ବାରମ୍ବାର ଡଙ୍ଗା ବୁଡ଼ିଲା ପରେ ବି ଚେତା ପଶୁନି : କଣ୍ଟିଲୋରେ ବିପଦସଂକୁଳ ନୌକା ବିହାର

ନୟାଗଡ଼ : ଗତ ତିନି ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିପାଣିଆ ଡଙ୍ଗାବୁଡ଼ି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ‌ବେଳେ ୧୦ ନିରୀହ ଜୀବନ ଅକାଳରେ ଝଡ଼ି ପଡ଼ିଥିଲା। କିଛି ଦିନ ତ‌ଳେ ଚିଲିକା ପୁଣି ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଡଙ୍ଗା ବୁଡ଼ି ହେଉଛି। ଡଙ୍ଗା ବୁଡ଼ି ପରେ ପରେ ଦି’ଚାରି ଦିନ ତନାଘନା ଆରମ୍ଭ ହେଇଯାଉଛି, ତା’ ପରକୁ ସମସ୍ତେ ଶୋଇପଡ଼ୁଛନ୍ତି। ତେବେ, ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ ଅନ୍ତର୍ଗତ କଣ୍ଟିଲୋ ଅଞ୍ଚଳର ମହାନଦୀ ଅବବାହିକାରେ।

ଅବସର ବିନୋଦନ ନାମରେ ଏଠାରେ ଦୈନିକ ଶହ ଶହ ଲୋକଙ୍କ ଜୀବନ ବାଜି ଲାଗୁଛି। କଣ୍ଟିଲୋ ନୀଳମାଧବ ପୀଠ ପାର୍ଶ୍ବରେ ଥିବା ମହାନଦୀରେ ଅନେକ ଦେଶୀ ଡଙ୍ଗାରେ ଲୋକମାନଙ୍କୁ ନଦୀ ଭିତରକୁ ବୁଲାଇବାକୁ ନେଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା ପ୍ରତି ଆଦୌ ଧ୍ୟାନ ଦିଆଯାଉନଥିବା ଦେଖିବାକୁ ମିଳିଛି। ଏଠାରେ ପର୍ଯ୍ୟଟକଙ୍କୁ ଲାଇଫ୍ ଜ୍ୟାକେଟ୍ ପ୍ରଦାନ କରାଯାଉନଥିବା ବେଳେ କିଛି ନାଉରିଆ ଲାଇଫ୍ ଜ୍ୟାକେଟ୍ କ’ଣ ବୋଲି ପ୍ରଶ୍ନ କରିଛନ୍ତି? ନୂଆବର୍ଷ ପ୍ରାରମ୍ଭରେ ନିପାଣିଆ ଡଙ୍ଗା ବୁଡ଼ି ଘଟଣାରୁ ନୟାଗଡ଼ ଜିଲ୍ଲା ପ୍ରଶାସନ କିଛି ଶିଖିଲା ଭଳି ମନେ ହେଉନାହିଁ। ଏଠା‌ରେ ବେଆଇନ ଭା‌ବେ କିଛି ଲୋକ ମାଛ ଧରା ଡଙ୍ଗାରେ ପର୍ଯ୍ୟଟକଙ୍କୁ ମହାନଦୀ ଭିତରକୁ ବୁଲାଇ ନେଉଥିବା ବେଳେ ଭଡ଼ା ଲୋଭରେ ଆବଶ୍ୟକତାଠାରୁ ଅଧିକ ଲୋକଙ୍କୁ ବସାଉଥିବା ମଧ୍ୟ ଦେଖାଯାଇଛି। କଣ୍ଟିଲୋ ମହାନଦୀରେ ରାଜ୍ୟ ସରକାରଙ୍କଠାରୁ ସ୍ବୀକୃତି ଆଣି ନୌକା ବିହାର ସଂସ୍ଥା କରାଯାଇଛି ବୋଲି ଦର୍ଶାଯାଇଛି। ଦୁଇଟି ବୋଟ୍ ଜରିଆରେ ଜଣେ ବ୍ୟକ୍ତି ପର୍ଯ୍ୟଟକଙ୍କୁ ନୌକା ବିହାର କରାଉଛନ୍ତି। ସରକାରଙ୍କଠାରୁ ଏହି ସଂସ୍ଥା ସ୍ବୀକୃତି ପାଇଥିବା ନେଇ ଦର୍ଶାଇଥିବା ବେଳେ ନୌକା ବିହାର ସମୟରେ ଯାତ୍ରୀଙ୍କୁ ଲାଇଫ୍ ଜ୍ୟାକେଟ୍ ପ୍ରଦାନ କରିବେ ବୋଲି ବ୍ୟାନର୍‌ରେ ଲେଖିଛନ୍ତି। କିନ୍ତୁ ନୌକା ବିହାର ସମୟରେ ସେ ଯାତ୍ରୀଙ୍କୁ ଲାଇଫ୍ ଜ୍ୟାକେଟ୍ ପ୍ରଦାନ କରୁନଥିବା ଦେଖାଯାଇଛି। ଖୋଲାଖୋଲି ଭାବେ ନିୟମକୁ ବେଖାତିର କରି ‌‌କଣ୍ଟିଲୋ ମହାନଦୀରେ ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କ ଜୀବନକୁ ସଙ୍କଟ ମଧ୍ୟକୁ ନାଉରିଆ ଏବଂ ବୋଟ୍‌ ଚାଳକମାନେ ଟାଣି ନେଉଛନ୍ତି।

ସମ୍ବନ୍ଧିତ ଖବର