ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲ୍ଲୀ ଘାଟିରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ଜଣେ ବ୍ୟକ୍ତି କିଭଳି ନିଜର ୨ ଶିଶୁପୁତ୍ରଙ୍କୁ ସାଇକଲ୍ରେ ନେଉଥିଲେ ଏବଂ ନେଉଥିବାବେଳେ କ’ଣ ଘଟିଲା, ତାହା ହେଉଛି ସେହି ଦୃଶ୍ୟର ଏକ ଅଂଶବିଶେଷ । ସେହି ଦୃଶ୍ୟରୁ କିନ୍ତୁ ଦୁଇଟି ଦିଗ ବେଶ୍ ବାରି ହୋଇଯାଇଥିଲା। ଗୋଟିଏ ହେଉଛି, ଲୋକମାନେ କିଭଳି ଜୀବନଯାନ କରୁଛନ୍ତି ଏବଂ ଆରଟି ହେଉଛି ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଲଢ଼େଇ କରି ଲୋକମାନେ କିଭଳି ବଞ୍ଚିବାକୁ ସକ୍ଷମ ହୋଇପାରିଛନ୍ତି।
ସାଇକଲ୍ ଚଳାଉଥିବା ବ୍ୟକ୍ତି ଜଣକ ହେଲେ, ମନ୍ତ୍ରୀଆମ୍ବ ଗାଁର ଆଦିବାସୀ ବ୍ୟକ୍ତି ଡମ୍ବରୁ । ଡମ୍ବରୁ ନିଜର ଦୁଇଶିଶୁଙ୍କୁ ନେଇ ବିପଦପୂର୍ଣ୍ଣ ଭାବେ ପୁରୁଣା ସାଇକେଲଟିରେ ଘାଟି ପାର ହେଉଥିଲେ । ଗୋବିନ୍ଦପାଲ୍ଲୀ ଘାଟିରେ ଜଣେ ଶିଶୁକୁ ସାଇକେଲ କ୍ୟାରିଅରରେ ବସାଇଥିବା ବେଳେ ଅନ୍ୟ ଜଣେ ଶିଶୁକୁ ନିଜ କାଖ ଏବଂ ବେକରେ ଗାମୁଛାରେ ବାନ୍ଧି ସାଇକେଲ ପେଡାଲ ମାରି ଘାଟି ଉଠୁଥିଲେ । ଏତିକି ବେଳେ କାଖରେ ଥିବା ଶିଶୁଟି ଶୋଇପଡିଥିଲା। ଗୋଟିଏ ହାତରେ ସାଇକେଲ ହ୍ୟାଣ୍ଡେଲ ଧରି ଅନ୍ୟ ହାତରେ ଶିଶୁର ମୁଣ୍ଡଟିକୁ ସମ୍ଭାଳୁଥିଲେ ବାପା। ଏଭଳି ପରିସ୍ଥିତିରେ ଯଦି ଛୋଟ ମୋଟ ଭୁଲ ହୁଏ ତାହାହେଲ ଦୁର୍ଘଟଣା ସୁନିଶ୍ଚିତ । ତଥାପି, ସେଥିପ୍ରତି ଡମ୍ବରୁଙ୍କର ଖାତିର୍ ନଥିଲା।
ଏ ସମ୍ପର୍କରେ ଡମ୍ବରୁଙ୍କ ଉତ୍ତର ମଧ୍ୟ ତାଜୁବ୍ କଲାଭଳି। ତାଙ୍କୁ ଯେତେବେଳେ ସାଇକଲ୍ ନ ଚଲାଇ ଚାଲିଚାଲି ଯିବାକୁ ପରାମର୍ଶ ଦିଆଯାଇଥିଲା, ସେ ଏହାକୁ ଆଦୌ ଗୁରୁତ୍ବ ଦେଇନଥିଲେ। ଏଭଳି ଘଟଣା ତାଙ୍କ ପାଇଁ ନିତିଦିନିଆ ବୋଲି କହି ଆଗକୁ ବଢ଼ିଥିଲେ । ଡମ୍ବରୁଙ୍କ ସ୍ତ୍ରୀଙ୍କୁ କାମ କରିବା ପାଇଁ ଅନ୍ୟତ୍ର ଯିବାକୁ ପଡୁଥିବାରୁ ପିଲାଙ୍କ ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ । ଅତଏବ ଜଙ୍ଗଲକୁ କାଠ ହାଣିବାକୁ ଯିବାବେଳେ ଦୁଇଶିଶୁଙ୍କୁ ସାଙ୍ଗରେ ନେଇ ଯାଇଥିଲେ ସେ। ହେଲେ କାଠ ହାଣୁଥିବା ବେଳେ ଶିଶୁଦ୍ବୟ ଶୋଇପଡ଼ିବାରୁ ସେ କାଠ ଆଣି ନ ପାରିଥିଲେ। ଘାଟି ରାସ୍ତା ଦେଇ ତାଙ୍କ ଗାଁ ମନ୍ତ୍ରୀଆମ୍ବକୁ ଫେରିବାକୁ ବାଧ୍ୟ ହୋଇଥିଲେ।
ଘଟଣାର ଭିନ୍ନ ଦୃଶ୍ୟ ହେଉଛି, ଦୁଇଶିଶୁଙ୍କ ପ୍ରତି ଡମ୍ବରୁଙ୍କ ଅନାବିଳ ସ୍ନେହ। ଯାହାକି, ସ୍ପଷ୍ଟ ବାରି ହୋଇଯାଉଥିଲା। ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସହ ନିଜକୁ ଖାପଖୁଆଇ କାହିଁ କେଉଁ ଆଦିମ କାଳରୁ ବନବାସୀ ଯେ ନିଜର ଅସ୍ତିତ୍ବ ଜାହିର୍ କରିଆସୁଛନ୍ତି, ଡମ୍ବରୁ ହେଉଛନ୍ତି ତାହାର ଏକ ଜ୍ବଳନ୍ତ ଉଦାହରଣ।