ରାଜନଗର: ପ୍ରାକୃତିକ ବିପର୍ଯ୍ୟୟରୁ ଉପକୂଳକୁ ସୁରକ୍ଷା ଯୋଗାଉଥିବା ହେନ୍ତାଳ ବଣ ବା ଲୁଣା ଜଙ୍ଗଲ ଏବେ ବିପଦରେ। ଓଡ଼ିଶାର ୮୬ ପ୍ରତିଶତ ଲୁଣା ଜଙ୍ଗଲ ଭିତରକନିକାର ହେନ୍ତାଳ ବଣ ଅଞ୍ଚଳରେ ଥିବା ବେଳେ ତାହାର ସୁରକ୍ଷାକୁ ନେଇ ଚିନ୍ତା ବଢୁଛି। ମଧୁର ଜଳ ପରିମାଣ ହ୍ରାସ ପାଇବା ଯୋଗୁଁ ହେନ୍ତାଳ ବଣ ‌କ୍ଷୟ ହେବାରେ ଲାଗିଛି। ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ହାଇଡ୍ରୋ ଇକୋଲୋଜିକାଲ ସର୍ଭେ କରାଯାଇ ଆବଶ୍ୟକ ପଦକ୍ଷେପ ନିଆ ନଗଲେ ଆଗକୁ ଗୁରୁତର ସ୍ଥିତି ସୃଷ୍ଟି କରିବ ବୋଲି ପରିବେଶବିତମାନେ ଚିନ୍ତାବ୍ୟକ୍ତ କରିଛନ୍ତି ।

Advertisment

ଭାରତ ସରକାରଙ୍କ ବନ ସର୍ବେକ୍ଷଣ ସଂସ୍ଥା-୨୦୨୧ର ରିପୋର୍ଟ ଅନୁସାରେ ସାରା ଓଡ଼ିଶାରେ ୨୫୮.୫୯ ବର୍ଗ କିମି ଲୁଣା ଜଙ୍ଗଲ ଥିବା ବେଳେ ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଅର୍ଥାତ୍‌ ଭିତରକନିକାରେ ୮୧ ପ୍ରତିଶତ ଲୁଣା ଜଙ୍ଗଲ ରହିଛି। ଭିତରକନିକା ଜାତୀୟ ଉଦ୍ୟାନର ମାନ୍ୟତା ପାଇବା ପରେ ଲୁଣା ଜଙ୍ଗଲ ସୁରକ୍ଷିତ ହୋଇପାରିଛି । ମାତ୍ର ମଧୁର ଜଳ ସ୍ରୋତ ଭିତରକନିକାକୁ ନିୟମିତ ଭାବେ ହ୍ରାସ ପାଉଥିବାରୁ ଲୁଣାଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି। ହେନ୍ତାଳ ବଣ ବା ଲୁଣାଜଙ୍ଗଲ ସୃଷ୍ଟି ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣର ମଧୁର ଓ ଲୁଣି ଜଳ ଆବଶ୍ୟକ। ନଦୀମାନଙ୍କରେ ପ୍ରବାହିତ ମିଠା ପାଣି ଓ ସମୁଦ୍ରରୁ ପ୍ରତିଦିନ ଜୁଆରରେ ଆସୁଥିବା ଲୁଣି ପାଣିର ମିଶ୍ରଣ ଯୋଗୁଁ ଲୁଣା ଜଙ୍ଗଲ ବଞ୍ଚି ରହିଥାଏ। ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀର ମଧୁର ଜଳ ଭିତରକନିକାରେ ପ୍ରବାହିତ ହୋଇଥାଏ। ଏହି ୩ଟି ନଦୀର ମଧୁର ଜଳସ୍ରୋତ ଧୀରେ ଧୀରେ କମିବାରେ ଲାଗିଛି। ପୂର୍ବରୁ ଭିତରକନିକା ଜାତୀୟ ଉଦ୍ୟାନକୁ ୭୦ ପ୍ରତିଶତ ମଧୁର ଜଳ ପ୍ରବାହିତ ହେଉଥିଲା। ତାହା ଏବେ ବର୍ଷା ଦିନେ ୪୦ ପ୍ରତିଶତକୁ ଖସି ଆସିଥିବା ବେଳେ ଖରା ଦିନେ ୧୫ ପ୍ରତିଶତ ମଧ୍ୟରେ ରହୁଛି। ଯାହାକି ଲୁଣା ଜଙ୍ଗଲ ପାଇଁ ଭୟଙ୍କର ବିପଦକୁ ଡାକି ଆଣୁଛି। ଭିତରକନିକାର ଲୁଣା ଜଙ୍ଗଲକୁ ବଞ୍ଚାଇ ରଖିବା ପାଇଁ ହାଇଡ୍ରୋ ଇକୋଲୋଜିକାଲ ସର୍ଭେ କରାଯିବା ନିହାତି ଆବଶ୍ୟକ। ମଧୁର ପାଣି କମିବା ଫଳରେ ବଗଗହନ ଓ ମଠଆଡିଆରେ ବହୁ ବିରଳ ଲୁଣା ଜାତୀୟ ଗଛ ମରିଯିବା ଚିନ୍ତାର କାରଣ ହୋଇଛି।