ଊର୍ଦ୍ଦୁ ଶିକ୍ଷା ପ୍ରତି ବିପଦ: ସ୍କୁଲରେ ପାଠପଢ଼ା ବନ୍ଦ ହେବା ନେଇ ଆଶଙ୍କା‌

ସରକାରଙ୍କ ହସ୍ତକ୍ଷେପ ‌ଲୋଡ଼ିଲେ ରାଜନୈତିକ ଦଳ

ଭୁବନେଶ୍ବର : ଊର୍ଦ୍ଦୁ ଶିକ୍ଷା ବନ୍ଦ କରିବାକୁ ଚକ୍ରାନ୍ତ ଚାଲିଛି। ଶିକ୍ଷାଦାନ ପାଇଁ ସ୍କୁଲରେ ଆବଶ୍ୟକ ଭିତ୍ତିଭୂମି ନାହିଁ। କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଶହେ ବର୍ଷର ସ୍କୁଲ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଗଲାଣି। ୧୧୦ ବର୍ଷ ତଳେ କଟକରେ ଏକ ଶିକ୍ଷକ ଟ୍ରେନିଂ ସ୍କୁଲ ପ୍ରତିଷ୍ଠା ହୋଇଥିଲା, ଯାହାକୁ ବନ୍ଦ କରିବାକୁ ଏବେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ମୁସଲମାନ ବ୍ୟକ୍ତିଙ୍କ ଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରେ ଊର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ମାତ୍ର ଏହି ବିଦ୍ୟାଳୟର ନାମ ପରିବର୍ତନ କରାଯାଇ ମୁସଲିମ୍‌ ବସ୍ତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରଖାଯାଇଛି। ମଦ୍ରାସା ବୋର୍ଡ ଦ୍ବାରା ତାଲିମପ୍ରାପ୍ତ ଫାଜିଲ୍‌ ଯୋଗ୍ୟତାଧାରୀ ବ୍ୟକ୍ତି ବିଦ୍ୟାଳୟରେ ନିଯୁକ୍ତି ପାଉଥିବା ବେଳେ ୨୦୧୧ରେ ଫାଜିଲ୍‌ ଯୋଗ୍ୟତାକୁ ପରିବର୍ତନ କରାଯାଇ ଊର୍ଦ୍ଦୁ ବିଏଡ୍‌ ଯୋଗ୍ୟତା ରଖାଯାଇଛି। ହେଲେ ଓଡ଼ିଶାରେ ଊର୍ଦ୍ଦୁ ବିଏଡ୍‌ ଯୋଗ୍ୟତା ହାସଲ ଲାଗି କୌଣସି ସୁବିଧା ନାହିଁ। ଏ ସମ୍ପର୍କରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ପରେ ସ୍ଥଗିତାଦେଶ ଜାରି ହୋଇଛି। କଟକ ଓଡ଼ିଆ‌ ବଜା‌ରରେ ଥିବା ଊର୍ଦ୍ଦୁ ମାଧ୍ୟମ ବାଳିକା ଉଚ୍ଚ ବିଦ୍ୟାଳୟରେ କେବଳ ଊର୍ଦ୍ଦୁ ଏମ୍‌ଆଇଏଲ୍‌ ଶିକ୍ଷକଙ୍କୁ ଛାଡ଼ି ‌ଦେଲେ ଊର୍ଦ୍ଦୁ ଭାଷା ଜାଣିଥିବା କୌଣସି କର୍ମଚାରୀ ନାହାନ୍ତି। ଯଦି ଏଭଳି ଚାଲେ, ତାହା ହେଲେ ଆଉ କିଛି ଦିନ ପରେ ଓଡ଼ିଶାରେ ଊର୍ଦ୍ଦୁ ଶିକ୍ଷା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

କେବଳ ସେତିକି ନୁହେଁ, ଏମ୍‌ଆଇଏଲ୍‌ଗୁଡ଼ିକ ମଧ୍ୟରୁ ଊର୍ଦ୍ଦୁ ଅନ୍ୟତମ। ହେଲେ ଓଡ଼ିଶାର ମୁସଲମାନଙ୍କୁ ଆଜି ପର୍ଯ୍ୟନ୍ତ ଲାଙ୍ଗୁଏଷ୍ଟିକ୍‌ ମାଇନରିଟି ଅଧିକାର ମିଳି ନାହିଁ। କୌଣସି ବିଭାଗ ବି ନାହିଁ। ପିଲାଙ୍କୁ ଦିଆଯାଇଥିବା ଶିକ୍ଷା ଦର୍ପଣ’ରେ ଊର୍ଦ୍ଦୁ ଏମ୍‌ଆଇଏଲ୍‌ ନାହିଁ। ଊର୍ଦ୍ଦୁ ଶିକ୍ଷକ ପଦ ପୂରଣ ଦିଗରେ ପଦକ୍ଷେପ ନିଆଯାଉନାହିଁ। ପ୍ରଥମରୁ ୮ମ ପିଲାଙ୍କୁ ଊର୍ଦ୍ଦୁ/ପର୍ସିଆନ୍‌ ଛାତ୍ରଛାତ୍ରୀଙ୍କୁ ବର୍ଷେ ହେଲା ପୁସ୍ତକ କିମ୍ବା କେବେ ବି ପ୍ରଶ୍ନପତ୍ର ଦିଆଯାଇ ନାହିଁ। ରାଜ୍ୟ ସରକାର ଏ ଦିଗରେ ପଦ‌କ୍ଷେପ ନେବା ସହ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଓଡ଼ିଶା ଊର୍ଦ୍ଦୁ ସର୍କଲ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ସଚିବ, ନିର୍ଦେଶକଙ୍କୁ ଚିଠି ଲେଖାଯାଇଛି। ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦ‌କ୍ଷେପ ନେବାକୁ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, କଂଗ୍ରେସ ମୁଖପାତ୍ର ଅମିୟ ପାଣ୍ତବ, ସିପିଏମ୍‌ର ଅଭିରାମ ବେହେରା, ଏନ୍‌ସିପିର ବିକ୍ରମ ସ୍ବାଇଁ, ଆରପିଆଇ ସଭାପତି ଶେଖ ଅବଦୁଲ ୱାଲି, ସିପିଆଇ(ଏମ୍‌-ଏଲ୍‌) ଲିବରେସନର ମହେନ୍ଦ୍ର ପରିଡ଼ା, ଆର୍‌ଜେଡିର ହେମନ୍ତ କୁମାର, ବରକତ୍‌ ଅଲ୍ଲୀ ତନବୀର ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର