ଚିନ୍ତା ବଢ଼ାଇଲା ସୁରତ, ଗଞ୍ଜାମକୁ ମାଡ଼ି ଆସୁଛି ବିପଦ!

ସୁରତରେ ନାଇଟ୍‌ କର୍ଫ୍ୟୁ, ୨ ଦିନରେ ୫୦୦ ଆକ୍ରାନ୍ତ, ଓଡ଼ିଆ ଶ୍ରମିକ ଆତଙ୍କିତ

ବ୍ରହ୍ମପୁର: ଗୁଜୁରାଟର ସୁରତ ଏବେ ଦୁଇ ଦିନରେ ପୁଣି କରୋନା ହଟ୍‌ସ୍ପଟ୍‌ ପାଲଟିଛି। ‘ମିନି ଓଡ଼ିଶା’ ରୂପେ ପରିଚିତ ସୁରତ୍‌ରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବା ପରେ ରାତ୍ରୀ କର୍ଫ୍ୟୁ ଜାରି କରାଯାଇଛି। ଅଧିକାଂଶ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି। ସୁରତ ସହରରୁ ପ୍ରତ୍ୟହ ୨ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଗତକାଲି ଓ ଆଜି ଦୁଇ ଦିନରେ ଆକ୍ରାନ୍ତ ସଂଖ୍ୟା ୫ଶହ ଟପିଯାଇଛି। ସୁରତ୍‌ରେ କରୋନା ପ୍ରକୋପ ବୃଦ୍ଧି ଗଞ୍ଜାମ ପ୍ରତି ପୁଣି ବିପଦ ସୃଷ୍ଟି କରିଛି। ପ୍ରବାସୀମାନେ ପୁଣି ଭିଟାମାଟି ମୁହାଁ ହେବାକୁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିବା ପରେ ଏଭଳି ଆଶଙ୍କା ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

ସୁରତ ହେଉଛି ସୂତାକଳ ଓ ହୀରାକଟା ଶିଳ୍ପର ହବ୍‌। ଏଠାରେ ଓଡ଼ିଶାର ୫ରୁ ୬ଲକ୍ଷ ଶ୍ରମିକ ରହୁଛନ୍ତି। ଗଞ୍ଜାମରୁ ସର୍ବାଧିକ, ଅର୍ଥାତ ୩ଲକ୍ଷରୁ ଅଧିକ ଲୋକ ସୁରତରେ ରହୁଛନ୍ତି। ଗତବର୍ଷ ଲକ୍‌ଡାଉନ୍‌ ଯୋଗୁଁ ସୁରତ ସୂତାକଳ ଓ ହୀରା ଶିଳ୍ପ ବନ୍ଦ ହେବାରୁ ଜୀବିକା ହରାଇ ଏପ୍ରିଲ ୨୮ରୁ ପ୍ରବାସୀ ଗଞ୍ଜାମକୁ ଫେରିବା ଆରମ୍ଭ କରିଥିଲେ। ମେ ୨ ତାରିଖରେ ଗଞ୍ଜାମରୁ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରେ ଗଞ୍ଜାମ କରୋନା ହଟ୍‌ସ୍ପଟ୍‌ ପାଲଟିଥିଲା। ବହୁ ପରିଶ୍ରମ ପରେ ଜିଲ୍ଲାରେ କରୋନା ସ୍ଥିତିରେ ସୁଧାର ଆସିଛି। ପ୍ରବାସୀମାନେ ପୁଣି ଭିଟାମାଟି ଛାଡ଼ି ସୁରତକୁ ଫେରିଛନ୍ତି।

