ଏବେ ଏହି ବାଲି କାରବାରକୁ ନେଇ ଉଠିଥିବା ବେଳେ ପ୍ରଶାସନ ଏଥିପ୍ରତି ସତର୍କ ନ‌ହେବା ଅଞ୍ଚଳ ପ୍ରତି ବିପଦ ଡାକି ଆଣୁଛି।

ସମ୍ବନ୍ଧିତ ଖବର