ପବିତ୍ର ପଲେଇ
ବାଂଶପାଳ: ନଦୀରେ ଅକାତକାତ ପାଣି। ସୁଅ ଏତେ ପ୍ରଖର ଯେ, ପାଣିରେ ପଡ଼ିଲେ ବର୍ତ୍ତିବା ଅସମ୍ଭବ। ଏଭଳି ସ୍ଥିତିରେ ସାମାନ୍ୟ ଏକ ଦଉଡ଼ି ସାହାଯ୍ୟରେ ବିପଦପୂର୍ଣ୍ଣ ଭାବେ ଭରାନଈ ପାର ହେଉଛନ୍ତି ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମୃଦ୍ଧ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ତଳକାଦକଳା ପଞ୍ଚାୟତ ହଲଡିହି ସାହିରେ। ତେବେ‌ ଏହି ଘଟଣା ଅଞ୍ଚଳବାସୀଙ୍କ ପାଇଁ ନୂଆ ନୁହେଁ। ଯାତାୟାତ ପାଇଁ ପୋଲଟିଏ ନଥିବାରୁ ଲୋକେ ଦଉଡ଼ି ସାହାଯ୍ୟରେ ନଦୀ ପାର ହେଉଛନ୍ତି। ଏପରିକି ଭତ୍ତା, ରାସନ୍‌ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଲୋକେ ନଦୀ ପାର ହୋଇ ଯାଉଛନ୍ତି। ରାଜ୍ୟ ରାଜକୋଷକୁ ସମୃଦ୍ଧ କରୁଥିବା କେନ୍ଦୁଝର ଜିଲ୍ଲାର ଏଭଳି ଦୃଶ୍ୟ ସମସ୍ତଙ୍କୁ ବିସ୍ମିତ କରିଛି।

Advertisment

ତଳକାଦକଳା ପଞ୍ଚାୟତଠାରୁ ୩ କିମି ଦୂରରେ ଅବସ୍ଥିତ ହଲଡିହି ସାହି। ଏହି ଗାଁରେ ମୁଣ୍ଡା ଓ ଧୀବର ସମ୍ପ୍ରଦାୟର ୩୫ଟି ପରିବାର ବାସ କରୁଛନ୍ତି। ପାନୀୟଜଳଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ ଏହି ଗାଁ ବହୁ ପଛରେ। ଗାଁରେ ନଳକୂଅଟିଏ ନଥିବାରୁ ନଦୀରେ ଚୁଆ ଖୋଳି ଲୋକେ ପାଣି ସଂଗ୍ରହ କରୁଛନ୍ତି। ଗାଁକୁ ରାସ୍ତା ନଥିବାରୁ କେହି ଅସୁସ୍ଥ ହେଲେ ଆମ୍ବୁଲାନ୍ସ ଆସିପାରେ ନାହିଁ। ଲୋକେ ରୋଗୀକୁ ଖଟିଆରେ ବୋହି ନଦୀ ପାର କରିବା ପରେ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଥାନ୍ତି। ଗାଁରେ ସ୍କୁଲ ନାହିଁ। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ହୋଇଥିଲେ ବି ନଦୀରେ ପୋଲ ନଥିବାରୁ ସେଠାରେ ରାସ୍ତା ସରିଯାଇଛି। ଛାତ୍ରଛାତ୍ରୀ ୩ କିମି ଦୂରରେ ଥିବା କାଦକଳା ଉଚ୍ଚବିଦ୍ୟାଳୟକୁ ଛାତ୍ରଛାତ୍ରୀ ବିପଦପୂର୍ଣ୍ଣ ଭାବେ ଉଛୁଳା ମଲଦା ନଦୀକୁ ଦଉଡ଼ି ସାହାଯ୍ୟରେ ପାର ହୋଇ ପାଠ ପଢ଼ିବାକୁ ଯାଉଛନ୍ତି। ରାସନ୍‌, ଭତ୍ତା ଆଣିବା ପାଇଁ ଲୋକଙ୍କୁ ପଞ୍ଚାୟତକୁ କାର୍ଯ୍ୟାଳୟକୁ ଆସିବାରେ ସମସ୍ୟା ହେଉଛି। ମଲଦା ନଦୀରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମଲଦା ନଦୀରେ ପୋଲ ନିର୍ମାଣ ପାଇଁ ଅଞ୍ଜଳି ଧୀବର, ଲଳିତା ଧୀବର, ହୁସେନ ଧୀବର, ପବିତ୍ର ଧୀବରଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।