ଶିଶୁଙ୍କ ପ୍ରତି ବିପଦ ବଢ଼ୁଛି

ଦୈନିକ ସଂକ୍ରମଣ ୩ ହଜାର ନିକଟତର, ସୁନ୍ଦରଗଡ଼ରେ ସ୍ଥିତି ଅସମ୍ଭାଳ

ଭୁବନେଶ୍ବର : କରୋନା ସଂକ୍ରମଣର ଦ୍ବିତୀୟ ଲହରରେ ରାଜ୍ୟରେ ଅଧିକ ମାତ୍ରାରେ ଯୁବପିଢ଼ି ସଂକ୍ରମିତ ହେଉଥିବା ନଜରକୁ ଆସିଛି। ବିଶେଷକରି ୧୬ରୁ କମ୍ ଓ ୧୭-୪୦ ବର୍ଷର ଯୁବପିଢ଼ି ଏଥିରେ ବେଶି ଆକ୍ରାନ୍ତ ହେଉଛନ୍ତି। ଏହି ବର୍ଗ ପାଇଁ ଏ ପର୍ଯ୍ୟନ୍ତ କୌଣସି ଟିକା ପ୍ରସ୍ତୁତ ହୋଇ ନଥିବାରୁ ସାମାନ୍ୟ ଅବହେଳା ହେଲେ ସ୍ଥିତି ବିଗିଡ଼ିଯାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଗତବର୍ଷର ସଂକ୍ରମଣ‌ରେ ବେଶି ସଂଖ୍ୟାରେ ବରିଷ୍ଠ ନାଗରିକ ଆକ୍ରାନ୍ତ ହେଉଥିଲେ।

ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ଫେବ୍ରୁଆରି ୧୫ ତାରିଖରୁ ଚଳିତ ମାସ ୧୨ତାରିଖ ପର୍ଯ୍ୟନ୍ତ ୧୬,୮୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୬ବର୍ଷରୁ କମ୍ ୧୩୧୬ଜଣ ଶିଶୁ ରହିଥିବା ବେଳେ ୧୭-୪୦ବର୍ଷର ୮୭୦୨ଜଣ ବ୍ୟକ୍ତି ରହିଛନ୍ତି। ଗତବର୍ଷ ୬ ପ୍ରତିଶତ ଶିଶୁ ସଂକ୍ରମିତ ହେଉଥିବା ବେଳେ ଚଳିତବର୍ଷ ଏହା ୮ପ୍ରତିଶତ ରହିଛି। ସେହିପରି ବୟସ୍କଙ୍କ ମଧ୍ୟରେ ଏହା ୫୦ରୁ ୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ଗତବର୍ଷ ମାର୍ଚ ୧୫ ତାରିଖରୁ ଡିସେମ୍ବର ୩୧ତାରିଖ ଭିତରେ ୨୧,୨୫୪ଜଣ ଶିଶୁ ଓ ୧ଲକ୍ଷ ୬୩ହଜାର ୬୮୨ଜଣ ବୟସ୍କ ସଂକ୍ରମିତ ହୋଇଥିଲେ।

ଶିଶୁ ଓ ଯୁବପିଢ଼ି କେବଳ ସଂକ୍ରମିତ ହେଉଛନ୍ତି ତା’ ନୁହେଁ, ବରଂ ସେମାନଙ୍କ ମଧ୍ୟରେ ମୃତ୍ୟୁହାର ମଧ୍ୟ ବଢ଼ୁଥିବା ନଜରକୁ ଆସିଛି। ଗତ ୨ମାସରେ ରାଜ୍ୟରେ ୧୬ବର୍ଷରୁ କମ୍ ଜଣେ, ୧୭-୪୦ବର୍ଷର ୫ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଏହା ରାଜ୍ୟରେ ଚଳିତବର୍ଷ ହୋଇଥିବା କରୋନା ମୃତ୍ୟୁହାରର ୯ ଓ ୪୫ ପ୍ରତିଶତ। ଏହା ତୁଳନାରେ ଗତବର୍ଷ ଶିଶୁଙ୍କ ମଧ୍ୟରେ ୦.୪୭ ପ୍ରତିଶତ ଓ ବୟସ୍କଙ୍କ ମଧ୍ୟରେ ୧୧ ପ୍ରତିଶତ କରୋନା ଜନିତ ମୃତ୍ୟୁହାର ରେକର୍ଡ କରାଯାଇଥିଲା। ସେହିପରି ୪୧-୬୦ବର୍ଷର ୫୨୬୩ ଲୋକ (୩୧%) ଚଳିତବର୍ଷ ସଂକ୍ରମିତ ହୋଇଥିବା ବେଳେ ଗତବର୍ଷ ୧ଲକ୍ଷ ୮ହଜାର ୫୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତବର୍ଷ ଏହି ବର୍ଗର ୮୪୫ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଚଳିତବର୍ଷ ଏ ପର୍ଯ୍ୟନ୍ତ ଏହି ବର୍ଗର କୌଣସି ‌ବ୍ୟକ୍ତି କରୋନାରେ ପ୍ରାଣ ହରାଇ ନ ଥିବା ଜଣାପଡ଼ିଛି। ଚଳିତବର୍ଷ ଫେବ୍ରୁଆରିରୁ ଏପ୍ରିଲ ୧୨ମଧ୍ୟରେ ୬୦ବର୍ଷରୁ ଅଧିକ ୧୫୪୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫ଜଣ ପ୍ରାଣ ହରାଇଛନ୍ତି। ମାତ୍ର ଗତବର୍ଷ ୩୬,୩୭୯ଜଣ ପଜିଟିଭ୍ ହୋଇଥିବା ବେଳେ ୮୩୬ଜଣଙ୍କ ମୃତ୍ୟୁ ହୋଇଥିଲା।

