କୋଣାର୍କ ଇକୋ ରିଟ୍ରିଟ୍‌କୁ ସମୁଦ୍ର ବିପଦ: ଟେଣ୍ଟ୍‌ ପଡ଼ିବାକୁ ଥିବା ଅଞ୍ଚଳରୁ ତିନି ଭାଗ ସମୁଦ୍ର ଖାଇଗଲାଣି

ମୁହାଣରେ ଗାବିଅନ୍ କାନ୍ଥ ନିର୍ମାଣ କରିବାକୁ ଯୋଜନା, ନୂଆନଈ ନେଚର୍‌ କ୍ୟାମ୍ପ୍‌ ଜାଗାରେ ହୋଇପାରେ ଇକୋ ରିଟ୍ରିଟ୍

ଭୁବନେଶ୍ବର: ବଙ୍ଗୋପସାଗର କୂଳରେ କୋଣାର୍କ ଇକୋ ରିଟ୍ରିଟ୍ ହେଉଥିବାରୁ ପର୍ଯ୍ୟଟକଙ୍କୁ ତାହା ଅଧିକ ଆକର୍ଷିତ କରୁଥିଲା। ହେଲେ ଏହି ବଙ୍ଗୋପସାଗର ଏବେ ଇକୋ ରିଟ୍ରିଟ୍ ପ୍ରତି ବିପଦ ସାଜିଛି। ରାମଚଣ୍ଡୀ ନିକଟରେ ୨୦୧୯ ମସିହାରୁ ଇକୋ ରିଟ୍ରିଟ୍ ହେଉଥିବାବେଳେ ସମୁଦ୍ର କୂଳ ଲଂଘି ଲଂଘି ଚାଲିଛି। ସ୍ଥିତି ଏପରି ହୋଇଛି ଯେ, ଇକୋ ରିଟ୍ରିଟ୍ ଯେତିକି ଅଞ୍ଚଳରେ ହେଉଥିଲା ତା’ର ତିନି ଭାଗ ଏବେ ସୁମଦ୍ର ଭିତରେ। ଇକୋ ରିଟ୍ରିଟ୍ ପାଇଁ ଯେତିକି ଜାଗା ଦରକାର ସେତିକି ନଥିବାରୁ ଚଳିତବର୍ଷ କୋଣାର୍କରେ ଇକୋରିଟ୍ରିଟ୍ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଜାନୁଆରି, ୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ବକପ୍ ହେବାକୁ ଥିବାବେଳେ ଚଳିତବର୍ଷ ନଭେମ୍ବର ୧ରୁ ଇକୋ ରିଟ୍ରିଟ୍ କରିବାକୁ ଯୋଜନା ହୋଇଛି। କୁଶଭଦ୍ରା ନଦୀ ମୁହାଣ ଉତ୍ତର-ପୂର୍ବ ଦିଗକୁ ଘୁଞ୍ଚି ଆସିଥିବାବେଳେ ସମୁଦ୍ରର ଉତ୍ତର ଦିଗରେ ମୁହାଣ କୂଳ ଲଘିଂଚାଲିଛି। ତେଣୁ ବର୍ତ୍ତମାନ ସ୍ଥିତିରେ କୋଣାର୍କରୁ ରାମଚଣ୍ଡୀ ମଧ୍ୟରେ କୌଣସି ସ୍ଥାନରେ ବି ଇକୋ ରିଟ୍ରିଟ୍ ଆୟୋଜନ ପାଇଁ ଆବଶ୍ୟକୀୟ ଜାଗା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା ହୋଇଛି। ଇକୋ ରିଟ୍ରିଟ୍ ନେଇ ଜାଗା ଚିହ୍ନଟ କରିବା ଏବଂ ପ୍ରତିକାର ବ୍ୟବସ୍ଥା ନେଇ ପର୍ଯ୍ୟଟନ ବିଭାଗ ଓ ଜଳସମ୍ପଦ ବିଭାଗର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

