ଶିଆଳି ବେଳାଭୂମି ଭ୍ୟୁ ଟାୱାର୍‌କୁ ବିପଦ, ସମୁଦ୍ର ଜୁଆର ମାଡ଼ରେ ବେଳାଭୂମି ଅତଡ଼ା ଖସିଲା

ଏରସମା : ବାତ୍ୟା ୟାସ୍‌ ପ୍ରଭାବରେ ଶିଆଳି ବେଳାଭୂମି କ୍ଷତିଗ୍ରସ୍ତ ହେବା ସହିତ ଜୁଆର ମାଡ଼ରେ ଭ୍ୟୁ ଟାୱାର୍‌କୁ ବିପଦ ସୃଷ୍ଟି କରିଛି। ବାତ୍ୟାରେ ସମୁଦ୍ର ଜୁଆର ସେଠାରେ ନିମାର୍ଣ ହୋଇଥିବା ୫୦୦ ମିଟର ପଥରବନ୍ଧକୁ ଭସାଇ ନେଇଯାଇଛି। ଏବେ ଲଗାଣ ବର୍ଷାରେ ସମୁଦ୍ର ଜୁଆର ମାଡ଼ରେ ଶିଆଳି ବେଳାଭୂମିର ଅତଡ଼ା ଖସିବାକୁ ଆରମ୍ଭ କରିଛି। ଫଳରେ ସ୍ଥାନୀୟ ଶିଆଳି ଗ୍ରାମବାସୀମାନେ ଆତଙ୍କିତ ହେବା ସହ ଭ୍ୟୁ ଟାୱାରକୁ ବିପଦ ଦେଖାଦେଇଛି।

ସେହିପରି କଳାବେଦି ନିକଟରେ ୫୦ ଫୁଟର ଘାଇ ସୃଷ୍ଟି ହୋଇ ଚିଙ୍ଗୁଡ଼ି ଘେରି ଓ ଗ୍ରାମରେ ପାଣି ପଶିଥିଲା। ବିଶେଷ କରି ନୂତନ ଭାବେ ଗଢ଼ି ଉଠିଥିବା ବେଳାଭୂମିକୁ ଡେଇଁ ପାଣି ଗାଁରେ ପଶିବା ସହ ଚିଙ୍ଗୁଡ଼ି ଘେରିରେ ପଶିଛି। ଗଡ଼ହରିଶପୁର ପାଖରୁ ସମୁଦ୍ର କୂଳେ କୂଳେ ଜଟାଧାରୀ ମୁହାଣ ପର୍ଯ୍ୟନ୍ତ ପଥରବନ୍ଧ ନିମାର୍ଣ କରାଯିବା କଥା। କିନ୍ତୁ ଗଡ଼ ହରିଶପୁର ନିକଟରେ ଏହି କାମ ଅଟକି ଯାଇଛି। ଏଥିପାଇଁ ଗଡ଼ କୁଜଙ୍ଗ, ନୋଳିଆସାହି, ଢିଙ୍କିଆ, ଆମ୍ବିକି, ପଦ୍ମପୁର, ଗଡ଼ ହରିଷପୁର, ଗୋଡ଼ା ପଞ୍ଚାୟତବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଥରବନ୍ଧ ନିର୍ମାଣ କରିବା ପାଇଁ ପଦ୍ମପୁର ସରପଞ୍ଚ କେଶବ ପାତ୍ର ଓ ସମାଜସେବୀ ଅରୁଣ କୁମାର ବେହେରା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର