ମଣ୍ଡଳବଜାର ମାର୍କେଟ୍ କମ୍ପ୍ଲେକ୍ସରେ ଜଗିଛି ବିପଦ
ନିର୍ମାଣ ଦିନଠୁ ମରାମତି ହୋଇନି, ଛାତରୁ ଖସୁଛି ପ୍ଲାଷ୍ଟର, ଗଳୁଛି ପାଣି
ବାଲେଶ୍ବର: ମୃତ୍ୟୁର ଫାଶ ସାଜିଛି ବାଲେଶ୍ବର ସହରସ୍ଥିତ ମଣ୍ଡଳବଜାର ମାର୍କେଟ୍ କମ୍ପ୍ଲେକ୍ସ। କାନ୍ଥ ସବୁ ଫାଠି ଆଁ ହୋଇଛି। ଛାତରୁ ରଡ୍ ବାହାରି ବିପଦସଂକୁଳ ଅବସ୍ଥାରେ ଅଛି। କେଉଁଠି ବିଲ୍ଡିଂର ଛାତ ଅଧା ଭାଙ୍ଗିଯାଇଛି ତ କେଉଁଠି ପିଲର ଓ ଛାତରୁ ପ୍ଲାଷ୍ଟର ଖସୁଛି। ଅଧିକାଂଶ ଦୋକାନ ଘର ଛାତ ନଷ୍ଟ ହୋଇଥିବା ବେଳେ ବର୍ଷା ହେଲେ ପାଣି ଗଳୁଛି। କେତେବେଳେ ଭୁଶୁଡ଼ି ପଡ଼ିବ, କହିହେବ ନାହିଁ। ନିର୍ମାଣ ଦିନଠୁ ପୌରପାଳିକା ମରାମତି ଦିଗରେ କେବେ ଗୁରୁତ୍ବ ଦେଇନାହିଁ। ମାର୍କେଟ୍ କମ୍ପ୍ଲେକ୍ସର ସମସ୍ତ ଘର ମରାମତିର ଆବଶ୍ୟକତା ଥିବା ବେଳେ ସେନେଇ ଗୁରୁତ୍ବ ନଦେଇ ପୌର ପ୍ରଶାସନ ମାସକୁ ମାସ ଦୋକାନୀଙ୍କଠାରୁ ଟଙ୍କା ଗଣୁଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମାର୍କେଟ୍ କମ୍ପ୍ଲେକ୍ସର ବହୁ ଦୋକାନୀ।
ଭୁଶୁଡ଼ିବାକୁ ଅପେକ୍ଷା କରିଛି ପୌର ପ୍ରଶାସନ
ରାତି ହେଲେ ଜମୁଛି ଅସାମାଜିକଙ୍କ ଆଡ୍ଡା
ମଣ୍ଡଳବଜାର ମାର୍କେଟ୍ କମ୍ପ୍ଲେକ୍ସରେ ୧୦୦ରୁ ଊର୍ଦ୍ଧ୍ବ ଦୋକାନ ଘର ରହିଛି। ୪୦ ବର୍ଷ ତଳେ ନିର୍ମାଣ ହୋଇଥିବା ଦୋକାନ ଘର ଏବେ ସମସ୍ତଙ୍କ ପାଇଁ ବିପଦ ସାଜିଛି। ଅଧିକାଂଶ ଦୋକାନ ଘର ଭୁଶୁଡ଼ିବା ଅବସ୍ଥାରେ ରହିଛି। ଦୋକାନୀମାନେ ବାରମ୍ବାର ପୌର ପ୍ରଶାସନକୁ ସମସ୍ୟା ବାବଦରେ ଜଣାଇବା ପରେ କିଛି ନ ହେବାରୁ ଅନେକ ଦୋକାନୀ ନିଜସ୍ବ ଉଦ୍ୟମରେ ଦୋକାନ ଘର ମରାମତି କରିଛନ୍ତି। ହେଲେ ଅଧିକାଂଶ ଦୋକାନ ଘର ମରାମତି ଅବସ୍ଥାରେ ଆଉ ନାହିଁ।
ପ୍ରତିଦିନ ଏହି ବଜାରକୁ ଶତାଧିକ ଲୋକ ଆସୁଛନ୍ତି। ବିଲଡିଂର ଅବସ୍ଥା ଦେଖି ଏହା ଭିତରକୁ ଯିବା ପାଇଁ ଭୟ କରୁଛନ୍ତି। ଅନ୍ୟପଟେ ଦୋକାନୀଙ୍କ ପକ୍ଷେ କିଛି ବିକଳ୍ପ ବ୍ୟବସ୍ଥା ନଥିବାରୁ ଜୀବିକା ପାଇଁ ଭଙ୍ଗାଦଦରା ଘରେ ବିପଦ ମୁଣ୍ଡାଇ ବସି ବ୍ୟବସାୟ କରିଆସୁଛନ୍ତି। ଦୋକାନୀମାନେ ବାରମ୍ବାର ଏ ଦିଗରେ ପୌରପାଳିକାକୁ ଜଣାଉଛନ୍ତି। ହେଲେ ପୌର ପ୍ରଶାସନ କିଛି ବି ବିହିତ ପଦକ୍ଷେପ ନେବାକୁ ମନ ଦେଉନାହିଁ। ସେହିପରି ପୌରପାଳିକାର ସଫେଇ କର୍ମଚାରୀ ନିୟମିତ ଏହି ମାର୍କେଟ୍ କମ୍ପ୍ଲେକ୍ସର ସଫେଇ କରୁନାହାନ୍ତି। ଯାହାଫଳରେ ଯେଉଁଠି ଅନେଇଲେ ଖାଲି ଅଳିଆଗଦାର ଦୃଶ୍ୟ।