କିନ୍ତୁ, ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହେଲାବେଳକୁ ସୁରତ ସମେତ କିଛି ଅଞ୍ଚଳକୁ ଏବେ ପୁଣି କରୋନା ଫେରିଛି। କ‌ରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। କେବଳ ସୁରଟ ପୌରାଞ୍ଚଳ (ଏସ୍‌ଏମ୍‌ସି)ଇଲାକ‌ାରେ ୧୫ ତାରିଖରେ ୨୪୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ଗତ ୨୪ଘଣ୍ଟା ମଧ୍ୟରେ ସୁରତରେ ଆଉ ୨୬୨ଜଣ, ଅହମ୍ମଦାବାଦରେ ୨୦୯, ବଦୋଦ୍‌ରାରେ ୯୭ ଓ ରାଜକୋଟ୍‌ରେ ୯୫ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁଜରାଟରେ ଫେବ୍ରୁଆରି ମାସରୁ ଦୈନିକ ୨୫୦-୨୬୦ କ‌ରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ଦିନକୁ ପ୍ରାୟ ୯ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେବଳ ସୁରତରେ ଗତ ଦୁଇ ଦିନ ଭିତରେ ୫୦୨ ନୂଆ ସଂକ୍ରମିତ ବାହାରିବା ପରେ ଗୁଜରାଟ ସରକାର କଟକଣା ବୃଦ୍ଧି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ; ସୁରତ, ବଦୋଦ୍‌ରା, ଅହମ୍ମଦାବାଦ ଓ ରାଜକୋଟରେ ପୂର୍ବରୁ ରାତ୍ର ୧୨ ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କର୍ଫ୍ୟୁ ଲାଗିଥିଲା। ଆଜିଠାରୁ ସେହି ଅବଧିକୁ ବୃଦ୍ଧି କରାଯାଇଛି। ୩୧ ତାରିଖ ଯାଏ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ସୁରତ ସହରର ଅତି ସମ୍ବେଦନଶୀଳ ଅଞ୍ଚଳର ୨୦ଟି ରୁଟ୍‌ରେ ୩ଶହରୁ ଅଧିକ ସିଟି ବସ୍‌ ସେବା ବନ୍ଦ ରଖାଯାଇଛି। ଏଥିସହିତ ସଂକ୍ରମିତ ବାହାରୁଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକୁ ୧୪ ଦିନ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି।

ମହାରାଷ୍ଟ୍ରର ମୁମ୍ବାଇ ସମେତ ବିଭିନ୍ନ ଅଞ୍ଚଳ ଓ ଗୁଜରାତଟର ସୁରତ୍‌ରେ ଗଞ୍ଜାମ ଜିଲ୍ଲାର ଲୋକମାନେ କାମ କରୁଛନ୍ତି। କରୋନା ପ୍ରକୋପ ବୃଦ୍ଧି ପାଇବା ପରେ ସେମାନେ ପୁଣି ଭୟରେ ରହିଛନ୍ତି। ସଂକ୍ରମଣ ବ୍ୟାପିଲେ ଏବଂ ଲକ୍‌ଡାଉନ ଆରମ୍ଭ ହେଲେ ପୁଣି ସୂତାକଳ ଓ ହୀରା ଶିଳ୍ପ ବନ୍ଦ ହେବାର ସମ୍ଭାବନା ଥିବାରୁ ଓଡ଼ିଆ ଶ୍ରମିକ ଘରମୁହାଁ ହେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଏହା ଫଳରେ ଗଞ୍ଜାମରେ କରୋନା ପୁଣି ବଢିବା ଆଶଙ୍କା ରହିଛି।

ଗୁଜରାଟ, ମହାରାଷ୍ଟ୍ର ପୁଣି କରୋନା ହଟ୍‌ସ୍ପଟ୍‌ ପାଲଟିଥିବା ବେଳେ ସେଠାରୁ ଟ୍ରେନ୍‌ ଓଡ଼ିଶା ଆସୁଛି। ଉକ୍ତ ଟ୍ରେନ୍‌ ଗୁଡ଼ିକ ସମସ୍ତ ପ୍ରମୁଖ ଷ୍ଟେସନ୍‌ରେ ରହଣି କରୁଛି। ସେଠାରୁ ପ୍ରତ୍ୟହ ଶହ ଶହ ଯାତ୍ରୀ ଆସୁଛନ୍ତି। ସୋମବାର, ମଙ୍ଗଳବାର, ବୁଧବାର ଓ ଶନିବାର ଅହମ୍ମଦାବାଦ୍‌-ପୁରୀ ଟ୍ରେନ୍‌ ଆସୁଛି। ଭୋର୍‌ ୪ଟା ୧୭ମିନିଟ୍‌ରେ ଏହି ଟ୍ରେନ୍‌ ବ୍ରହ୍ମପୁର ଷ୍ଟେସନ୍‌ରେ ଲାଗୁଛି।। ସେହିପରି ଶୁକ୍ରବାର ଗାନ୍ଧୀଧାମ-ପୁରୀ ଏବଂ ଓଖା-ପୁରୀ ସୁରତରୁ ଆସୁଛି। ସେହିପରି ମୁମ୍ବାଇରୁ ପ୍ରତ୍ୟହ କୋଣାର୍କ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌ ଆସୁଛି। ଏହି ଟ୍ରେନ୍‌ ବ୍ରହ୍ମପୁରରେ ପ୍ରତ୍ୟହ ରାତି ୮ଟାରେ ପହଞ୍ଚୁଛି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାରାଷ୍ଟ୍ର, ଗୁଜରାଟରୁ ଆସୁଥିବା ଟ୍ରେନ୍‌ରେ ଯାତ୍ରୀଙ୍କ ସ୍କ୍ରିନିଂ ଲାଗି ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ସଂକ୍ରମିତଙ୍କୁ ନେଇ ଆସୁଥିବା ଟ୍ରେନ୍‌କୁ ରୋକାଯାଉନାହିଁ। ରାଜ୍ୟ ସରକାର ବେଳ ଥାଉଥାଉ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଥିବା ସାଧାରଣରେ ମତ ପ୍ରକାଶ ପାଇଛି।