ବରିଷ୍ଠ ଚିକିତ୍ସକ ଡା. ନିରଜ ମିଶ୍ରଙ୍କ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନା ଭୂତାଣୁର ଡବଲ ମ୍ୟୁଟେସନ୍ ହୋଇ ସାରିଛି, ଯାହାକି ଅଧିକ ମାତ୍ରାରେ ଯୁବପିଢ଼ିଙ୍କୁ ସଂକ୍ରମିତ କରିବା ସହ ମୃତ୍ୟୁହାର ବଢ଼ାଉଛି। ଏହାବାଦ୍ ଭାରତରେ ମଧ୍ୟ ଏନ୍‌-୪୫୨ଆର ନାମକ ଏକ ମ୍ୟୁଟେସନ୍ ହୋଇଛି। ମାର୍ଚ ୨୫ ତାରିଖରେ ଏହାକୁ ଚିହ୍ନଟ କରାଯାଇଥିବା ବେଳେ ଏହା ଭିତରେ ଭାରତରୁ ୮ଟି ଦେଶକୁ ଏହି ମ୍ୟୁଟାଣ୍ଟ ଭୂତାଣୁ ଯାଇ ସାରିଲାଣି। ଏଥିରେ ନିମୋନିଆ ହେବା ସହିତ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌ଠାରୁ ଏହା ଅଧିକ କ୍ଷତିକାରକ ବୋଲି ଡା. ମିଶ୍ର କହିଛନ୍ତି।

ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାକୁ ବସିଲାଣି। ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୩୨ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨୯୮୯ରେ ପହଞ୍ଚି ଯାଇଛି। ୯ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ପାର୍ କରିଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାକୁ ବାଦ୍ ଦେଲେ ଖୋର୍ଧା ଓ କଟକରେ ମଧ୍ୟ ସ୍ଥିତି ବିଗିଡ଼ିବାରେ ଲାଗିଛି। ସୁନ୍ଦରଗଡ଼ରେ କରୋନା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଗଲାଣି। ଗତ ୨୪ଘଣ୍ଟାରେ ଜିଲ୍ଲାରୁ ୬୩୧ଜଣ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଜିଲ୍ଲାରେ ଏବେ ୨୭୭୨ ଚିକିତ୍ସାଧୀନ କୋଭିଡ ରୋଗୀ ରହିଛନ୍ତି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଖୋର୍ଧା ଜିଲ୍ଲାକୁ ମଧ୍ୟ ଟପି ଯାଇଛି। ଦୈନିକ ସଂକ୍ରମଣରେ ସୁନ୍ଦରଗଡ଼କୁ ବାଦ୍ ଦେଲେ ଖୋର୍ଧାରେ ୪୩୮, କଳାହାଣ୍ଡି ୨୬୦, କଟକ ୨୦୮, ନୂଆପଡ଼ା ୧୫୧, ସମ୍ବଲପୁର ୧୪୮, ବରଗଡ଼ ୧୨୬, ପୁରୀ ୧୧୨, ବଲାଙ୍ଗୀର ୧୧୦, ଝାରସୁଗୁଡ଼ା ୮୪, ବାଲେଶ୍ବର ୮୩ ଓ କେନ୍ଦୁଝରରେ ୭୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୫୮ହଜାର ୩୪୨ରେ ପହଞ୍ଚିଛି। ଏହାସହ ୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ କ‌ରୋନା ମୃତ୍ୟୁ ସଂଖ୍ୟା ୧୯୩୫କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୮୩୭ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୪୨ହଜାର ୫୭୦କୁ ବୃଦ୍ଧି ପାଇଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୩୪,୫୭୧ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୮.୭ ପ୍ରତିଶତ ରହିଛି। ଯାହାକି ଚଳିତବର୍ଷର ସର୍ବାଧିକ।

ସମ୍ବନ୍ଧିତ ଖବର