ମାର୍କେଟ୍ କମ୍ପ୍ଲେକ୍ସରେ ସୁରକ୍ଷା ବାଡ଼ ନଥିବାରୁ ରାତିରେ ଏହା ଭିତରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ସକାଳ ହେଲେ ମେଞ୍ଚା ମେଞ୍ଚା ମଦ ବୋତଲ ଦୋକାନ ଆଗରେ ଗଡ଼ୁଛି। ବିଭିନ୍ନ ସମୟରେ ଏହାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ବି ସୃଷ୍ଟି ହେଉଛି। ସେହିପରି ଏହି ମାର୍କେଟ୍ କମ୍ପ୍ଲେକ୍ସ ପରିସରରେ ଆଉ କିଛି ଆପତ୍ତିଜନକ କାମ ହେଉଥିବା ଅଭିଯୋଗ ଆସୁଛି। ଏ ସଂପର୍କରେ ଦୋକାନୀମାନେ ସବୁ ଜାଣିଥିଲେ ବି ଭୟରେ ଚୁପ୍ ରହୁଛନ୍ତି।
ପ୍ରଶ୍ନ ଉଠୁଛି, ପୌରପାଳିକା ମାସକୁ ଦୋକାନୀଙ୍କଠାରୁ ଭଡ଼ା ବାବଦକୁ ଟଙ୍କା ନେଉଥିବା ବେଳେ ଦୋକାନ ଘର ମରାମତି କାହିଁକି କରୁନାହିଁ? ଭୁଶୁଡ଼ିବା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରୁଛି? ଆଉ ଭୁଶୁଡ଼ିବା ପରେ ବି ନୂଆ ନିର୍ମାଣ କହିଁକି କରୁ ନାହିଁ?
ଉଲ୍ଲେଖ ଥାଉକି କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ୨୬ଟି ଦୋକାନ ଘର ରହିଛି। ମରାମତି ଅଭାବରୁ ଗୋଟିଏ ପରେ ଗୋଟିଏ ହୋଇ ସମସ୍ତ ଦୋକାନ ଘର ଭୁଶୁଡ଼ିଯାଇଛି। ଫଳରେ ଜୀବିକା ହରାଇ ଘରେ ହାତବାନ୍ଧି ବସିଛନ୍ତି ଦୋକାନୀ। ସମୟ ଆସିବ ମଣ୍ଡଳବଜାରର ପରିସ୍ଥିତି ବି ସେମିତି ହେବ।
ତେବେ ଦୋକାନ ଘର ଭୁଶୁଡ଼ିବା ପରେ ପୌର ପାଣ୍ଠିକୁ ଯାଉଥିବା ରାଜସ୍ବ ପୌରପାଳିକା ହରାଉଛି। ଏମିତି ସହରର ବହୁ ଦୋକାନ ଘର ବ୍ୟବହାର ନହୋଇ ରହିଛି। ଫଳରେ ପୌରପାଳିକା ହଜାର ହଜାର ଟଙ୍କା ରାଜସ୍ବ ହରାଇବା ସହ ଦୋକାନୀମାନେ ବେରୋଜଗାର ହେଉଛନ୍ତି। ଦୁର୍ଭାଗ୍ୟ, ଏ ଦିଗରେ ପୌରପାଳିକା ଆଦୌ ସଚେତନ ହେଉନାହିଁ କି ଜିଲ୍ଲା ପ୍ରଶାସନ ବି ଏଥିପ୍ରତି ଗୁରୁତ୍ବ ଦେଉ ନାହିଁ ବୋଲି କହି ଦୋକାନୀ ଦିଲ୍ଲୀପ ଦତ୍ତ, ନଗେନ୍ଦ୍ର ସାହୁ, ଶିଶିର କୁମାର ଦାସ, ରଜତ କୁମାର ଦାସ, ବ୍ରଜମୋହନ ପଣ୍ଡା ପ୍ରମୁଖ ଅସନ୍ତୋଷ ପ୍ରକାଶ କରିଛନ୍ତି।