ଟିକା ନେଇଥିବା ଲୋକଙ୍କ ଆଣ୍ଟିବଡି ପରୀକ୍ଷା

ଭୁବନେଶ୍ବର: କ‌ରୋନା ଟିକା ନେଉଥିବା ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହେଉଛି କି ନାହିଁ ତାହାକୁ ଜାଣିବା ଲାଗି ରାଜ୍ୟରେ ନମୁନା ସଂଗ୍ରହ ଆରମ୍ଭ ହୋଇଛି। ରାଜ୍ୟରେ ଦୁଇ ପ୍ରକାରର ଟିକା କୋଭାକ୍ସିନ୍ ଓ କୋଭିସିଲ୍‌ଡ ଦିଆଯାଉଥିବାରୁ କୋଭାକ୍ସିନ୍ ପାଇଁ କ୍ୟାପିଟାଲ ହସ୍ପିଟାଲ ସମେତ ଆଇଏଲ୍‌ଏସ୍‌, ଆରଏମ୍‌ଆର୍‌ସି ଓ କୋଭିସିଲ୍‌ଡ ପାଇଁ ଏମ୍‌କେସିଜି ଓ ଭିମ୍‌ସାରରୁ ନମୁନା ସଂଗ୍ରହ କରାଯାଉଛି। ପ୍ରଥମ ଓ ଦ୍ବିତୀୟ ଡୋଜ୍ ପାଇଁ ନମୁନା ସଂଗ୍ରହ କରାଯିବ। ଏହି ସଂଖ୍ୟା ୫ଶହ ଟପିବ ବୋଲି ଅନୁମାନ କରାଯାଉଛି।

କରୋନା ମହାମାରୀ ବ୍ୟାପିବା ପରେ ଟିକା ହିଁ ଏକମାତ୍ର ମହୋଷଧି ପାଲଟିଛି। ଓଡ଼ିଶା ସମେତ ଦେଶବ୍ୟାପୀ ଦୁଇ ପ୍ରକାରର ଟିକା ଦିଆଯାଉଛି। ହେଲେ ଟିକା ନେଉଥିବା ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁ ପାଇଁ ଆଣ୍ଟିବଡି ବିକଶିତ ହେଉଛି କି ନାହିଁ ତାହା ଜାଣିବା ଲାଗି ନମୁନା ସଂଗ୍ରହ ଆରମ୍ଭ ହୋଇଛି। ଆରଏମ୍‌ଆର୍‌ସିର ପ୍ରୋଟୋକଲ ଅନୁଯାୟୀ ବୁର୍ଲା ଭିମ୍‌ସାର ଓ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜରେ ନମୁନା ସଂଗ୍ରହ ଆରମ୍ଭ ହୋଇଛି। ଭୁବନେଶ୍ବରରେ କେବଳ ‌କୋଭାକ୍ସିନ୍ ଟିକା ଦିଆଯାଉଥିବାରୁ ଏଠାରେ କ୍ୟାପିଟାଲ ହସ୍ପିଟାଲ, ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲ୍‌ଏସ୍‌ ଓ ଆରଏମ୍‌ଆର୍‌ସିର ଯେଉଁ କର୍ମଚାରୀମାନେ ଟିକା ନେଇଥିଲେ ସେମାନଙ୍କଠାରୁ ମଧ୍ୟ ନମୁନା ସଂଗ୍ରହ କରାଯାଇଛି। କ୍ୟାପିଟାଲ ହସ୍ପିଟାଲରୁ ୨୦-୨୫ ନମୁନା ସଂଗ୍ରହ କରାଯାଇଛି।