କୋଣାର୍କ ଇକୋ ରିଟ୍ରିଟ୍ ପାଇଁ ସବୁଠୁ ଉତ୍କୃଷ୍ଟ ସ୍ଥାନ କୁଶଭଦ୍ରା ମୁହାଣ ହୋଇଥିବାରୁ ଏଠାରେ ସମୁଦ୍ର ଯେପରି କୂଳ ନଲଘିଂବ ସେନେଇ କ୍ଷୁଦ୍ରସ୍ଥାୟୀ ଏବଂ ଦୀର୍ଘସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ପର୍ଯ୍ୟଟନ ବିଭାଗ ଜଳସମ୍ପଦ ବିଭାଗକୁ ଅନୁ‌ରୋଧ କରିଛି। ଏହାସହ ଜଳସମ୍ପଦ ବିଭାଗକୁ କୁହାଯାଇଛି ଯେ, ସମୁଦ୍ର ଯେପରି କୂଳ ନ ଲଂଘିବ ସେଥିପାଇଁ ମୁହାଣକୁ ଦକ୍ଷିଣ ଦିଗକୁ ସ୍ଥାନାନ୍ତର କରିବାକୁ ପଦକ୍ଷେପ ନେବ। ଏହାସହ ସମୁଦ୍ର ଯେପରି କୂଳ ନ ଲଂଘିବ ସେଥିପାଇଁ ବିଭିନ୍ନ ବିଶେଷଜ୍ଞ ସଂସ୍ଥା ସହ ଆଲୋଚନା କରି ଦୀର୍ଘସ୍ଥାୟୀ ପଦକ୍ଷେପ ନେବ। ମୁହାଣରେ ସମୁଦ୍ର ଲହରୀ ରୋକିବା ଭଳି ବନ୍ଧ ନିର୍ମାଣ କରିବା ବା ଗାବିଅନ୍ କାନ୍ଥ ନିର୍ମାଣ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି। ଏହି ଗାବିଅନ୍ କାନ୍ଥ ଯଦି ନଭେମ୍ବର ମାସ ମଧ୍ୟରେ ନିର୍ମାଣ ହୋଇପାରିବ ତେବେ ରାମଚଣ୍ଡୀ ନିକଟରେ ହିଁ ଇକୋ ରିଟ୍ରିଟ୍ ହେବ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ କମ୍‌ ସମୟ ମଧ୍ୟରେ ଏହି ଗାବିଅନ୍ କାନ୍ଥ ନିର୍ମାଣ କରିବା କଷ୍ଟକର ଥିବାରୁ ଇକୋ ରିଟ୍ରିଟ୍ ପାଇଁ ବିକଳ୍ପ ସ୍ଥାନ ଖୋଜିବାକୁ କୁହାଯାଇଛି। ଏଥିରେ ନୂଆ ନଈ ନେଚର୍‌ କ୍ୟାମ୍ପ ଜାଗାରେ ଇକୋ ରିଟ୍ରିଟ୍ କରିବାକୁ ବଛାଯାଇଛି। ନେଚର୍‌ କ୍ୟାମ୍ପ୍‌ରେ ଟେଣ୍ଟ ବନ୍ଧା ହେଉଥିବାରୁ ସେଗୁଡ଼ିକୁ ଖୋଲି ଇକୋ ରିଟ୍ରିଟ୍ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁହାଯାଇଛି। ଇକୋ ରିଟ୍ରିଟ୍ ସରିଲେ ପୂର୍ବଭଳି ନେଚର୍‌ କ୍ୟାମ୍ପ ଚାଲିବ। ଏନେଇ ପର୍ଯ୍ୟଟନ ବିଭାଗ ଜଙ୍ଗଲ ଓ ପରିବେଶ ବିଭାଗ ସହ ଆଲୋଚନା କରି ପଦକ୍ଷେପ ନେବ।

ସମ୍ବନ୍ଧିତ ଖବର