ଓଡ଼ିଶା ସମୁଦ୍ରରେ ରିପ୍ କରେଣ୍ଟ ବିପଦ: ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଲେ ମିଳୁଛି ୪ ଲକ୍ଷ

ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ତଥ୍ୟ ରଖିଲେ ସରକାର

କଟକ : ଓଡ଼ିଶାର ପୂର୍ବତଟ ସମୁଦ୍ରରେ ‘ରିପ୍ କରେଣ୍ଟ୍‌’ ବିପଦକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରିପ୍ କରେଣ୍ଟ ଯୋଗୁଁ ସମୁଦ୍ରରେ ବୁଡ଼ି ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ନିକଟ ସଂପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉଛି। ରିପ୍ କରେଣ୍ଟ ବିପଦ ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ସରକାରଙ୍କ ପକ୍ଷରୁ ଦାଖଲ ଜବାବରୁ ଏଭଳି ତଥ୍ୟ ସ୍ପଷ୍ଟ ହେବାପରେ ହାଇକୋର୍ଟ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ମାମଲାରେ ରାଜ୍ୟ ଗୃହ ବିଭାଗ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଜବାବ ଦାଖଲ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ପାଣିରେ ବୁଡ଼ି ମୃତ୍ୟୁ ହେବା ଘଟଣାକୁ ରାଜ୍ୟ ସରକାରଙ୍କ ତରଫରୁ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ପାଣିରେ ବୁଡ଼ି ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କ ନିକଟ ସଂପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉଛି। ଏପରି ଅନୁକମ୍ପାମୂଳକ ସହାୟତା ବ୍ୟବସ୍ଥାରେ ରିପ୍ କରେଣ୍ଟ ଯୋଗୁ ମୃତ୍ୟୁ ହେଉଥିବା ଘଟଣାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ପୁରୀ ସମୁଦ୍ରକୂଳରେ ୩୩ଟି ଏଭଳି ସ୍ଥାନ ରହିଛି। ପର୍ଯ୍ୟଟନ ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦ୍ରକୂଳରେ ଇଂରାଜୀ, ହିନ୍ଦୀ ଓ ଓଡ଼ିଆରେ ଲେଖାଥିବା ସୂଚନା ଫଳକ ପର୍ଯ୍ୟଟକଙ୍କୁ ସଚେତନ କରିବା ପାଇଁ ଲଗାଯାଇଛି। ପୁରୀ ଏସ୍‌ପି ତଥା ଗୃହ ରକ୍ଷୀ କମାଣ୍ଡାଣ୍ଟ ଓ ଉପଅଗ୍ନିଶମ ଅଧିକାରୀଙ୍କ ତଦାରଖରେ ନୋଳିଆ ଗୃହରକ୍ଷୀ (ଲାଇଫଗାର୍ଡ)ଙ୍କୁ ନିୟୋଜିତ କରାଯାଇଛି। ୯୮ଜଣ ଲାଇଫ୍‌ଗାର୍ଡ ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର ପାଇଁ ଟ୍ୟୁବ୍, ମେଗାଫୋନ୍ ଅଗ୍ନିଶମ ବିଭାଗ ତରଫରୁ ଯୋଗାଇ ଦିଆଯାଇଛି। ଏଥିସହିତ, ପୂର୍ବତଟବର୍ତ୍ତୀ ଅଞ୍ଚଳରେ ୮ଟି ପର୍ଯ୍ୟଟନ ପୁଲିସ ସେଲ୍‌ କରାଯାଇଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା।

ଯଦି କୌଣସି ନିର୍ଦ୍ଦି‌ଷ୍ଟ ପ୍ରସଙ୍ଗରେ ନିର୍ଦ୍ଦେଶ ଆବେଦନକାରୀ ଆବଶ୍ୟକ କରନ୍ତି, ତେବେ ସେ ସାନି ଆବେଦନ କରିପାରିବେ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୀନବନ୍ଧୁ ମିଶ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କାନନବାଳା ରାୟ ଚୌଧୁରୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର