ବିପଦସଂକୁଳ ଅବସ୍ଥାରେ ରାଜ୍ୟର ୨୦୬୩ଟି ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ବର : ରାଜ୍ୟରେ ଥିବା ମୋଟ୍ ୭୨ ହଜାର ୫୮୭ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୨ ହଜାର ୬୩ଟି କେନ୍ଦ୍ର ବିପଦସଂକୁଳ ଅବସ୍ଥାରେ ଅଛି। ଖୋଦ ମହିଳା ଓ ଶିଶୁ ବିକାଶ ବିଭାଗ ଏହି ତଥ୍ୟ ଦେଇଛି। ବିପଦସଂକୁଳ ଅବସ୍ଥାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ପାଠ ନ ପଢ଼ାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଖଣିଜ ପାଣ୍ଠି ଓ ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ ପ୍ରଦାନ କରିଥିବା ଅର୍ଥରୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପୁନର୍ନିମାଣ କରାଯାଉଛି। ଚଳିତ ବର୍ଷ ୮୦୬ଟିର ନିର୍ମାଣ କାର୍ଯ୍ୟ ଚାଲୁରହିଛି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ରଖିଥିବା ତଥ୍ୟ ଅନୁଯାୟୀ, ୪୦ ହଜାର ୭୮୮ଟି ମିନି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ଥିବାବେଳେ ୪ ହଜାର ୭୨ଟି ଅଙ୍ଗନବାଡ଼ି କେନ୍ଦ୍ର ଏବେ ବି ଭଡ଼ା ଘରେ ଚାଲୁଛି। ଏହାବ୍ୟତୀତ ୧୦ ହଜାର ୫୦୭ଟି ଅଙ୍ଗନବାଡ଼ି ଗୃହ ନିର୍ମାଣ କାର୍ଯ୍ୟ ଜାରି ଅଛି। ବିପଦସଂକୁଳ ଅବସ୍ଥାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍) କିମ୍ବା ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ (ଓମବାଡସି) ପାଣ୍ଠିରୁ ଅର୍ଥ ବରାଦ କରାଯାଇ ମରାମତି ଓ ପୁନର୍ନିମାଣ କରାଯାଉଛି। ଚଳିତ ଆର୍ଥିକ ବର୍ଷରେ ୮୦୬ଟି ଅଙ୍ଗନବାଡ଼ି କେନ୍ଦ୍ରର ପୁନର୍ନିମାଣ କାର୍ଯ୍ୟ ଚାଲୁ ରହିଛି। ସେହିପରି ଜନସଂଖ୍ୟା ଆଧାରରେ ଅଙ୍ଗନବାଡ଼ି କେନ୍ଦ୍ର ଓ ମିନି ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା ରହିଛି। ଜନସଂଖ୍ୟା ଦୃଷ୍ଟିରୁ ଆଉ ୭ ହଜାର ୮୪୪ଟି ନୂତନ ଅଙ୍ଗନବାଡ଼ି ଓ ମିନି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ କେନ୍ଦ୍ର ଏହାର ପୁନର୍ବିଚାର କରିବା ପାଇଁ ଜଣାଇବାପରେ ସବୁ ଜିଲ୍ଲାପାଳମାନଙ୍କୁ ଏ ନେଇ ଚିଠି ଲେଖାଯାଇଛି ବୋଲି ଗୃହରେ ମନ୍ତ୍ରୀ ଶ୍ରୀମତି ସାହୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର