କେନ୍ଦୁଝର : ବୈତରଣୀ ନଦୀ ପାଣି ବିଷାକ୍ତ। ଏହା ପିଇବା ଯୋଗ୍ୟ ନୁହେଁ। ଏଥିରେ ବର୍ଜ୍ୟବସ୍ତୁ ମିଶ୍ରଣ, ଆଇରନ୍ ଓ କ୍ରୋମିୟମ ପରିମାଣ ଅଧିକ। ବ୍ୟାପକ ଜଙ୍ଗଲ କ୍ଷୟ କାରଣରୁ ମୃତ୍ତିକା କ୍ଷୟ ଘଟି ଏହି ପାଣି ଦୂଷିତ ହେଉଛି। ଏହାସହ ବୈତରଣୀ ପାଣିରେ ବାୟୋଲୋଜିକାଲ ଅକ୍ସିଜେନ୍ ଡିମାଣ୍ଡ ଅଧିକ କାରଣରୁ ଏହା ସିଧାସଳଖ ପିଇବା ଅନୁଚିତ।
କେନ୍ଦୁଝର ଜିଲ୍ଲାର ଲାଇଫ୍ ଲାଇନ୍ ହେଉଛି ବୈତରଣୀ। ଖାଲି କେନ୍ଦୁଝର ଜିଲ୍ଲା ନୁହେଁ, ରାଜ୍ୟର ୮ଟି ଜିଲ୍ଲାରେ ୪୨ଟି ବ୍ଲକ ଅଞ୍ଚଳଦେଇ ଯାଇଥିବା ବୈତରଣୀ ଏବେ ବିପଦରେ। ଏହି ବୈତରଣୀ ପାଣି ଦୂଷିତ ଓ ପିଇବା ଯୋଗ୍ୟ ନୁହେଁ। ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଫର କରେଣ୍ଟ ରିସର୍ଚ୍ଚରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବୈତରଣୀରେ ମିଶିଥିବା ନଦୀ, ନାଳ, ଏମିତିକି ଅନ୍ୟ ନଦୀଗୁଡିକ ମିଶିବା ସ୍ଥାନ ସବୁଠୁ ଅଧିକ ଦୂଷିତ। କେନ୍ଦୁଝର ଜିଲ୍ଲାର ନୟାଗଡ଼, ଜଲହରି, ଜୁରୁଡି, ବଲଦା, ଉଚ୍ଚବାଲି, ଚମକପୁର ଆଦି ଅଞ୍ଚଳରୁ ସଂଗୃହୀତ ସାମ୍ପଲରେ ମିଳିଥିବା ତଥ୍ୟ ଅତ୍ୟନ୍ତ ଚିନ୍ତାଜନକ। ଏଠାରେ ବୈତରଣୀର ପାଣି ଅତ୍ୟଧିକ ଅମ୍ଳଯୁକ୍ତ। ବିଶେଷକରି ମୌସୁମୀ ପରେ ବୈତରଣୀ ଓ ଏହା ସହିତ ସଂପୃକ୍ତ ନାଳଗୁଡ଼ିକର ପାଣି ଅତ୍ୟଧିକ ଅମ୍ଳଯୁକ୍ତ। ଓ୍ଵାଟର କ୍ୱାଲିଟି ଇଣ୍ଡେକ୍ସ ଅନୁସାରେ ଏହି ପାଣିରେ ଆଇରନ୍ ଓ କ୍ରୋମିୟମ ପରିମାଣ ସବୁଠୁ ଅଧିକ ଥିବାରୁ ଏହା ସିଧାସଳଖ ବ୍ୟହାରଯୋଗ୍ୟ ନୁହେଁ। ଖାଲି ସେତିକି ନୁହେଁ ପାଣିରେ ବିଓଡି(ବାୟୋଲୋଜିକାଲ ଅକ୍ସିଜେନ୍ ଡିମାଣ୍ଡ) ବି ଅଧିକ ରହିଛି। ଭୂତତ୍ତ୍ୱବିଜ୍ଞାନୀ ପ୍ରଫେସର ବନବିହାରୀ ମିଶ୍ରଙ୍କ ସୂଚନା ଅନୁସାରେ, ପାଣିରେ ଯେତେ ଅଧିକ ପରିମାଣର ବିଓଡି (ବାୟୋଲୋଜିକାଲ ଅକ୍ସିଜେନ୍ ଡିମାଣ୍ଡ) ରହିବ, ପାଣି ସେତିକି ବ୍ୟବହାର ପାଇଁ ଅନୁପଯୁକ୍ତ। ତେଣୁ ବୈତରଣୀର ପାଣିରେ ବିଓଡ଼ି ଅଧିକ ରହିବା ଅର୍ଥ ଏହା ବ୍ୟବହାରଯୋଗ୍ୟ ନୁହେଁ। କେବଳ ଏହାକୁ ଟ୍ରିଟ୍ମେଣ୍ଟ କରି ବ୍ୟବହାର କରାଯାଇ ପାରିବ।
ସେହିପରି ବୈତରଣୀ ରିଭର ବେସିନ୍ ଇନିସିଏଟିଭ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ, ବୈତରଣୀର ଜଳ ‘ସି’ ଗ୍ରେଡ୍ ଅନ୍ତର୍ଭୁକ୍ତ, ଯାହା ସିଧାସଳଖ ପିଇବାଯୋଗ୍ୟ ନୁହେଁ। ଏହାକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ସ୍ୱୀକାର କରିଛି। ବୈତରଣୀ ଜଳସ୍ତର ସଂପର୍କରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦୀର୍ଘ ବର୍ଷ ଧରି ଅବଗତ ଅଛି। ଏହି କାରଣରୁ ବୈତରଣୀର ପ୍ରଦୂଷଣ ରୋକିବା ଓ ସଫେଇ କରିବା ପାଇଁ ୨୦୧୩ ମସିହାରେ ନ୍ୟାସନାଲ ରିଭର କନଜରଭେସନ(ଏନ୍ଆରସିପି)ରେ ସାମିଲ କରାଯାଇଛି। ଏହା ସତ୍ତ୍ୱେ ଦୂଷିତ ବୈତରଣୀର ସୁଧାର ଦିଗରେ ଯେଉଁଭଳି ପଦକ୍ଷେପ ନିଆଯିବା କଥା ତାହା ନିଆଯାଇନାହିଁ। ଅପରପକ୍ଷରେ ବୈତରଣୀ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/KJR-Baitarani-1.jpg)