ଭିମ୍‌ସାର ଓ ଏମ୍‌କେସିଜିରେ କେତେ ସଂଖ୍ୟକ ନମୁନା ସଂଗ୍ରହ କରାଯାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ନମୁନା ସଂଗ୍ରହ ହୋଇଥିବା ଲୋକଙ୍କ ମଧ୍ୟରେ ସର୍ବାଧିକ ଅଂଶଗ୍ରହଣକାରୀ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି। ଆରଏମ୍‌ଆର୍‌ସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭିମ୍‌ସାର ଓ ଏମ୍‌କେସିଜି ପକ୍ଷରୁ ଯେଉଁ ନମୁନା ସଂଗ୍ରହ କରାଯାଇଛି ସେସବୁ ନମୁନା ଆରଏମ୍‌ଆର୍‌ସିକୁ ପ୍ରଦାନ କରାଯିବ। ଏହାସହ ଆରଏମ୍‌ଆର୍‌ସି କ୍ୟାପିଟାଲ ହସ୍ପିଟାଲ ସମେତ ଆଇଏଲ୍‌ଏସ୍‌ ଓ ଆରଏମ୍‌ଆର୍‌ସିର କର୍ମଚାରୀଙ୍କଠାରୁ ନେଇଥିବା ନମୁନାକୁ ନେଇ ଏକ ଗବେଷଣା କରିବ। ଏଥିରେ ଉଭୟ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ପରେ ନମୁନା ରହିବ। ଏହାସହ ଯେଉଁମାନେ ଉଭୟ ଡୋଜ୍ ଟିକା ନେଇ ସାରିଛନ୍ତି ସେମାନଙ୍କୁ ମଧ୍ୟ ଆରଏମ୍‌ଆରସି ପକ୍ଷରୁ ଫଲୋଅପ୍ ଜାରି ରହିବ। ଆସନ୍ତା ୪/୫ମାସ ପରେ ଏ ସଂପର୍କିତ ରିପୋର୍ଟ ଆସିବ ବୋଲି ଆରଏମ୍‌ଆରସି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କଠାରେ ଟିକା ଯୋଗୁଁ ଆଣ୍ଟିବଡି ସୃଷ୍ଟି ହୋଇଛି। ହେଲେ ଏହା ଲୋକଙ୍କ ଶରୀରରେ କେତେ ପରିମାଣର ଆଣ୍ଟିବଡି ସୃଷ୍ଟି କରିବାରେ ସଫଳ ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

ଏହାସହ କଟକ ସଦରରେ ସେରୋ ସର୍ଭେ ଆରମ୍ଭ ହୋଇଛି। ଏହା ପରେ କଟକ ସହର ଓ ଭୁବନେଶ୍ୱର ସେରୋ ସର୍ବେକ୍ଷଣ କରାଯିବ। ପରବର୍ତୀ ସମୟରେ ସମ୍ବଲପୁର, ରାଉରକେଲା, ପୁରୀ, ବ୍ରହ୍ମପୁରରେ ମଧ୍ୟ ‌ସର୍ବେକ୍ଷଣ କରାଯିବ। ପ୍ରତି ୬ ମାସରେ ଏଭଳି ସର୍ବେକ୍ଷଣ କରାଯିବା କଥା। ଅନେକ ସ୍ଥାନରେ ପୂର୍ବରୁ ହୋଇଥିବା ସର୍ବେକ୍ଷଣ ୬ମାସ ଟପିଗଲାଣି। ଏପରିକି ଗତ ଅକ୍ଟୋବର ଓ ନଭେମ୍ବରରେ ହୋଇଥିବା ସେରୋ ସର୍ଭେରେ ଭୁବନେଶ୍ୱର ଓ କଟକରେ ୫୦ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ନଜରକୁ ଆସିଥିଲା।

ସମ୍ବନ୍ଧିତ ଖବର